ଉଗ୍ରରୂପ ନେଲା ଢେଙ୍କାନାଳ ଗୁଳିମାଡ଼ ଘଟଣା: ମୁଖ୍ୟ ଅଭିଯୁକ୍ତର ପତ୍ନୀ ଓ ଶିଶୁପୁତ୍ରକୁ ଆକ୍ରମଣ

ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କନ୍ଧପାଳ ଗାଁରେ ଅଘଟଣ | ପୋଖରୀ ଖୋଳାକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ପରେ ଗାଁରେ ଫୁଟିଛି ଗୁଳି | ଏହି ଗୁଳି ମାଡ଼ରେ ଜଣଙ୍କ ଜୀବନ ଯାଇଛି |

ଫଳରେ ଏହି ଘଟଣା ଉଗ୍ରରୂପ ନେବା ସହ ହତ୍ୟାର ପ୍ରତିଶୋଧ ନେଇଛନ୍ତି ମୃତକଙ୍କ ପରିବାର ଲୋକେ। ମୁଖ୍ୟ ଅଭିଯୁକ୍ତର ପତ୍ନୀ ଓ ଶିଶୁପୁତ୍ରକୁ ଆକ୍ରମଣ କରିଛନ୍ତି | ଫଳରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ମା’ପୁଅଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପୋଖରୀ ଖୋଳାକୁ କେନ୍ଦ୍ର କରି ଆଜି ସକାଳେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କନ୍ଧପାଳ ଗାଁରେ ଦଳେଇ ନାୟକ (୫୬)ଙ୍କୁ ତାଙ୍କର କେତେ ଜଣ ସମ୍ପର୍କୀୟ ଭାଇ ମିଶି ହତ୍ୟା କରିଥିଲେ। ଦଳେଇଙ୍କ ଉପରକୁ ଦେଶୀ ବନ୍ଧୁକରୁ ଏକାଧିକ ଗୁଳି କରାଯାଇଥିଲା।

ଏହି ଘଟଣା ପରେ ଅଭିଯୁକ୍ତମାନେ ଗାଁରୁ ଫେରାର ହୋଇଯାଇଥିଲେ। ତେବେ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ନୃପତ୍ତି ନାୟକଙ୍କ ପତ୍ନୀ ସାରଥୀ ନାୟକ ତାଙ୍କ ତିନି ବର୍ଷର ପୁଅକୁ ନେଇ ଗାଁରୁ ପଳାଇ ଯାଉଥିବା ବେଳେ ମୃତ ଦଳେଇ ନାୟକଙ୍କ ପରିବାର ଲୋକେ ସେମାନଙ୍କୁ ଆକ୍ରମଣ କରିଥିଲେ। ଦଳେଇ ନାୟକଙ୍କ ପରିବାର ଲୋକେ ସାରଥୀ ଓ ତାଙ୍କ ପୁଅକୁ ହାଣି ଦେଇଛନ୍ତି। ଉଭୟ ମା’ପୁଅଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୁଲିସ୍ ଏ ପୂରା ଘଟଣାର ତଦନ୍ତ କରୁଛି।

Related Posts