ଶିବାଜୀ ପାର୍କରେ ଦଶହରା ରାଲି ପାଇଁ ପୁଣି ଠାକରେ ଓ ସିନ୍ଦେ ଗୋଷ୍ଠୀ ମୁହାଁ ମୁହିଁ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମହାରାଷ୍ଟ୍ରର ଦାଦର ଠାରେ ଥିବା ଶିବାଜୀ ପାର୍କରେ ଶିବସେନା ପ୍ରତିବର୍ଷ ଦଶହରା ରାଲି କରିଥାଏ । ହେଲେ ଚଳିତ ଥର ଦଶହରାରେ ଶିବାଜୀ ପାର୍କରେ ରାଲି କରିବାକୁ ଉଭୟ ଉଦ୍ଧବ ଠାକରେ ଓ ଏକନାଥ ସିନ୍ଦେଙ୍କ ଦଳ ଆବେଦନ କରିବା ପରେ ଏହାକୁ ନେଇ ବିବାଦ ଦେଖାଦେଇଛି । ଚଳିତବର୍ଷ ଅକ୍ଟୋବର ୫ ରେ ଦଶହରା ପଡୁଥିବାରୁ ଶିବାଜୀ ପାର୍କରେ କିଏ ରାଲି କରିବ ତାହାକୁ ନେଇ ଦେଖା ଦେଇଛି ବିବାଦ । ଏନେଇ ପୁଣି ମୁହାଁ ମୁହିଁ ହୋଇଛନ୍ତି ଠାକରେ ଓ ସିନ୍ଦେ। ତେବେ ଷାଠିଏ ଦଶକରୁ ପ୍ରତିବର୍ଷ ଲଗାତାର ଶିବାଜୀ ପାର୍କରେ ଶିବସେନା ଦଶହରା ରାଲି ଆୟୋଜନ କରୁଥିବାରୁ ଏହି ପ୍ରସଙ୍ଗଟି ଏବେ ମହାରାଷ୍ଟ୍ରରେ ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଶିବାଜୀ ପାର୍କର ଦଶହରା ରାଲିରେ ବାଲାସାହେବ ଠାକରେଙ୍କ କଥା ଶୁଣିବା ପାଇଁ ହଜାର ହଜାର ଶିବସୈନିକ ରାଜ୍ୟର ବିଭିନ୍ନ ସ୍ଥାନରୁ ପହଞ୍ଚୁଥିଲେ। ବାଲାସାହେବଙ୍କ ପରେ ତାଙ୍କ ପୁଅ ଉଦ୍ଧବ ଠାକରେ ଏହି ରାଲିର ଆୟୋଜନ କରୁଥିଲେ। ମାତ୍ର ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ହୋଇଛି। ଏହାର କାରଣ ହେଉଛି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ରାଲି ପାଇଁ ଶିବାଜୀ ପାର୍କ ବୁକିଂ ଆବେଦନ କରିଛନ୍ତି। ତେବେ ତାଙ୍କ ପୂର୍ବରୁ ଏହି ଆବେଦନ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନରେ ଉଦ୍ଧବ ଠାକରେଙ୍କ ଦ୍ୱାରା କରାଯାଇଛି। ସୂତ୍ରରୁ ପ୍ରକାଶ ଯେ ନିଗମ ଏପର୍ଯ୍ୟନ୍ତ କାହାକୁ ଅନୁମତି ଦେଇନାହାନ୍ତି।

Related Posts