ଧର୍ମେନ୍ଦ୍ରଙ୍କ ଷ୍ଟ୍ରଙ୍ଗହୋଲ୍ଡ ଯାଜପୁର ଜିଲ୍ଲାରେ ବିଜେପିର ଧ୍ବଜପତନ !

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଯାଜପୁର ଜିଲ୍ଲାରେ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି ବିଜେପି ସଙ୍ଗଠନ । ଠିକ୍ ବଢିବା ବେଳେ ଛିଡ଼ିବା ଆରମ୍ଭ ଦଳର ଦବଦବା। ଗତ ପଞ୍ଚାୟତ ନିର୍ବାଚନରେ ଜିଲ୍ଳାର ମୋଟ ୩୯ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ବିଜେଡ଼ି ୩୩ ଟି ଓ ବିଜେପି ୬ ଟି ଜିଲ୍ଳା ପରିଷଦ ଆସନରେ ଜିତିଥିବା ବେଳେ ବର୍ତ୍ତମାନ ସୁଦ୍ଧା ବିଜେପିର ୪ ଜିଲ୍ଲା ପରିଷଦ ସଭ୍ୟ ଦଳ ଅଣଦେଖା କରୁଥିବା ଅଭିଯୋଗରେ ଇସ୍ତଫା ଦେଇ ସାରିଲେଣି ।

ପୂର୍ବରୁ ୭ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା ମାମିନା ମଲ୍ଲିକ, ୨୭ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ଶ୍ରବଣ କୁମାର ଜେନା, ୩୬ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ଚତୁର୍ଭୁଜ ଦ୍ବିବେଦୀ ଦଳ ଛାଡିଥିବା ବେଳେ ଏବେ ୩୪ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ରଶ୍ମି ରଞ୍ଜନ ନାୟକ ଦଳ ଛାଡିଛନ୍ତି । ଗତ ପଞ୍ଚାୟତ ନିର୍ବାଚନ ପରେ ଯାଜପୁର ଜିଲ୍ଲାରେ ଭାଜପା ଧ୍ଵଜା ଯେମିତି ଫର ଫର ହେଇ ଉଡ଼ିବା ଆରମ୍ଭ କରିଥିଲା, କେହି ଭାବି ନଥିଲେ ହଠାତ ଏଭଳି ଧ୍ୱଜପତନ ହେବ ବୋଲି। 

ବବିଙ୍କୁ ଚେକ୍ ଦେବାକୁ କମାଣ୍ଡ ନିଜେ ଧରିଥିଲେ ଧର୍ମେନ୍ଦ୍ର 

ଗତ ପଞ୍ଚାୟତ ନିର୍ବାଚନରେ ଦଳର ଅପ୍ରତ୍ୟାଶିତ ଭଲ ପ୍ରଦର୍ଶନ କୁ ଦେଖି ୨୦୧୯ ନିର୍ବାଚନ ପୂର୍ବରୁ ଜିଲ୍ଲା ସଂଗଠନ ଗଢ଼ିବା ଦାୟିତ୍ଵ ନେଇଥିଲେ ଖୋଦ୍ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନିଜେ ଧର୍ମେନ୍ଦ୍ର ଜିଲ୍ଲାର ଗୋଟିଏ ପରେ ଗୋଟିଏ ହେଭିୱେଟ କୁ ବିଜେପି ରେ ମିଶେଇଥିଲେ।

ଗୌତମ ରାୟଙ୍କୁ ଜିଲ୍ଲା ସଭାପତି କରିବା ନିଷ୍ପତ୍ତି ଧର୍ମେନ୍ଦ୍ରଙ୍କ ଥିଲା। ବରୀ ବିଧାନସଭାରେ ୨୦୧୪ ରେ ସ୍ଵାଧୀନ ଭାବେ ଲଢି ବିଜେଡି ର ଦେବାଶିଷ ନାୟକଙ୍କୁ ପାଣି ପେଇଥିବା ଯୁବନେତା ବିଶ୍ଵ ମଲ୍ଲିକ ଙ୍କୁ ବିଜେପିକୁ ଆଣିବା ଲୋକ ଥିଲେ ଧର୍ମେନ୍ଦ୍ର।

‘୧୯ ନିର୍ବାଚନରେ ସୁକିନ୍ଦା ରେ ଘଡ଼ାଇ ବାପ ପୁଅ ଙ୍କ ବିରୋଧରେ ଜୋରଦାର ଟକ୍କର ଦେବାକୁ ଦଳୀୟ ପ୍ରାର୍ଥୀ ଟୁଟୁ ବଳଙ୍କ ପଛରେ ଥିଲେ ଚଟାଣ ଭଳି ଛିଡା ହୋଇଥିଲେ ଧର୍ମେନ୍ଦ୍ର।

ବଡ଼ଚଣାରେ ବିଜେଡି ବିଧାୟକ ଅମର ଶତପଥୀଙ୍କ ନିଦ ହଜାଇବା ପଛର କାରଣ ଧର୍ମେନ୍ଦ୍ରଙ୍କ  ଗୋଟିଚାଳଣା । ୨୦୧୪ ରେ ସ୍ଵାଧୀନ ପ୍ରାର୍ଥୀ ଭାବେ ଲଢି ବିଜେଡି କୁ ଟକ୍କର ଦେଇଥିବା ଅମର ନାୟକଙ୍କୁ ବିଜେପି କୁ ଆଣିବା ଲୋକ ଧର୍ମେନ୍ଦ୍ର।

ଏପରିକି ଅମର ନାୟକ ଙ୍କୁ ଟିକେଟ ଦେବା ପାଇଁ ଧର୍ମେନ୍ଦ୍ର ବଡ଼ଚଣା ଏରିଆ ର ପୁରୁଣା ଦଳୀୟ ନେତ୍ରୀ ସୀମନ୍ତିନି ଜେନାଙ୍କୁ ବି ସାଇଡ ମାରିଥିଲେ।

କୋରେଇ ବିଧାନସଭା ପାଇଁ କଂଗ୍ରେସ ଭାଙ୍ଗି ବିଶ୍ୱଜିତ ନାୟକଙ୍କୁ ରାତାରାତି ଦଳରେ ମିସେଇଥିଲେ ଧର୍ମେନ୍ଦ୍ର। ସେହିପରି ବିଂଝାରପୁର ରେ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଚେକ୍ ଦେବାକୁ କଂଗ୍ରେସ ନେତ୍ରୀ ବବିତା ମଲ୍ଲିକ ଙ୍କୁ ଦଳରେ ସାମିଲ ନିଷ୍ପତି ଥିଲା ପ୍ରଧାନଙ୍କର।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ସ୍ବର୍ଗତ କଳ୍ପତରୁ ଦାସ ଙ୍କ ଏରିଆ ଧର୍ମଶାଳାରେ ପ୍ରଣବ ବଳବନ୍ତ ରାଏ ଙ୍କୁ ଅଟକାଇବାକୁ ଧର୍ମେନ୍ଦ୍ର କଳ୍ପତରୁଙ୍କ ପୁରୁଣା ସହଯୋଗୀ ରମେଶ ( ତୁଷାର ) ପରିଡାଙ୍କୁ ଟିକେଟ ଦେବା ସହ ଦଳ ତରଫରୁ ଫୁଲ୍ ବ୍ୟାକ୍ ଅପ୍ ଦେଇଥିଲେ ଧର୍ମେନ୍ଦ୍ର।  ତୁଷାର ପରିଡ଼ା ଧର୍ମଶାଳା ବ୍ଲକ୍ ର ପୂର୍ବତନ ଚେୟାରମେନ। କେବଳ ସେତିକି ନୁହଁ, ଜିତୁ ବଳବନ୍ତଙ୍କୁ ଟକ୍କର ଦେବାକୁ ଯାଜପୁର – ଧର୍ମଶାଳା ଅଞ୍ଚଳ ର ଜଣେ ଟାଣୁଆ ସମାଜସେବୀ ତଥା ସୂଚନା ଅଧିକାର କର୍ମୀ ସର୍ବେଶ୍ଵର ବେହେରା ଙ୍କୁ ମଧ୍ୟ BJP ରେ ସାମିଲ କରିବା ଲୋକ ଧର୍ମେନ୍ଦ୍ର। ସର୍ବେଶ୍ଵର ଜିତୁଙ୍କ ମାଇନିଙ୍ଗ  ଟ୍ରାନ୍ସର୍ପୋଟେସନ୍ ବ୍ୟବସାୟ ତଥା କଳ୍ପତରୁଙ୍କ ଖାସ ସହଯୋଗୀ ଡଙ୍କାରି ପାହାଡ କେଲେଙ୍କାରିର ମାଷ୍ଟର ମାଇଣ୍ଡ ଶ୍ରୀବତ୍ସ ଜେନାଙ୍କ କାରନାମା ର ପର୍ଦାଫାସ ର ମୁଖ୍ୟ ନାୟକ ଥିଲେ ସର୍ବେଶ୍ଵର ତେଣୁ ତାଙ୍କୁ ଜିତୁ ବଳବନ୍ତଙ୍କ ପଛରେ ଆୟୁଧ କରିଥିଲେ ଧର୍ମେନ୍ଦ୍ର। ନିର୍ବାଚନରେ ଜିଲ୍ଲାର ସମସ୍ତ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଧର୍ମେନ୍ଦ୍ର କ୍ୟାସବାକ୍ସ ମେଳା କରିଦେଇଥିଲେ। ଯଦିଓ ବିଜେପି ର କେହି ଜିତିପାରିନଥିଲେ ହେଲେ ସବୁ ଆସନରେ ବିଜେପି ଦୁଇ ନମ୍ବର ରେ ଫିନିଶିଂ କରିଥିଲା।

ବଢୁଥିବା ଗଡ଼ ଭୁସୁଡ଼ିଲା କାହିଁକି ?

୨୦୧୯ ନିର୍ବାଚନ ପରେ ବି ଦଳ ୨୦୨୧ ଆରମ୍ଭ ପର୍ଯ୍ୟନ୍ତ bjd କୁ ନାକରେ ପାଣି ପେଇକି ରଖିଥିଲା। ଡଙ୍କlରୀ ପାହାଡ କେଲେନକାରୀ ଠୁ  ବିଇଓ ସ୍ମିତରାଣୀ ବିଶ୍ଵାଳ। ତା ପଛକୁ ଘାଇ ଭାଙ୍ଗିବା ମାମଲାରେ ମାମୁଁ ଭଣଜା ପ୍ରଣବ ବଳବନ୍ତ ଓ ଜେଇ ଙ୍କ ନାଁରେ ବିଜେପି ଘାଣ୍ଟିଥିଲା ବିଜେଡିକୁ। ହେଲେ ହଠାତ bjp ସଂଗଠନ ଜିଲ୍ଲାରେ କମଜୋର ହେବାରେ ଲାଗିଛି। 

ଜିଲ୍ଲା ସଭାପତି ଗୌତ୍ତମ ରାୟ ଓ ତାଙ୍କ ଟିମ କୁ ଏଥିପାଇଁ ଦାୟୀ କରୁଛନ୍ତି ବହୁ ଦଳୀୟ କର୍ମୀ ଓ ନେତା। ଗୌତମ ରାୟ ସମସ୍ତଙ୍କୁ ନେଇ ଚାଲିବା ଅବସ୍ଥାରେ ନାହାନ୍ତି ।କାହାର କାହା ସହିତ ତାଳ ମେଳ ନାହିଁ। ଅବଶ୍ୟ ଏଥିପାଇଁ କେବଳ ଗୌତମ ଦାୟୀ ନୁହନ୍ତି। ଏହା ପଛର ଆଉ ତିନୋଟି ବଡ କାରଣ ରହିଛି।

