ଧାମନଗର ଉପନିର୍ବାଚନ; ୨୭ ରୁ ମଇଦାନକୁ ଓହ୍ଲାଇବେ ହେବିୱେଟ ନେତା, ଜମିବ ପ୍ରଚାର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଧାମନଗରରେ ଉପନିର୍ବାଚନ ପାଇଁ ଏବେ ରାଜନୈତିକ ମହୋଲ ସରଗରମ ରହିଛି । ଅନ୍ୟପଟେ ଏହି ଉପନିର୍ବାଚନ ଉପରେ ସାରା ଓଡ଼ିଶା ନଜର ରଖିଛି। ସବୁଠି ଚାଲିଛି ଧାମନଗରକୁ ନେଇ ଚର୍ଚ୍ଚା। କିଏ ଜିତିବ, ଆଉ କିଏ ହାରିବ, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଗତ କିଛି ଦିନ ହେବ ରାଜ୍ୟର ତିନି ପ୍ରମୁଖ ଦଳର ନେତା ଭଦ୍ରକର ଧାମନଗର ନିର୍ବାଚନ ମଣ୍ଡଳୀରେ ଡେରା ପକାଇଛନ୍ତି। ପଞ୍ଚାୟତରୁ ପଞ୍ଚାୟତ ଏପରିକି ଗାଁ ଗାଁରେ ନେତା, ବିଧାୟକମାନେ ଡେରା ପକାଇ ପ୍ରଚାର ଚଳାଇଛନ୍ତି।

ଗତ ଦୁଇ ଦିନ ଦୀପାବଳି ଓ ଆଜି ସୂର୍ଯ୍ୟୋପରାଗ ପାଇଁ ନିର୍ବାଚନ ପ୍ରଚାର ବନ୍ଦ୍ ରହିଥିବା ବେଳେ ଆସନ୍ତାକାଲି (୨୬ ତାରିଖ)ରୁ ପୁଣି ପ୍ରଚାର ଆରମ୍ଭ ହେଉଛି। ମାତ୍ର ୨୭ ତାରିଖ ଠାରୁ ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ରଚାର ଜୋରଦାର ହେବାକୁ ଯାଉଛି। ମଇଦାନକୁ ଓହ୍ଲାଇବାକୁ ଯାଉଛନ୍ତି ହେବିୱେଟ ନେତା। ବିଜେପିର ଷ୍ଟାର ପ୍ରଚାର ଭାବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱନି ବୈଷ୍ଣବ, ବିଶ୍ବେଶ୍ବର ଟୁଡୁ ପ୍ରମୁଖ ପ୍ରଚାରରେ ଯୋଗଦେବେ। ୨୭ ଓ ୨୮ ଦୁଇ ଦିନ ଧର୍ମେନ୍ଦ୍ର ଧାମନଗର ସୂର୍ଯ୍ୟବଂଶୀଙ୍କ ଲାଗି ପ୍ରଚାର କରିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କ ଲାଗି ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ୩ ଜଣ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା ଓ ପ୍ରସାଦ ହରିଚନ୍ଦନ ଯୋଗ ଦେବେ। ଏହି ପ୍ରଚାରରେ କଂଗ୍ରେସ ନେତା ସୁର ରାଉତରାୟ, ତାରାବାହିନୀ ପତି ଓ ଅନ୍ୟ ବରିଷ୍ଠ ନେତା ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଅନ୍ୟପଟେ ଶାସକ ବିଜେଡ଼ି ପକ୍ଷରୁ ସଂଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ପ୍ରିତିରଞ୍ଜନ ଘଡାଇ, ପ୍ରମିଳା ମଲ୍ଲିକ, ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତ ରାୟ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ସାଂସଦ ସୁଲତା ଦେଓ, ସାଂସଦ ମଂଜୁଲତା ମଣ୍ଡଳଙ୍କ ସମେତ ବହୁ ବିଜେଡ଼ି ନେତା ଓ ମନ୍ତ୍ରୀ ପ୍ରଚାର କରିବେ। ବିଜେଡ଼ି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପ୍ରଚାର ମଇଦାନକୁ ଓହ୍ଲାଇ ପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

ଅନ୍ୟପଟେ ବିଜେଡିରୁ ଟିକେଟ ନପାଇ ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କ ପ୍ରଚାର ମଧ୍ୟ ୨୭ ଓ ୨୮ ତାରିଖରେ ଜୋରଦାର ହେବ ବୋଲି ତାଙ୍କ ସମର୍ଥକ କହିଛନ୍ତି।

Related Posts