ଧାମନଗର ଉପନିର୍ବାଚନ; ଖୋଲିଲା ଭୋଟ ବାକ୍ସ, ଆରମ୍ଭ ହେଲା ଗଣତି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବହୁ ପ୍ରତିକ୍ଷୀତ ଧାମନଗର ବିଧାନସଭା ଉପନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଛି। ଗତ ନଭେମ୍ବର ୩ ତାରିଖରେ ଭୋଟଦାନ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଆଜି ସକାଳ ୮ଟା ରୁ ଭୋଟ ଗଣତି ଆରମ୍ଭ ହୋଇଛି। ସରକାରୀ ଭାବେ ଏହି ନିର୍ବାଚନରେ ୬୮.୯୮ ପ୍ରତିଶତ ଭୋଟ୍ ଦାନ ହୋଇଥିବା ଘୋଷଣା ହୋଇଛି। ଦୀର୍ଘ ୪୮ ଘଣ୍ଟା ଧରି ଏହି ଇଭିଏମ୍ ମେସିନ୍ ଷ୍ଟ୍ରଙ୍ଗ ରୁମ୍‌ରେ ରହିବା ପରେ ଆଜି ସକାଳୁ କଡା ସୁରକ୍ଷା ବଳୟରେ ଗଣତି ଆରମ୍ଭ ହୋଇଛି।

ଇଭିଏମ୍ ମେସିନ୍‌ରେ ଭୋଟ ଦାନ ହୋଇଥିବାରୁ ଦିନ ୧ଟା ସୁଦ୍ଧା ସମସ୍ତ ଫଳାଫଳ ମିଳିଯିବ ବୋଲି ଆଶା କରାଯାଉଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଭଦ୍ରକ ସଂସ୍କୃତି ଭବନରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ୧୪ଟି ଟେବୁଲରେ ଏହି ଭୋଟ୍ ଗଣତି ହେବ। ଯାହାକି ୧୮ ରାଉଣ୍ଡ ଧରି ଚାଲିବ। ମୋଟ ୨୫୨ ଟି ବୁଥ୍‌ରେ ଭୋଟ୍ ପ୍ରକ୍ରିୟା ହୋଇଥିବାରୁ ୧୮ ରାଉଣ୍ଡ ପାଇଁ ପ୍ରଶାସନ ୧୪ଟି ଟେବୁଲ ପ୍ରସ୍ତୁତ କରିଛି। ଭୋଟ୍ ଗଣତି ବୁଥ୍ ଅନୁଯାୟୀ ହେବ। ପ୍ରଥମେ ପୋଷ୍ଟାଲ ବାଲଟ ଗଣତି ଆରମ୍ଭ ହେବ ଏହାପରେ ଇଭିଏମ ମେସିନ୍ ଖୋଲିବ। ଇଭିଏମ୍ ଗଣତି ୧ନଂ ବୁଥ୍ ଭଗବାନପୁରରୁ ଆରମ୍ଭ ହେବ। ପ୍ରତି ରାଉଣ୍ଡରେ ୧୪ଟି ବୁଥ୍‌ର ଗଣତି ହେଉଥିବାରୁ ଅସୁରାଳି ଜୋନ୍‌ରୁ ଏହି ଗଣତି ପ୍ରଥମ ଓ ଦ୍ୱିତୀୟ ରାଉଣ୍ଡରେ ହେବ। ତୃତୀୟ ରାଉଣ୍ଡ ବେଳକୁ ଏହା ତିହିଡି ବ୍ଲକ୍‌ରେ ପ୍ରବେଶ କରିବ।

ତିହିଡି ବ୍ଲକ୍‌ର ଇଟାଗଡି, ଗୁଆମାଳ, ବୁଡଙ୍ଗ, ଗାଜିପୁର, ଦୋଳସାହି, ଦେଉଳା, ତଳଗୋପବିନ୍ଧା ଆଦି ବୁଥ୍‌ରେ ଗଣତି ଚାଲିବ। ୫ମ ରାଉଣ୍ଡ ବେଳକୁ ଏହା ବିଲଣା, ବାରୋ, ଚବିଶପଡା ଶାସନ, କାଁପଡା, ପାଳିଆବିନ୍ଧା, ନନ୍ଦପୁର, ଦହପାଣିଆ ଆଦି ବୁଥ୍ ପଡିବ। ଏହା ପରେ ବୋଡକ ପଞ୍ଚାୟତ ଗଣତି ସହ ଧାମନଗର ବ୍ଲକ୍‌ର କଲ୍ୟାଣୀ ପଡିବ। ପରେ ଧାମନଗର କଲ୍ୟାଣୀ ଏନଏସି, ଦୋବଲ ଜୋନ, ଧୁଷୁରୀ ଜୋନ୍ ଗଣତି ପରେ ଶେଷ ରାଉଣ୍ଡ ତିହିଡି ବ୍ଲକ୍‌ର ଶ୍ୟାମସୁନ୍ଦରପୁର ପଞ୍ଚାୟତର ଗଣତି ହେବ। ଉପରଦୁମୁକା ଓ ତଳଦୁମୁକା ୨୫୨ ନଂ ବୁଥ୍‌ରେ ଗଣତି ଶେଷ ହେବ।

ତିହିଡି ୧୩ ପଂଚାୟତ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣାୟକ ଭୂମିକାରେ ସ୍ଥାନ ପାଇବ ବୋଲି କୁହାଯାଉଛି। ମୋଟ ୪୪ ଟି ପଂଚାୟତ ଓ ଏନଏସିର ୧୧ଟି ୱାର୍ଡରେ ବିଜେପି ଓ ବିଜେଡି ମଧ୍ୟରେ କଡା ଟକ୍କରରେ ରହିଥିଲେ ମଧ୍ୟ ଶାସକ ବିଜେଡି ୧୦ ହଜାର ଭୋଟ୍ ଧାମନଗରରୁ ଲିଡ୍‌ରେ ରହିବ ବୋଲି କହିବା ସହ ତିହିଡିକୁ ଅପେକ୍ଷା କରିଛି। ସେହିଭଳି ବିଜେପି ମଧ୍ୟ ଧୁଷୁରୀ ଓ ଦୋବଲ ଜୋନ୍‌କୁ ଛାଡି ଅସୁରାଳି ଓ ଧାମନଗର ଜୋନ୍‌ରେ ଲିଡ୍‌ରେ ରହିବା ସହ ତିହିଡି ୧୩ ପଂଚାୟତର ଭୋଟ୍ ସଂଖ୍ୟା ଉପରେ ଭରସା କରିଛି। ତେଣୁ ତୃତୀୟ ରାଉଣ୍ଡ ଗଣତି ବେଳୁ ତିହିଡି ଅଞ୍ଚଳ ପଡୁଥିବାରୁ କାହାର ପଲା କେତେ ଭାରି ତାହା ଶୀଘ୍ର ଜଣାପଡିଯିବ ବୋଲି ଆଶା କରାଯାଉଛି।

Related Posts