ପୁରୀ ରଥଯାତ୍ରା ଦେଖିବେ ଦିବ୍ୟାଙ୍ଗ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୁରୀ ରଥଯାତ୍ରା ଦେଖିବେ ଦିବ୍ୟାଙ୍ଗ । ସେପଟେ ଦୁଇ ବର୍ଷ ପରେ ଭକ୍ତଙ୍କୁ ନେଇ ରଥଯାତ୍ରା ହେବାକୁ ଯାଉଛି । ଆବାଳ ବୃଦ୍ଧବନିତା ମହାପ୍ରଭୁଙ୍କ ଏହି ଦିବ୍ୟଲୀଳା ଦେଖିବା ପାଇଁ ଉତ୍ସୁକ ହୋଇ ଚାହିଁ ବସିଛନ୍ତି। ସମସ୍ତ ବର୍ଗର ଲୋକେ ଯେଭଳି ରଥଯାତ୍ରାକୁ ସୁରୁଖୁରୁରେ ଉପଭୋଗ କରିବେ ସେନେଇ ପ୍ରସ୍ତୁତି କରାଯାଇଛି। ବିଶେଷକରି ଦିବ୍ୟାଙ୍ଗମାନଙ୍କ ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ରଥ ଉପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଆସିବାକୁ ଲକ୍ଷ୍ୟ ରଖିଥିବା ଦିବ୍ୟାଙ୍ଗମାନଙ୍କ ପାଇଁ ବଳଗଣ୍ଡି ସ୍କୁଲ୍ ଛାତ ଉପରେ ଟେଣ୍ଟ୍ର ବ୍ୟବସ୍ଥା କରାଯାଇଛି। ୨ଶହରୁ ୨୫୦ ଦିବ୍ୟାଙ୍ଗଙ୍କ ପାଇଁ ବଳଗଣ୍ଡି ସ୍କୁଲ୍ ଛାତ ଉପରେ ସ୍ବତନ୍ତ୍ର ଟେଣ୍ଟ ସହ ସିଟ୍ର ବନ୍ଦୋବସ୍ତ କରାଯାଇଛି।

ଟେଣ୍ଟରେ ଦର୍ଶନ ସହ ସେମାନଙ୍କ ପାଇଁ ଚାହା, ଟିଫିନ, ପାନୀୟ ଜଳ, ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଛି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଅଧୀନରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ବଜେଟ୍ରୁ ଜରୁରି ଭିତ୍ତିରେ ଏହି ବ୍ୟବସ୍ଥା ନିମନ୍ତେ ଅର୍ଥ ଯୋଗାଇ ଦିଆଯିବ। ବିଶେଷକରି ଦିବ୍ୟାଙ୍ଗମାନେ ବସ୍ ଓ ଟ୍ରେନ୍ ଯୋଗେ ଯାତାୟାତ କରୁଥିବାରୁ, ସେମାନଙ୍କୁ ତାଳବଣିଆ ବସ୍ ରହଣୀସ୍ଥଳ ଓ ରେଳ ଷ୍ଟେସନରୁ ବଳଗଣ୍ଡି ସ୍କୁଲ୍ ପର‌୍ୟ୍ୟନ୍ତ ଆଣିବା ପାଇଁ ୧୦ଟି ସ୍ବତନ୍ତ୍ର ବ୍ୟାଟେରି ଅଟୋ ଯୋଗାଇ ଦିଆଯିବ। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts