ପୁଣି କଳାହାଣ୍ଡିରେ ଡାଇରିଆ ଆତଙ୍କ: ୪ ମୃତ, ୨୦ରୁ ଉର୍ଦ୍ଧ ଆକ୍ରାନ୍ତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଳାହାଣ୍ଡି ଜିଲ୍ଲାରେ ଥମୁନି ଡାଇରିଆ ଆତଙ୍କ l ଗୋଟିଏ ବ୍ଲକ ପରେ ଆଉ ଗୋଟିଏ ବ୍ଲକକୁ ବ୍ୟାପିବାରେ ଲାଗିଛି ଡାଇରିଆl ଧୀରେ ଧୀରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଆଉ ଏବେ ପୁଣି ଜୟପଟଣା ବ୍ଲକ ବଡ଼କର୍ଲାକୋଟ ଗାଁରେ ଡାଇରିଆରେ ୨୦ ରୁ ଉର୍ଦ୍ଧ୍ଵ ଲୋକ ଡାଇରିଆରେ ଆକ୍ରାନ୍ତ ହୋଇଛନ୍ତି ଏବଂ ୪ ଜଣ ଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି। ବିଶୁଦ୍ଧ ପାନୀୟ ଜଳର ସମସ୍ୟା ଓ ଜନ ସଚେତନତା ଅଭାବରୁ ଲୋକେ ଏହି ରୋଗରେ ଆକ୍ରାନ୍ତ ହେଉଥିବା ଅନୁମାନ କରାଯାଉଛି l

ତେବେ କଳାହାଣ୍ଡି ଜିଲ୍ଲାରେ ଗତ ଦୁଇ ମାସ ହେବ ଡାଇରିଆ ଆତଙ୍କ ଦେଖାଦେଇଛି l ଡାଇରିଆ ଯୋଗୁଁ ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ଏବେ ମଧ୍ୟ ଅନେକ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି l ଏସବୁ ଭିତରେ ଏବେ ପୁଣି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି l ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ବଡ଼କର୍ଲାକୋଟ ଗାଁରେ ଡାଇରିଆ ବ୍ୟାପିଥିବା ଜଣାପଡିଛି ଯାହା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି l ଗାଁରେ ବର୍ତ୍ତମାନ ୧୨ ରୁ ଉର୍ଦ୍ଧ୍ଵ ଜଣ ଡାଇରିଆରେ ଆକ୍ରାନ୍ତ ହୋଇଛନ୍ତି l

ବଡ଼କର୍ଲାକୋଟ ନୂଆପଡା ରେ ପୂର୍ବରୁ କଳାବତୀ ପାତ୍ର, ଚନ୍ଦ୍ରି ବଣୁଆ, ସୁମନ କାଛିଆ ଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଜବର ବଣୁଆ ନାମକ ଆଉ ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି l ବର୍ତ୍ତମାନ ଡାଇରିଆରେ ମୃତ୍ୟୁ ସଂଖ୍ୟା ୪ କୁ ବୃଦ୍ଧି ପାଇଛି l ଡାଇରିଆରେ ଆକ୍ରାନ୍ତ ହୋଇଥିବା ସମସ୍ତଙ୍କୁ ଜୟପାଟଣା ମେଡ଼ିକାଲ, ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି l ପ୍ରଶାସନ ପକ୍ଷରୁ ଗାଁକୁ ମେଡ଼ିକାଲ ଟିମ ପହଞ୍ଚି ଘରକୁ ଘର ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି l ଗାଁରେ ଥିବା ନଳକୂପ ଗୁଡିକରୁ ନମୂନା ସଂଗ୍ରହ କରାଯାଇଛି ଏବଂ ମେଡିକାଲ ଟିମ ଔଷଧ ଦେବା ସହିତ ପରିମଳ ବ୍ୟବସ୍ଥା ପ୍ରତି ଲୋକଙ୍କୁ ସଚେତନ କରାଯାଉଛି l

Related Posts