ଦଶହରା ପାଇଁ କମିସନରେଟ ପୁଲିସର ପ୍ରସ୍ତୁତି ବୈଠକ: କଟକରେ ମୁତୟନ ହେବେ ୫୫ ପ୍ଳାଟୁନ ପୁଲିସ ଫୋର୍ସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) ଦଶହରା ପାଇଁ କଟକ ଜବାହାରଲାଲ ଇଣ୍ଡୋର ଷ୍ଟାଡିଅମଠାରେ କମିସନରେଟ ପୁଲିସର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏହାପରେ ପୋଲିସର ପ୍ରସ୍ତୁତି ନେଇ ବିସ୍ତୃତ ସୂଚନା ଦେଇଛନ୍ତି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ। ସେ କହିଛନ୍ତି ଯେ, କଟକ ସହରରେ ମୋଟ ୩୧ଟି ଏଡପୋଷ୍ଟ, ଭସାଣି ପାଇ ୧୪ଟି ଏଡପୋଷ୍ଟ କରାଯାଇଛି। ୨୦ଟି ପିସିଆର, ୩ଟି ସ୍ପେସିଆଲ ମୋବାଇଲ, ୪୦ଟି ବାଇକ ପିସିଆର ସହିତ କୁଇକ ରିଆକ୍ସନ ଟିମଙ୍କୁ ମୁତୟନ କରାଯାଇଛି। ଭସାଣିରେ ରାତି ୧୨ଟା ପର୍ଯ୍ୟନ୍ତ ମ୍ୟୁଜିକାଲ ବାଦ୍ୟ ବଜାଇପାରିବେ ଓ ପରେ ପାରମ୍ପରିକ ବାଦ୍ୟରେ ଭସାଣି ଅନୁଷ୍ଠିତ କରିପାରିବେ ବୋଲି କମିସନର ସୂଚନା ଦେଇଛନ୍ତି।ସେ ଆହୁରି କହିଛନ୍ତି ଯେ, ପ୍ରତ୍ୟେକ ମେଢ଼ ପାଖରେ ପୁଲିସ ରହିବେ। ସହରରେ ଚଳିତବର୍ଷ ମୋଟ ୨୮ ଚାନ୍ଦୀ ମେଢ଼ ରହିଛି । ଏଥିପାଇଁ ସହରର ବିଭିନ୍ନ ସ୍ଥାନରେ ପୋଲିସ ଏଡ ପୋଷ୍ଟ ରହିବ। ଟ୍ରାଫିକ ପରିଚାଳନା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସହରକୁ ୮ ଭାଗରେ ବିଭକ୍ତ କରାଯାଇଛି। ପ୍ରତିଟି ଭାଗରେ ଜଣେ ଲେଖାଏଁ ଅଧିକାରୀଙ୍କୁ ଦାଇତ୍ୱ ଦିଆଯାଇଛି। ସହରରେ ମଦ ବିରୋଧୀ ଅଭିଯାନ ଚାଲିଛି ଏଥିପାଇଁ ପୂଜା ସମୟରେ ଷ୍ଟ୍ରାଇକିଂ ଫୋର୍ସ ମୁତୟନ ରହିବେ। ମସଜିଦ ଓ ଗୀର୍ଜା ସମ୍ମୁଖରେ ପୁଲିସ କର୍ମୀ ମୁତୟନ ରହିବେ। କୁଇକ୍ ଆକ୍ସନ ଟିମ୍ ମଧ୍ୟ ସହରର ବିଭିନ୍ନ ସ୍ଥାନରେ ମୁତୟନ ରହିବେ। ରାତି ୧୨ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିବ। ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଏହି ନିୟମ ଲାଗୁ ରହିବ ବୋଲି କମିଶନର ସୂଚନା ଦେଇଛନ୍ତି।

ଏହାସହିତ ଦଶହରା ସମୟରେ କଟକରେ ମୋଟ ୫୫ ପ୍ଳାଟୁନ ପୁଲିସ ଫୋର୍ସ, ୬ ଜଣ ଡିସିପି, ଅତିରିକ୍ତ ଡିସିପି ରାଙ୍କର ୪୦ ଅଫିସର, ୫୫ ଜଣ ଇନ୍ସପେକ୍ଟର, ଟ୍ରାଫିକ ପୁଲିସ, ହୋମଗାର୍ଡ ମୁତୟନ ହେବେ। ଆଇନ ଉଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଭିନ୍ନ ସ୍ଥାନରେ ୩୦୦ରୁ ଉର୍ଦ୍ଧ୍ବ ସିସିଟିଭି କ୍ୟାମେରା ଲାଗିଛି। କିଛି ମେଢ଼ ଜିପିଏସ ମଧ୍ୟ ଲଗେଇଛନ୍ତି ବୋଲି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।

Related Posts