
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୁରୀ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣାରେ ଆଜି ଭୁବନେଶ୍ଵର ସ୍ଥିତ ଧର୍ମେନ୍ଦ୍ରଙ୍କ ବାସଭବନକୁ ଯାଇ ତାଙ୍କ ପରିବାର ଲୋକଙ୍କୁ ଆଶ୍ଵସନା ଦେଇଛନ୍ତି ରାଜ୍ୟ ବିଜେପି ଉପସଭାପତି ପ୍ରଭାତି ପରିଡା । ଏହାପରେ ସେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଧର୍ମେନ୍ଦ୍ର ମୋ ପାର୍ଟିରେ ମିଶିବାର ଇଛା ରଖିଥିଲେ । ଏହି ବିଷୟରେ ସେ ମୋ ସହ ଆଲୋଚନା ମଧ୍ୟ କରିଥିଲେ। ସବୁ ପରେ ତାଙ୍କ ପରିବାର ସହ ମୋର ବ୍ୟକ୍ତିଗତ ସମ୍ପର୍କ ରହିଛି । ଆଜି ତାଙ୍କ ସ୍ତ୍ରୀଙ୍କୁ ମୁଁ ଭେଟିଛି । ଧର୍ମେନ୍ଦ୍ରଙ୍କୁ ତାଙ୍କ ପରିବାରକୁ ନ୍ୟାୟ ଦେବା ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଆନ୍ଦୋଳନ କରିବ । ଆଜି ଏ ବାବଦରେ ପାର୍ଟିର ସଦସ୍ୟ ମାନେ ଡିସିପି ଅଫିସ ଯିବୁ । ମନ୍ତ୍ରୀ ସମୀର ଦାସଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ ସହ ବିନ୍ଦାସ ଚିନୁକୁ ଆଗ ପୋଲିସ ଗିରଫ କରୁ ବୋଲି ପ୍ରଭାତୀ ଦାବି କରିଛନ୍ତି ।
ଅନ୍ୟପଟେ ଧର୍ମେନ୍ଦ୍ରଙ୍କ ମୃତ୍ୟୁକୁ ନେଇ ଡିସିପି ଅଫିସ ଘେରାଉ କରିଛି ବିଜେପି । ପୁରୀ ଜିଲ୍ଲା ବିଜେପି ପକ୍ଷରୁ ଡିସିପି ଅଫିସ ସମ୍ମୁଖରେ ବିକ୍ଷୋଭ କରାଯାଉଛି । ଏହି ଘଟଣାରେ ଯେଉଁମାନଙ୍କ ନାଁ ଆସୁଛି ସେମାନଙ୍କୁ କାହିଁକି ତଦନ୍ତ ପରିସର ଭୁକ୍ତ କରାଯାଉ ନାହିଁ ବୋଲି ପ୍ରଶ୍ନ କରିବା ସହ ଯଦି ତଦନ୍ତ ଠିକ ଭାବରେ କରା ନଯାଏ ଓ ପୋଲିସ ଏଭଳି ନିଷ୍କ୍ରିୟ ମନୋଭାବ ଦେଖାଏ ତେବେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ବିଜେପି ଚେତୀବନୀ ଦେଇଛି । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ନାଁ ଉଠୁଥିବାବେଳେ ତାଙ୍କୁ କାହିଁକି ତଦନ୍ତ ପରିସର ଭୁକ୍ତ କରାଯାଉନାହିଁ । ପୋଲିସ କାହିଁକି ଚୁପ ବୋଲି ବିଜେପି ଉପସଭାପତି ପ୍ରଭାତି ପରିଡା ପ୍ରଶ୍ନ କରିଛନ୍ତି ।