କଳାହାଣ୍ଡିରେ ଡାଇରିଆ ଆତଙ୍କ; ସପ୍ତାହକ ମଧ୍ୟରେ ଗଲାଣି ୪ ଜୀବନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ଝାଡାବାନ୍ତି ବ୍ୟାପିବା ପରେ ଏବେ କଳାହାଣ୍ଡିରେ ବ୍ୟାପିଛି ଝାଡାବାନ୍ତି । ତେବେ ଡାଇରିଆ ବ୍ୟାପିବା ପରେ ସପ୍ତାହକ ମଧ୍ୟରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କଳାହାଣ୍ଡି ଜିଲ୍ଲାର ବିରିକୋଟ, ଗୁଣପୁର, ବଡ ଛତରଙ୍ଗା ପଞ୍ଚାୟତ ଅଧୀନରେ ଥିବା ଗାଁ ଗୁଡ଼ିକରେ ଗତ କିଛି ଦିନ ହେବ ଲୋକମାନେ ଡାଇରିଆରେ ଆକ୍ରାନ୍ତ ହୋଇଛନ୍ତି।

ଅଧିକାଂଶ ଗ୍ରାମବାସୀ ଡାଇରିଆରେ ଆକ୍ରାନ୍ତ ହେଉଥିବା ଦେଖି ଥୁଆମୁଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଏକ ଡାକ୍ତରୀ ଟିମ୍ ଗାଁକୁ ଯାଇ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଏକ କ୍ୟାମ୍ପ କରିଥିଲେ। ପ୍ରାୟ ୧୬ ଜଣ ଗ୍ରାମବାସୀଙ୍କର ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଦେଖି ସେମାନଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏହି ଅବସରରେ ଡାକ୍ତରମାନେ ଗ୍ରାମବାସୀଙ୍କୁ ମାଗଣା ଚିକିତ୍ସା ସହିତ ଔଷଧ ଦେଇଥିଲେ।

ଗାଁ ନିକଟରେ ଥିବା ଝରଣାରୁ ଦୂଷିତ ପାଣି ପିଇବା ଓ ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଯୋଗୁ ଗ୍ରାମବାସୀଙ୍କ ମଧ୍ୟରେ ଡାଇରିଆ ବ୍ୟାପିଥିବା କୁହାଯାଉଛି। ଫୁଟା ପାଣି ପିଇବାକୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଏକ ଟିମ୍ ନିୟୋଜିତ ହୋଇଛି। ତେବେ ସୂଚନାଯୋଗ୍ୟ ଯେ, ଗତ ସପ୍ତାହରେ କୋରାପୁଟ ଜିଲ୍ଲାରେ ୫୦ରୁ ଅଧିକ ଡାଇରିଆରେ ଆକ୍ରାନ୍ତ ହୋଇଥିଲେ। ସେହିପରି ଏହା ପୂର୍ବରୁ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଏହି ରୋଗରେ ୧୦ ଜଣଙ୍କ ଜୀବନ ଯାଇଥିଲା।

Related Posts