ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଶୁକ୍ରବାର ଦିନ ଜୈସଲମେର ନିକଟସ୍ଥ ଲୋକ ଦେବତା ବାବା ରାମଦେବ ମନ୍ଦିର ଦର୍ଶନ ପାଇଁ ପହଞ୍ଚିଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ କିଛି ଶ୍ରଦ୍ଧାଳୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସମ୍ମୁଖରେ ମୋଦି-ମୋଦି ସ୍ଲୋଗାନ ଦେଇଥିଲେ । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।ତେବେ ମନ୍ଦିରରେ ମୋଦି-ମୋଦି ସ୍ଲୋଗାନ ଦିଆଯିବା ସତ୍ତ୍ୱେ ବି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ହସୁଥିବା ଦେଖିବାକୁ ମିଳିଥିଲା । ସେ କୌଣସି ଅସନ୍ତୋଷ ଦେଖାଇ ନଥିଲେ ବରଂ ସମସ୍ତଙ୍କୁ ଅଭିବାଦନ ଜଣାଇ ଆଗକୁ ଆଗକୁ ବଢୁଥିଲେ ।

ତେବେ ଗେହଲଟଙ୍କ ସମ୍ମୁଖରେ ମନ୍ଦିରରେ ମୋଦି-ମୋଦି ସ୍ଲୋଗାନ ଦିଆଯାଉଥିବା ଭିଡିଓକୁ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱାଟ ଟ୍ୱିଟ କରିଛନ୍ତି । କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱାଟ ଏହି ଘଟଣାର ଭିଡିଓ ଟ୍ୱିଟ କରି କ୍ୟାପସନରେ କଟାକ୍ଷ କରି ଲେଖିଛନ୍ତି ଯେ ରାମଦେବଙ୍କ ନିକଟରେ ପହଞ୍ଚିଥିବା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ନାମରେ ସ୍ଲୋଗାନ ଦେଇ ସ୍ୱାଗତ କରାଯାଇଛି । ଭକ୍ତମାନେ ସ୍ଲୋଗାନ ଦେଇ ନିଜର ପସନ୍ଦ ଜଣାଇଛନ୍ତି । ଆଉ ଗେହଲଟ୍ ହାତ ହଲାଇ ଅଭିବାଦନ ଗ୍ରହଣ କରୁଥିଲେ ।

ତେବେ ଏହି ଘଟଣା ନେଇ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ମନ୍ଦିର ପରିସରରେ ‘ଭିଆଇପି’ଙ୍କ ପାଇଁ ଉଦ୍ଧିଷ୍ଟ ଥିବା ରାସ୍ତା ଦେଇ ପ୍ରବେଶ କରିଥିଲେ ଏବଂ ଯେତେବେଳେ ସେ ବାବା ରାମଦେବଙ୍କ ସମାଧି ଅଭିମୁଖେ ଯାଉଥିଲେ, ସେତେବେଳେ ଧାଡିରେ ଠିଆ ହୋଇଥିବା ଏକ ଶ୍ରଦ୍ଧାଳୁ ଦଳ ରାଜନୈତିକ ସ୍ଲୋଗାନ ଦେଇଥିଲେ । ସେ କହିଛନ୍ତି ଯେ ଯେତେବେଳେ ମୁଖ୍ୟମନ୍ତ୍ରୀ ସେଠାରେ ପହଞ୍ଚି ଧାଡିରେ ଠିଆ ହୋଇଥିବା ଭକ୍ତଙ୍କ ସହ କଥାବାର୍ତ୍ତା ହୋଇଥିଲେ ସେତେବେଳେ ସେମାନଙ୍କ ମଧ୍ୟରୁ କେତେକ ‘ଅଶୋକ ଗେହଲୋଟ ଜିନ୍ଦବାଦ’ ସ୍ଲୋଗାନ ଦେଇଥିଲେ । ଏହାର ଜବାବରେ ଅନ୍ୟ ଏକ ଭକ୍ତ ଦଳ ପଛରେ ଠିଆହୋଇ ‘ମୋଦି-ମୋଦି’ର ସ୍ଲୋଗାନ ଦେଇଥିଲେ ।