ଧାମନଗର ଉପନିର୍ବାଚନ; ସନ୍ଧ୍ୟା ୫ଟା ସୁଦ୍ଧା ୫୮.୫୩ ପ୍ରତିଶତ ମତଦାନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଧାମନଗର ଉପନିର୍ବାଚନ ପାଇଁ ଆଜି ଭୋଟଗ୍ରହଣ ଚାଲିଛି। କାଁ ଭାଁ କେଉଁଠି ବିଶୃଙ୍ଖଳାର ଖବର ଆସିଛି। ସେହିପରି ସନ୍ଧ୍ୟା ୫ଟା ସୁଦ୍ଧା ୫୮.୫୩ ପ୍ରତିଶତ ମତଦାନ ହୋଇଛି । ଏହାପୂର୍ବରୁ ଦିନ ୩ଟା ସୁଦ୍ଧା ୫୨.୧୩ ପ୍ରତିଶତ ମତଦାନ ହୋଇଥିଲା । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ଗୋଟିଏ ଦୁଇଟି ସ୍ଥାନରେ ଇଭିଏମ୍ ଅଚଳ ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହାକୁ ଠିକ୍ କରାଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ସନ୍ଧ୍ୟା ୬ଟାରେ ଭୋଟ ଗ୍ରହଣ ଶେଷ ହେବ ବୋଲି ସୂଚନା ମିଳିଛି।

ସେହିପରି ଧାମନଗର ଉପନିର୍ବାଚନ ଲାଗି ପ୍ରାର୍ଥୀ ମାନେ ମଧ୍ୟ ଭୋଟ ଦେବାକୁ ମତଦାନ କେନ୍ଦ୍ରରେ ପହଞ୍ଚିଛନ୍ତି। ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ଆଜି ସକାଳେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ସେ ସ୍ବାମୀଙ୍କ ସହ ତିହିଡି ବ୍ଲକ କାଁପଡ଼ାର ୭୮ ନମ୍ବର ବୁଥକୁ ଯାଇ ଭୋଟ୍ ଦେଇଛନ୍ତି। ସେହିପରି କାଁପଡ଼ାର ୭୫ ନମ୍ବର ବୁଥରେ ସ୍ଵାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ଭୋଟରଙ୍କ ସହିତ ଲମ୍ବା ଲାଇନରେ ଆସି ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ଧାମନଗର ଏନଏସିରେ ଭୋଟ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଧାମନଗର ଉପନିର୍ବାଚନ ଲାଗି ବ୍ୟାପକ ପ୍ରସ୍ତୁତି ହୋଇଛି। ବୁଥର ୧୦୦ମିଟର ଭିତରେ ବିଶୃଙ୍ଖଳାକାରୀଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଉପନିର୍ବାଚନରେ ଶାନ୍ତି ଶୃଙ୍ଖଳା ରକ୍ଷା ଲାଗିମୋଟ ୯୯୭ ଜଣ ପୁଲିସ କର୍ମଚାରୀ ମଧ୍ୟ ବିଭିନ୍ନ ମତଦାନ କେନ୍ଦ୍ରରେ ରହିଛନ୍ତି। ସେହିଭଳି ୪ କମ୍ପାନୀ ସିଆରପିଏଫ୍, ୨୪ଟି ମୋବାଇଲ୍ ପାର୍ଟି, ୨୨ ପ୍ଲାଟୁନ୍ ଷ୍ଟେଟ୍ ଆର୍ମଡ୍ ଫୋର୍ସ, ୩୦ଜଣ ସେକ୍ଟର ଅଧିକାରୀ, ୯ ସେକ୍ଟର ମାଜିଷ୍ଟ୍ରେଟ୍, ୧୦୦ଜଣ ସବ୍ଇନ୍ସପେକ୍ଟର ଓ ଇନ୍ସପେକ୍ଟର, ୨ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଓ ୬ ଡିଏସପି ମୃତୟନ ହୋଇଛନ୍ତି । ଚିହ୍ନଟ ହୋଇଥିବା ୧୧୦ଟି ଉତ୍ତେଜନାପ୍ରବଣ ବୁଥ୍ ଓ ୨୫ଟି ଅତି ଉତ୍ତେଜନାପ୍ରବଣ ବୁଥ୍ ରେ ସଶସ୍ତ୍ର ବଳଙ୍କୁ ମୁତୟନ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

Related Posts