୧ -ଧର୍ମେନ୍ଦ୍ରଙ୍କ ମୁଡ ସ୍ଵିଙ୍ଗ, 

୨- ରାଜ୍ୟ ନେତୃତ୍ୱ ବିଜେଡି ସହ ମିଶି ଜିଲ୍ଲା ନେତାଙ୍କୁ ଅଣଦେଖା ଓ ପ୍ରସଙ୍ଗକୁ ପାଣିଚିଆ କରିବା 

୩ – ଧର୍ମେନ୍ଦ୍ର – ଅପରାଜିତାଙ୍କ କୋଲ୍ଡାୱାର

ଧର୍ମେନ୍ଦ୍ରଙ୍କ ମୁଡ୍ ସ୍ୱୀଙ୍ଗ

ଯେଉଁ  ଧର୍ମେନ୍ଦ୍ର ୨୦୧୯ ପୂର୍ବରୁ ଯାଜପୁରକୁ କୁଣ୍ଢେଇକି ଧରିଥିଲେ, ନିର୍ବାଚନ ଫଳାଫଳ ପରେ ବାବୁଙ୍କର ମନ ଏମିତି ଭାଙ୍ଗିଲା ଯେ ଆଉ ଆଡ ଆଖିରେ ଅନେଇଲେ ନାହିଁ। ନିର୍ବାଚନ ପୂର୍ବରୁ ବବିଙ୍କୁ ପାଣି ପେଇବାର ସଂକଳ୍ପ ନେଇଥିବା ଧର୍ମେନ୍ଦ୍ରଙ୍କ ର ସମୀକରଣ ବଦଳିଗଲା ନବୀନ ନିବାସ ସହ। ଫଳସ୍ୱରୁପ୍ ବବିଙ୍କ ଜଣାଶୁଣା ପ୍ରତିଦ୍ୱନ୍ଦୀ ଗୌତମ ରାୟ ଙ୍କୁ ଆଉ ଖୁଲମ୍ ଖୁଲା ବେକ୍ ଅପ୍ ଦେଲେନାହିଁ ପ୍ରଧାନ। 

ଖାଲି ସେତିକିନୁହେଁ, ଆଉ ଗୋଟେ ଥିଓରି ବି ଚର୍ଚ୍ଚା ହୁଏ ଯେ ବବିଙ୍କୁ ଟାଇଟ୍ ଦେବାସହ ଜିଲ୍ଲା ସଙ୍ଗଠନ ରେ ନେତା କିଭଳି ତାଙ୍କ ପ୍ରତି ଲୟାଲ ରହିବେ ସେଥିପାଇଁ ରିଜର୍ଭ କନଷ୍ଟିଚୁଏନ୍ସି କୁ ବାଦ ଦେଲେ ଅନ୍ୟ ସବୁ ନିର୍ବାଚନମଣ୍ଡଳୀରେ ଖଣ୍ଡାୟତ କାର୍ଡ ଖେଳିଥିଲେ। ଯାହାବି ହେଉ ‘୧୯ ପରେ ବାବୁଙ୍କ ମୁଡ୍ ସ୍ଵୀଙ୍ଗ ହେବା ଆରମ୍ଭ କଲା।

ହଠାତ୍ ଧର୍ମଶାଳାରେ କଂଗ୍ରେସ ରୁ ପ୍ରାର୍ଥୀ ହେଇଥିବା ସ୍ମୃତିରେଖା ପାହିଙ୍କୁ ନିଜ ଉପସ୍ଥିତିରେ ଦଳରେ ସାମିଲ କଲେ ଧର୍ମେନ୍ଦ୍ର। ଏବଂ ତୁଷାର ଙ୍କୁ ମେସେଜ ମିଳିଗଲା। ସିଏ ଏବେ ସେ କୁଆଡେ ଏବେ ବ୍ୟବସାୟ ରେ ଅଧିକ ବ୍ୟସ୍ତ ଦଳ କାମରେ ନୁହଁ। ସେପଟେ ଧର୍ମଶାଳା ର ପୁରୁଣା କର୍ମୀ ସ୍ମୃତି ପାହୀଙ୍କୁ ଗ୍ରହଣ କରିବାକୁ ନାରାଜ।

ସର୍ବେଶ୍ଵର ବେହେରାଙ୍କ ଉପରେ ବୋମା ମାଡ ହେଲା ଅଥଚ ବିଜେପି ଯେଭଳି issue କରିବା କଥା ତାହା କଲା ନାହିଁ। 

