2019ର ଆଇପିଏଲ୍ ଟୁର୍ଣ୍ଣାମେଣ୍ଟ ପାଇଁ ହୋଇଛି ଖେଳାଳି ନିଲାମି । ଏଥର ସାମ୍ନାକୁ ଆସିଛନ୍ତି ଜଣେ ନୂଆ ବିସ୍ମୟ । ସେ ହେଉଛନ୍ତି ତାମିଲନାଡୁର ବରୁଣ ଚକ୍ରବର୍ତ୍ତୀ । ଅନ୍ୟ ଖେଳାଳିଙ୍କ ଅପେକ୍ଷା ପାଉଣାରେ ବାଜି ମାରିଛନ୍ତି ବରୁଣ । ତାଙ୍କୁ କିଙ୍ଗସ୍ ଇଲେଭେନ୍ ପଞ୍ଜାବ୍ 8 କୋଟି 40 ଲକ୍ଷ ଟଙ୍କାରେ କିଣିଛି ।
ସେହିପରି ଗତ ସିଜିନର ସବୁଠାରୁ ଦାମି ଖେଳାଳି ବାମହାତୀ ପେସର୍ ଜୟଦେବ ଉନାଦକତଙ୍କୁ ପୁଣି ଥରେ ଭଲ ଦରରେ କିଣିଛି ରାଜସ୍ଥାନ ରୟାଲ୍ସ । କିନ୍ତୁ ଏଥର ଯୁବରାଜ ସିଂଙ୍କୁ ନେବାକୁ ପ୍ରଥମେ ତ କେହି ରାଜି ହୋଇନଥିଲେ । କିନ୍ତୁ ପରେ ତାଙ୍କର ବେସ୍ ପ୍ରାଇସ୍ ଏକ କୋଟି ଟଙ୍କାରେ ହିଁ ଯୁବରାଜଙ୍କୁ କିଣିଛି ମୁମ୍ବାଇ ଇଣ୍ଡିଆନ୍ସ ।
ବରୁଣ ଚକ୍ରବର୍ତ୍ତୀ ହିଁ ଏଥର ଆଇପିଏଲ୍ ସିଜିନ୍ର ଅନ୍ୟତମ ଦାମି ଖେଳାଳି ପାଲଟିଛନ୍ତି । ବରୁଣଙ୍କର ବେସ୍ ପ୍ରାଇସ୍ ଥିଲା ମାତ୍ର ୨୦ ଲକ୍ଷ ଟଙ୍କା । ସେହିପରି ଅକ୍ଷର ପଟେଲଙ୍କୁ ୫କୋଟି ଟଙ୍କାରେ କିଣିଛି ଦିଲ୍ଲୀ କ୍ୟାପିଟାଲ ଓ ଶୁଭମ ଦୁବେଙ୍କୁ ବି ସମାନ ଦରରେ କିଣିଛି ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ।
ଅନ୍ୟ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଦୃତ ବୋଲର ମହମ୍ମଦ ସାମିଙ୍କୁ ୪କୋଟି ୮୦ ଲକ୍ଷରେ ପଞ୍ଜାବ ନେଇଥିବା ବେଳେ ମୋହିତ ଶର୍ମାଙ୍କୁ ୫ କୋଟିରେ କିଣିଛି ଚେନ୍ନାଇ । ବିଦେଶୀ ଖେଳାଳି ଭାବେ ଇଂଲଣ୍ଡର ସାମ୍ କୁରାନ୍ଙ୍କୁ ୭ କୋଟି ୨୦ ଲକ୍ଷରେ ପଞ୍ଜାବ କିଣିଥିବା ବେଳେ ଦକ୍ଷିଣ ଆଫ୍ରିକାର କୋଲିନ ଇନଗ୍ରାମଙ୍କୁ ୬କୋଟି ୪୦ ଲକ୍ଷ ଟଙ୍କାରେ ନେଇଛି ଦିଲ୍ଲୀ ।
ତେବେ ସବୁ ଆଇପିଏଲ୍ ନିଲାମି ପରି ଏଥର ମଧ୍ୟ ବହୁ ବଡ଼ କ୍ରିକେଟର ବିକ୍ରି ହୋଇପାରିନାହାନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ଟିମ୍ ଇଣ୍ଡିଆର ସଦସ୍ୟ ଜାହିର ଖାନ, ନ୍ୟୁଜିଲାଣ୍ଡ ବ୍ୟାଟସମ୍ୟାନ୍ ବ୍ରେଣ୍ଡନ ମ୍ୟାକୁଲମ, ମାର୍ଟିନ ଗୁପଟିଲ, କ୍ରିସ୍ ୱେକ୍ସ, ଅଷ୍ଟ୍ରେଲିଆର ଉସମାନ ଖ୍ବାଜା, ଦକ୍ଷିଣ ଆଫ୍ରିକାର ହାସିମ ଅମଲା, ଶ୍ରୀଲଙ୍କାର ଆଞ୍ଜେଲୋ ମାଥ୍ୟୁସ୍ ।
ଏଥର ଆଇପିଏଲ ନିଲାମି ପ୍ରକ୍ରିୟା ପାଇଁ 351 ଜଣ କ୍ରିକେଟର୍ ପଞ୍ଜୀକୃତ ହୋଇଥିଲେ । ଏଥର ପ୍ରଥମ ଥର ପାଇଁ ଆଇପିଏଲ୍ ଖେଳାଳି ନିଲାମି ମୁମ୍ବାଇ ବଦଳରେ ବାହାରେ ରାଜସ୍ଥାନର ଜୟପୁରରେ ହୋଇଛି ।