ଚଳିତ ବର୍ଷ ପଞ୍ଚୁକରେ ଶ୍ରଦ୍ଧାଳୁଙ୍କୁ ଧବଳେଶ୍ଵର ମନା; ୧୪୪ ଧାରା ଜାରି, ବନ୍ଦ୍ ରହିବ ଯାତ୍ରା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗତ ୨ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପଞ୍ଚକରେ ଖାଁ ଖାଁ ରହିବ ଧବଳେଶ୍ୱର ପୀଠ। ଶ୍ରଦ୍ଧାଳୁଙ୍କୁ ମିଳିବନି ବାବା ଧବଳେଶ୍ୱରଙ୍କ ଦର୍ଶନ ଅନୁମତି। ବନ୍ଦ୍ ରହିବ ଧବଳେଶ୍ଵର ଯାତ୍ରା। ଧବଳେଶ୍ୱର ଝୁଲା ପୋଲ ଅସୁରକ୍ଷିତ ଥିବାରୁ ଗତକାଲିଠୁ ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଲାଗୁ ହୋଇଛି। ଫଳରେ ଆଜି ସକାଳୁ ଧବଳେଶ୍ୱର ପୀଠ ଖାଁ ଖାଁ ପଡ଼ି ରହିଥିବା ବେଳେ ଆଗକୁ ଥିବା ଧବଳେଶ୍ଵରଙ୍କ ପ୍ରସିଦ୍ଧ ବଡ଼ଓଷା ଓ ପଞ୍ଚୁକରେ ମଧ୍ୟ ଭକ୍ତଙ୍କୁ ପୀଠକୁ ଆସିବାକୁ ଅନୁମତି ମିଳିବ ନାହିଁ। ଏହା ସ୍ପଷ୍ଟ କରିଛନ୍ତି କଟକ ଦାୟିତ୍ୱରେ ଥିବା ଖୋର୍ଦ୍ଧା ଏସ୍‌ପି ସିଦ୍ଧାର୍ଥ କାଟାରିଆ ।

ଏନେଇ ଏସ୍‌ପି କହିଛନ୍ତି ଯେ, ଝୁଲା ପୋଲ ଅସୁରକ୍ଷିତ ଥିବାରୁ ଗତକାଲିଠୁ ଧବଳେଶ୍ୱର ପୀଠରେ ଅନିଦ୍ଦିଷ୍ଟ କାଳ ପାଇଁ ଲାଗୁ ହୋଇଛି ୧୪୪ ଧାରା। ଆମ ପାଇଁ ଯାତ୍ରୀଙ୍କ ସୁରକ୍ଷା ସବୁଠୁ ଗୁରୁତ୍ୱପୂର୍ଣ୍ଣ । ୧୪୪ ଧାରା ଜାରି ହୋଇଥିବାରୁ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ଅନୁମତି ନାହିଁ । ଆସନ୍ତା ଗୁରୁବାରଠାରୁ ପଞ୍ଚକ ଆରମ୍ଭ ହେଉଥିବାରୁ ଏଥର ବି ବିନା ଶ୍ରଦ୍ଧାଳୁରେ ଧବଳେଶ୍ୱର ଯାତ୍ରା ହେବ ।

ବଡ଼ଓଷା ଅବସରରେ ବାବା ଧବଳେଶ୍ୱରଙ୍କ ଗଜ ଭୋଗ ପ୍ରସିଦ୍ଧ ହୋଇଥିବା ବେଳେ ଏହାକୁ ପାଇବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସମ୍ଭବ ଉତ୍ସୁକତା ଦେଖାଦେଇଥାଏ। ହେଲେ ଏଥର ପଞ୍ଚକରେ ଶ୍ରଦ୍ଧାଳୁଙ୍କୁ ବାବାଙ୍କ ପୀଠକୁ ଯିବାକୁ ଅନୁମତି ମିଳି ନ ଥିବାରୁ ଗଜ ଭୋଗ ପାଇବାରୁ ଭକ୍ତ ବଞ୍ଚିତ ହେବେ ବୋଲି ଜଣାଯାଇଛି।

ତେବେ ଗୁଜରାଟ ଝୁଲାପୋଲ ଦୁର୍ଘଟଣା ପରେ ତତ୍ପର ହୋଇ ଉଠିଥିବା ସ୍ଥାନୀୟ ପ୍ରଶାସନ କୌଣସି ଅଘଟଣ ଆଶଙ୍କାରେ ଧବଳେଶ୍ୱର ପୀଠରେ ଗତକାଲିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଲାଗୁ କରିଛି ୧୪୪ ଧାରା। ଆଗକୁ ପଞ୍ଚକ ଆରମ୍ଭ ହେଉଥିବା ବେଳେ ପ୍ରଶାସନର ଏହି ନିଷ୍ପତ୍ତି ଶ୍ରଦ୍ଧାଳୁଙ୍କୁ ବଡ଼ ଝଟକା ଦେଇଛି।

Related Posts