ଧାମନଗର ଇନ୍ଦ୍ରମଣି ହାଇସ୍କୁଲରେ ଅଚଳାବସ୍ଥା, ସ୍କୁଲ ବନ୍ଦ କଲେ ୭ ଶିକ୍ଷକ

ଅଭିଭାବକ ଓ ଶିକ୍ଷକଙ୍କ ମଧ୍ୟରେ ବିବାଦ ଛାତ୍ର ଛାତ୍ରୀଙ୍କ ପାଠ ପଢ଼ାରେ ପକାଇଛି ଡୋରି । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍‌ ଇନ୍ଦ୍ରମଣି ସରକାରୀ ହାଇସ୍କୁଲରେ ଛାତ୍ରୀଙ୍କୁ ଶିକ୍ଷକଙ୍କ ମାଡ଼ ମାରିବା ଘଟଣା ଉଗ୍ର ରୂପ ନେଇଛି । ଅଭିଭାବକ ଓ ଶିକ୍ଷକଙ୍କ ମଧ୍ୟରେ ବିବାଦ ବଢିବାରୁ ସ୍କୁଲ ଆସିବା ବନ୍ଦ କରିଦେଇଛନ୍ତି ୭ ଜଣ ଶିକ୍ଷକ ।

ଭଦ୍ରକ ଧାମନଗର ବ୍ଲକ ଚୂଡ଼ାକୁଟି ଇନ୍ଦ୍ରମଣି ହାଇସ୍କୁଲରେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ୨୬୭ ଜଣ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା ପାଇଁ ଅଛନ୍ତି ମାତ୍ର ୭ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ । କିଛି ଦିନ ତଳେ ଜଣେ ଛାତ୍ରୀଙ୍କୁ ଶିକ୍ଷକଙ୍କ ମାଡ଼ ମରା ଘଟଣା ନେଇ ଶିକ୍ଷକ ଓ ଅଭିଭାବକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହାର ପ୍ରତିବାଦରେ ସ୍କୁଲ ଆସିବା ବନ୍ଦ କରିଦେଇଛନ୍ତି ୭ ଜଣ ଶିକ୍ଷକ । ଫଳରେ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ା ଠପ୍‌ ହୋଇଯାଇଛି ।

ଅନ୍ୟପଟେ ଅଷ୍ଟମରୁ ଦଶମ ପର୍ଯ୍ୟନ୍ତ ପାଠ ପଢ଼ାଇବା ପାଇଁ ଅଛନ୍ତି ୩ ଜଣ ଶିକ୍ଷକ । ଅନ୍ୟ ଶିକ୍ଷକମାନେ ସ୍କୁଲ ନ ଆସିବାରୁ ଏତେ ସଂଖ୍ୟକ ପିଲାଙ୍କୁ ପାଠ ପଢାଇବା ୩ ଜଣ ଶିକ୍ଷକଙ୍କ ଦ୍ବାରା ସମ୍ଭବ ହେଉନାହିଁ । ସମସ୍ୟାର ସମାଧାନ ହୋଇପାରୁନଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ବିବାଦର ଖୁବଶୀଘ୍ର ସମାଧାନ ହେବ ବୋଲି କହିଛନ୍ତି ଧାମନଗର ସି.ଆର.ସି.ସି ପ୍ରଶାନ୍ତ ବେହେରା ।

Related Posts