
ଗୁରୁବାର ଗାଜିଆବାଦ୍ରେ ଘଟିଥିବା ଏକ ଲୋମହର୍ଷକ ଘଟଣା ଅନେକଙ୍କୁ କରିଦେଇଛି ବାକ୍ହୀନ । ଫାତିମା ନାମକ ଜଣେ ମହିଳା ନିଜ ୪ ଜଣ ଶିଶୁଙ୍କୁ ବଞ୍ଚାଇବାକୁ ଯାଇ ନିଆଁରେ ପୋଡ଼ିଯାଇ ପ୍ରାଣ ହରାଇଛନ୍ତି ।
ମୃତ ଫାତିମାଙ୍କ ଘରେ ହଠାତ୍ ନିଆଁ ଲାଗିଯାଇଥିଲା । ସେ କିଛି ବାଟ ନ ପାଇ ୪ଜଣ ପିଲାଙ୍କୁ ବାଲ୍କୋନିରୁ ତଳକୁ ଫିଙ୍ଗିଥିଲେ । କିନ୍ତୁ ଧୁଆଁ ଯୋଗୁଁ ଫାତିମା ଅଚେତ୍ ହୋଇ ତଳେ ପଡ଼ିଯାଇଥିଲା । ଆଉ ତା’ ପରେ ଘରଟି ଭାଙ୍ଗି ଯାଇଥିଲା । ଯାହା ଫଳରେ ଫାତିମାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଫାତିମା ୮ମାସର ଗର୍ଭବତୀ ଥିବା ତାଙ୍କ ସ୍ୱାମୀ କହିଛନ୍ତି ।
ଫାତିମାଙ୍କ ସ୍ବାମୀଙ୍କ କହିବା ଅନୁସାରେ, ରହୁଥିବା ଘର ତଳେ ସେ ଏକ ବେକେରି ଦୋକାନ କରିଥିଲେ । କିନ୍ତୁ କୌଣସି କାରଣରୁ ଗୁରୁବାର ସେଥିରେ ନିଆଁ ଲାଗିଯାଇଥିଲା । ଏଥିରେ ଘର ଭିତରେ ଥିବା ଦୁଇଟି ଗ୍ୟାସ୍ ସିଲିଣ୍ଡର ଫାଟି ଯାଇଥିଲା । ଯାହାଦ୍ୱାରା ନିଆଁଟି ଉପର ଘର ଆଡ଼କୁ ବ୍ୟାପିଯାଇଥିଲା ।
ଗ୍ୟାସ୍ ସିଲିଣ୍ଡର ଫାଟିବା ଶବ୍ଦ ଶୁଣି ଫାତିମା ବାହାରକୁ ଆସି ପରିସ୍ଥିତି ଦେଖିବା ପରେ ୪ଜଣ ପିଲାଙ୍କୁ ତଳକୁ ଫିଙ୍ଗିଥିଲେ । ୮ ମାସର ଗର୍ଭବତୀ ଥିବାରୁ ସେ ଠିକ୍ ଭାବରେ ଚାଲି ପାରୁ ନଥିଲେ । କିନ୍ତୁ ନିଜ ପିଲାମାନଙ୍କୁ ବଞ୍ଚାଇବାକୁ ଯାଇ ସେ ବହୁ କଷ୍ଟରେ ପିଲାମାନଙ୍କୁ ଉଠାଇ ତଳକୁ ଫିଙ୍ଗିଥିଲେ ।
ତଳେ ଥିବା ପଡ଼ୋଶୀ ଲୋକେ ପିଲାମାନଙ୍କୁ ଧରି ନେଇଥିଲେ । ପିଲାମାନେ ତ ବଞ୍ଚିଗଲେ କିନ୍ତୁ ଫାତିମା ତଳକୁ ଆସି ପାରି ନଥିଲେ । ଆସିବା ପୂର୍ବରୁ ସେ ଅଚେତ୍ ହୋଇଯାଇଥିଲେ । ଘରଟି ଭାଙ୍ଗି ତାଙ୍କ ଉପରେ ପଡ଼ି ଯାଇଥିଲା ।