ସେପଟେ ଅମର ନାୟକ ଧର୍ମେନ୍ଦ୍ରଙ୍କ କୃପାରୁ ବ୍ୟବସାୟରେ ଖୁବ୍ ମନ ଦେଇଛନ୍ତି ଏଵଂ ଭଲ ରୋଜଗାର ମଧ୍ୟ କରୁଛନ୍ତି ବୋଲି ବଡ଼ଚଣା ଲୋକେ ଚର୍ଚ୍ଚା କରୁଛନ୍ତି। 

ବରୀ ରେ ବିଶ୍ୱ ମଲ୍ଲିକ ନୀରବ। କିଛି ଦଳୀୟ ନେତାଙ୍କ କହିବାକଥା ଯେ ଯେଉଁ ବିଶ୍ଵ ମଲ୍ଲିକ ଧର୍ମେନ୍ଦ୍ରଙ୍କ ଖାତିର ୨୦୧୯ ରେ ବିଜେଡିରୁ ପ୍ରାର୍ଥୀ ହେବାକୁ ବବିଙ୍କ ପ୍ରସ୍ତାବ କୁ ଠୁକୁରେଇଥିଲେ, ଏବେ କୁଆଡେ ସେ BJD ସହ ଯୋଗାଯୋଗରେ ଅଛନ୍ତି। ଧର୍ମେନ୍ଦ୍ର ଙ୍କ ସହ ସମ୍ପର୍କ ଆଉ ପୂର୍ବଭଳି ନାହଁ। କୋରେଇ ରେ ବିଶ୍ୱଜିତ୍ ବି ସେତେ ଏକ୍ଟିଭ ଥିବା ଦେଖାଯାଉନାହିଁ ।

କୋରାଇ ନିର୍ବାଚନ ମଣ୍ଡଳୀରେ ମଧ୍ୟ ଅସନ୍ତୋଷ ଖୋଲାଖୋଲି ଦେଖିବାକୁ ମିଳୁଛି, ପୂର୍ବରୁ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଥିବା ଆଲେକ୍ସଜାଣ୍ଡର ଦାସଙ୍କୁ ଜିଲ୍ଳାର କୌଣସି ପଦ ପଦବୀ ମିଳି ନଥିବାରୁ ସେ ମଧ୍ୟ ଅସନ୍ତୁଷ୍ଟ ଅଛନ୍ତି, ନିର୍ବାଚନ ମଣ୍ଡଳୀର ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମରେ ତାଙ୍କୁ ଡକା ଯାଉନଥିବାର ଦେଖିବାକୁ ମିଳୁଛି । ଏହାର ଫାଇଦା ସ୍ଥାନୀୟ କଂଗ୍ରେସ ନେତ୍ରୀ ବନ୍ଦିତା ପରିଡ଼ାଙ୍କୁ ମିଳିବାର ଯଥେଷ୍ଟ ସମ୍ଭାବନା ଅଛି । ଯଦି ଜିଲ୍ଲା ସଭାପତି ଗୌତ୍ତମ ରାୟ ଓ ରାଜ୍ୟ ନେତୃତ୍ଵ ଜିଲ୍ଲାକୁ ଆଗାମୀ ସମୟରେ ଗୁରୁତ୍ଵ ନଦେବେ ତେବେ ଦଳୀୟ ଅସନ୍ତୋଷ ଜିଲ୍ଲା ବିଜେପିକୁ ପୁଣି ତୃତୀୟ ସ୍ଥାନକୁ ନେଇଯିବାର ଆଶଙ୍କାକୁ ଏଡ଼ାଇ ନ ଦିଆଯାଇପାରେ ।

 ସମାନ ଅବସ୍ଥା ବିଂଝାରପୁର ରେ ବବିତା ମଲ୍ଲିକଙ୍କର । 

କେବଳ ସୁକିନ୍ଦାରେ ଦଳୀୟ ପ୍ରାର୍ଥୀ ଟୁଟୁ ବଳ ଏକ୍ଟିବ ଥିବା ସହ ଡାନି ଘଡ଼ାଇଙ୍କ କାର୍ଯ୍ୟକ୍ରମ କୁ ଚେକ୍ ଦେବାକୁ ବିଜେପି ପକ୍ଷରୁ ମଧ୍ୟ ବେକ ଟୁ ବେକ କାର୍ଯ୍ୟକ୍ରମ ଜାରି ରଖିଥିବା ଦେଖାଯାଉଛି।  

ରାଜଧାନୀରେ ବିଜେପି ବିଜେଡ଼ିର ଅଘୋଷିତ ମେଣ୍ଟ ଜିଲ୍ଲା ପାଇଁ କାଳ

ରାଜ୍ୟ ବିଜେପି ନେତୃତ୍ଵ ମଧ୍ୟ ଏଥିପାଇଁ ଅନେକାଂଶରେ ଦାୟୀ ।ବିଜେପି ବିଜେଡ଼ି ର ଭିତିରି ସମ୍ପର୍କ ଯୋଗୁଁ ଅସନ୍ତୁଷ୍ଟ ସ୍ଥାନୀୟ ନେତା। ଜିଲ୍ଲା ନେତା ଓ କର୍ମୀଙ୍କୁ ଠିକ ଭାବରେ ମିଳୁନାହିଁ ନିର୍ଦ୍ଦେଶ। ବ୍ଲାକ ରୋଜ ଜାହାଜ କଥା ହେଉ କିମ୍ବା ଡଙ୍କାରି ପାହାଡ଼ ଲୁଟ କିମ୍ୱା ମାମୁଁ ଭଣଜା ଘାଇ ବା ଭୁତ ରାସନ୍ କାର୍ଡ ହିତାଧିକାରୀ ପ୍ରସଙ୍ଗ । ଏ ସମସ୍ତ ଘଟଣାରେ ସ୍ଥାନୀୟ ନେତୃତ୍ଵ ବିରୋଧ କରିବାକୁ ଚାହିଁଲେ ମଧ୍ୟ ରାଜ୍ୟ ନେତୃତ୍ଵ କାର୍ଯ୍ୟକ୍ରମ ପାଇଁ ସାଥ ଦେଉନି, ସେଥିପାଇଁ ଏବେ ବିଜେପି କାର୍ଯ୍ୟକର୍ତ୍ତାଙ୍କର ଅସନ୍ତୋଷ ଭିତରେ ଭିତରେ ବିଜେପି ଦୁର୍ବଳ କରୁଛି ବୋଲି ଖୋଦ୍ ଦଳୀୟ ନେତା ହିଁ ସ୍ବୀକାର କରୁଛନ୍ତି।

ଧର୍ମେନ୍ଦ୍ର – ଅପରାଜିତା କୋଲ୍ଡୱାର୍ 

ପ୍ରଦେଶ ହେଡ କ୍ୱାର୍ଟର ରେ ଧର୍ମେନ୍ଦ୍ର ଅପରାଜିତାଙ୍କ ଶୀତଳ ଯୁଦ୍ଧର ପ୍ରଭାବ ବି ଜିଲ୍ଲା ସଙ୍ଗଠନ ଉପରେ ପଡୁଛି। ନିକଟରେ ଜିଲ୍ଲା ପ୍ରଭାରୀ ନ ଥିବା ସତ୍ତ୍ୱେ ଅପରାଜିତାଙ୍କ ଯାଜପୁର ଗସ୍ତ କୁ ନେଇ ରାଜନୀତି ଜୋର ଧରିି ଥିଲା। ଅପରାଜିତା ଦଳର ସାଂସଦ କିନ୍ତୁ ତାଙ୍କ କାର୍ଯ୍ୟକ୍ରମକୁ ପ୍ରାୟ କେହି ବଡ ନେତା ନ ଯିବା ସ୍ପଷ୍ଟ କରୁଛି ଷଡ଼ଙ୍ଗୀ ଜାଣିଶୁଣି ଧର୍ମେନ୍ଦ୍ରଙ୍କ ଖାସ ଜିଲ୍ଲା ସଂଗଠନ ଭିତରେ ଖେଳ କରିବାକୁ ଯାଇଥିଲେ ଯାଜପୁର।  ସେ ଯାହା ହେଉନା କାହିଁକି, ଏହାର ଭିତିରିଆ ଫାଇଦା ନେବାରେ ବ୍ୟସ୍ତ ବବି ଓ ଜିତୁ ରାଏ।

Related Posts