ୟୁଟର୍ଣ୍ଣ ମାରିଲେ ନୀତୀଶ କୁମାର: “୨୦୨୪ ନିର୍ବାଚନରେ ବିଜେପି ୫୦ ଆସନକୁ ହ୍ରାସ ପାଇବ ବୋଲି ମୁଁ କହିନାହିଁ।”

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କ ପୂର୍ବ ବିବୃତ୍ତିକୁ ପ୍ରତ୍ୟାହାର କରି କହିଛନ୍ତି। ନୀତିଶ କହିଛନ୍ତି ଯେ, “୨୦୨୪ ନିର୍ବାଚନରେ ବିଜେପି ୫୦ ଆସନକୁ ହ୍ରାସ ପାଇବ ବୋଲି ମୁଁ କହିନାହିଁ।” ତେବେ ଉଲ୍ଲେଖଯୋଗ୍ୟ ଯେ, ଶନିବାର ଦିନ ନୀତିଶ ନିଜ ଦଳ ଜନତା ଦଳ-ୟୁନାଇଟେଡ୍‌ (ଜେଡିୟୁ)ର ଜାତୀୟ କାର୍ଯ୍ୟନିର୍ବାହୀ ବୈଠକରେ କହିଥିଲେ ଯେ,୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ୫୦ରୁ ଅଧିକ ଆସନ ମିଳିବ ନାହିଁ।ରବିବାର ଦିନ ଜେଡିୟୁ ଏବଂ ବିଜେପି ନେତାଙ୍କ ମଧ୍ୟରେ ନୀତୀଶ କୁମାରଙ୍କ ଦୃଢୋକ୍ତିକୁ ନେଇ ଆରମ୍ଭ ହୋଇଥିବା ବାକ୍‌ଯୁଦ୍ଧ ମଧ୍ୟରେ ସେ ଜାତୀୟ କାର୍ଯ୍ୟନିର୍ବାହୀ ବୈଠକରେ ଦେଇଥିବା ମନ୍ତବ୍ୟରୁ ୟୁଟର୍ଣ୍ଣ ମାରିଛନ୍ତି।

ରବିବାର ଦିନ ଜନତା ଦଳ ୟୁନାଇଟେଡର ଜାତୀୟ ପରିଷଦ ବୈଠକ ପରେ ସାମ୍ବାଦିକମାନେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶଙ୍କୁ ବିଜେପି ଉପରେ ତାଙ୍କ ମନ୍ତବ୍ୟ ସମ୍ପର୍କରେ ପଚାରିଥିଲେ। ତେବେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ଯେ ସେ କେବେ ବି କୌଣସି ସଂଖ୍ୟା ବିଷୟରେ କହି ନାହାଁନ୍ତି। ସେ ନିଜ ଭାଷଣରେ କେବଳ ବିରୋଧୀ ଏକତା ଗଠନ ଉପରେ ଅଧିକ ଧ୍ୟାନ ଦେଇଥିବା କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ମୋର ଉଦ୍ଦେଶ୍ୟ ହେଉଛି ସମସ୍ତ ବିରୋଧୀ ଦଳ ଏକାଠି ହେବା ଏବଂ ଆମେ ସଫଳତା ହାସଲ କରିବା ସୁନିଶ୍ଚିତ କରିବା। ମୁଁ ସେପରି କୌଣସି ସଂଖ୍ୟା ବିଷୟରେ କହିନାହିଁ ବୋଲି ନୀତୀଶ କୁମାର କହିଛନ୍ତି।

ସୂଚନାଯୋଗ୍ୟ ଯେ, ଶନିବାର ଦିନ ଜେଡିୟୁ କାର୍ଯ୍ୟାଳୟରୁ ଏକ ପ୍ରେସ୍‌ ବିଜ୍ଞପ୍ତି ପ୍ରକାଶ ପାଇଥିଲା ଯେଉଁଥିରେ ନୀତୀିଶ କୁମାର କହିଥିଲେ, ଯଦି ସମସ୍ତ ବିରୋଧୀ ଦଳ ଏକାଠି ହୁଅନ୍ତି ଏବଂ ମୁଁ ଏହା ହାସଲ କରିବାକୁ ଚେଷ୍ଟା କରୁଛି; ତେବେ ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ ୫୦ରୁ ଅଧିକ ଆସନ ମିଳିବ ନାହିଁ।

Related Posts