ଧୋନିଙ୍କ ଜର୍ସିକୁ ଅବସର ଦେଲା BCCI; ଭାରତୀୟ କ୍ରିକେଟ ଦଳର ଜର୍ସିରେ ଆଉ ଦେଖିବାକୁ ମିଳିବନି ନଂ ୭

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): କ୍ୟାପଟେନ କୁଲ୍ ମହେନ୍ଦ୍ର ସିଂ ଧୋନିଙ୍କ ଜର୍ସି ନଂ ୭ କୁ ଅବସର ଦେଇଛି ବୋର୍ଡ ଅଫ୍‌ କ୍ରିକେଟ୍‌ କଣ୍ଟ୍ରୋଲ ଇଣ୍ତିଆ(BCCI) । ଧୋନି ହେଉଛନ୍ତି ଦ୍ୱିତୀୟ ଭାରତୀୟ ଖେଳାଳି, ଯାହାଙ୍କର ଜର୍ସି ନଂ ୭ କୁ ଔପଚାରିକ ଭାବେ ଅବସର ଦେଇଛି BCCI । ଆଗାମୀ ଦିନରେ କୌଣସି କ୍ରିକେଟର୍‌ ଏହି ନଂ ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇପାରିବେ ନାହିଁ ।

ପ୍ରଥମଥର ପାଇଁ କ୍ରିକେଟ୍‌ର ଭଗବାନ କୁହାଯାଉଥିବା ସଚିନ୍‌ ତେନ୍ଦୁଲକର୍‌ଙ୍କ ଜର୍ସି ନଂ ୧୦ କୁ ଅବସର ଦିଆଯାଇଥିଲା । ଏହାପରେ ଭାରତୀୟ କ୍ରିକେଟ୍‌ ଇତିହାସର ସଫଳତମ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଜର୍ସି ନଂ ୭ କୁ ଅବସର ଦେଇଛି BCCI । ଧୋନିଙ୍କ ଭାରତୀୟ କ୍ରିକେଟ୍‌ରେ ଅତୁଳନୀୟ ଅବଦାନକୁ ଦୃଷ୍ଟିରେ ରଖି BCCI ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

କ୍ରିକେଟ୍‌ ଜଗତର ସବୁଠୁ ସଫଳତମ ଅଧିନାୟକ ଭାବେ ଧୋନି ବେଶ୍‌ ପରିଚିତ । ସେ ଭାରତକୁ ୨୦୦୭ ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌, ୨୦୧୧ ରେ ଦିନିକିଆ ବିଶ୍ୱକପ୍‌ ଏବଂ ୨୦୧୩ ରେ ଚାମ୍ପିଆନ୍ସ ଟ୍ରଫି ଜିତାଇଥିଲେ । ICC ର ସମସ୍ତ ଟ୍ରଫି ଜିତିଥିବା ସେ ଏକମାତ୍ର ଭାରତୀୟ ଅଧିନାୟକ ।

ବିସିସିଆଇର ଏହି ନିଷ୍ପତ୍ତି ପରେ ଆଗକୁ କୌଣସି ବି ପୁରୁଣା କିମ୍ବା ନୂଆ ଖେଳାଳି 7 ନଂ ଥିବା ଜର୍ସି ପିନ୍ଧିପାରିବେ ନାହିଁ । ପୂର୍ବରୁ ଓପନର୍ ଶୁବମନ ଗିଲ୍ 7 ନଂ ଲେଖାଥିବା ଜର୍ସି ପିନ୍ଧୁଥିଲେ । କିନ୍ତୁ ପରେ ସେ ଏଥିରେ ପରିବର୍ତ୍ତନ କରି 77 କରିଥିଲେ । ସେହିପରି ଶାର୍ଦ୍ଦୁଲ ଠାକୁର ମଧ୍ୟ ସଚିନ ତେନ୍ଦୁଲକରଙ୍କ 10 ନଂ ଜର୍ସି ପିନ୍ଧୁଥିଲେ । କିନ୍ତୁ ବିସିସିଆଇର ନିଷ୍ପତ୍ତି କ୍ରମେ ସେ ମଧ୍ୟ ଜର୍ସି ସଂଖ୍ୟାରେ ପରିବର୍ତ୍ତନ କରିଥିଲେ ।

Related Posts