ଭୁବନେଶ୍ୱର,୨୬/୧୨(ସତ୍ୟପାଠ ବ୍ୟୁରୋ): ମୋର ଅନୁରୋଧ ନିଜ ଝିଅ କିମ୍ବା ଭଉଣୀଙ୍କୁ କୌଣସି ମଦୁଆ ସହ ବିବାହ କରନାହିଁ। ଗୋଟିଏ ମଦୁଆ ଅଫିସର ଅପେକ୍ଷା ଜଣେ ରିକ୍ସାବାଲା ବା ଦିନମଜୁରିଆ ବହୁ ଗୁଣରେ ଭଲ। ଲୋକଙ୍କୁ ଏଭଳି ଅନୁରୋଧ କରିଛନ୍ତି ଖୋଦ୍ ଜଣେ କେନ୍ଦ୍ରମନ୍ତ୍ରୀ। କେନ୍ଦ୍ର ଆବାସ ଓ ସହରବିକାଶ ଗୃହରାଷ୍ଟ୍ର ମନ୍ତ୍ରୀ କୌଶଲ କିଶୋର ଏପରି ମର୍ମସ୍ପର୍ଶୀ ସନ୍ଦେଶ ଦେଇଛନ୍ତି।

ଶନିବାର ଉତ୍ତରପ୍ରଦେଶର ଲମ୍ଭୁଆ ନିର୍ବାଚନ ମଣ୍ଡଳୀରେ ନିଶାମୁକ୍ତ କେନ୍ଦ୍ରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ମଦ ପିଉଥିବା ଲୋକଙ୍କର ଆୟୁଶ ଖୁବ କମ। ଯେତେବେଳେ ମୁଁ ଜଣେ ସାଂସଦ ଓ ମୋ ପତ୍ନୀ ଜଣେ ବିଧାୟିକା ହୋଇ ମଧ୍ୟ ଆମେ ଆମ ପୁଅର ଜୀବନ ବଞ୍ଚାଇପାରିଲୁ ନାହିଁ ତେବେ ସାଧାରଣ ଲୋକ କଣ କରିବେ?

ଏହି ଅବସରରେ ବିଗତ ଦିନରେ ତାଙ୍କ ପରିବାର ସହ ଯେଉଁ ଦୁଃଖ ଘଟଣା ଘଟିଯାଥିଲା ତାକୁ ମନେ ପକଇ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ମୋ ପୁଅ ଆକାଶ କିଶୋର ତା ସାଙ୍ଗମାନଙ୍କ ସହ ମିଶି ମଦ ପିଇବାର ଅଭ୍ୟାସରେ ପଡ଼ିଯାଇଥିଲା। ଏହାପରେ ତାଙ୍କୁ ନିଶାମୁକ୍ତ କେନ୍ଦ୍ରରେ ଆଡମିଶନ କରାଇଥିଲୁ। ଭାବିଥିଲୁ ତାର ଖରାପ ପ୍ରକୃତି ଛାଡ଼ିଯିବ। ଏହାର ୬ ମାସ ପରେ ପୁଅର ବାହାଘର କରିଥିଲୁ। କିନ୍ତୁ ନିଶାମୁକ୍କ କେନ୍ଦ୍ରରୁ ଆସି ସେ ପୁଣି ପିଇବା ଆରମ୍ଭ କଲା। ଫଳରେ ଦୁଇ ବର୍ଷ ତଳେ ଅକ୍ଟୋବର ୧୯ ତାରିଖରେ ଆମ ପୁଅର ମୃତ୍ୟୁ ହୋଇଛି। ସେତେବେଳେ ତା’ ପୁଅକୁ ମାତ୍ର ୨ ବର୍ଷ ହୋଇଥିଲା। ଆମ ବୋହୂ ଅଳ୍ପ ବୟସରେ ବିଧବା ହୋଇଗଲା। ତେଣୁ ଆପଣାମାନେ ବି କୌଣସି ମଦୁଆକୁ ନିଜ ଝିଅ କି ବୋହୂଙ୍କୁ ବାହା ଦିଅନ୍ତୁ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଛନ୍ତି।

ମନ୍ତ୍ରୀ ଆହୁରି କହିଛନ୍ତି ଯେ, ସ୍ୱାଧୀନତା ଆନ୍ଦୋଳନରେ ୯୦ ବର୍ଷ ଭିତରେ ୬.୩୨ ଲକ୍ଷ ଲୋକ ବ୍ରିଟିଶ ସହ ଲଢ଼ି ପ୍ରାଣ ବଳି ଦେଇଥିଲେ। ହେଲେ ବର୍ତ୍ତମାନ ମଦ ନିଶା ଯୋଗୁ ପ୍ରତିବର୍ଷ ୨୦ ଲକ୍ଷ ଲୋକ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ତା ସହିତ ୮୦ ପ୍ରତିଶତ କର୍କଟ ମୃତ୍ୟୁ ତମ୍ବାକୁ, ସିଗାରେଟ୍, ବିଡ଼ି ଓ ଆଲକହଲ ଖାଇବା ଦ୍ୱାରା ହେଉଛି ବୋଲି ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ତା ସହିତ ଲୋକଙ୍କୁ ନିଶାମୁକ୍ତ ଅଭିଯାନରେ ଜୋଡ଼ି ହୋଇ ପରିବାର ରକ୍ଷା କରିବାକୁ ମନ୍ତ୍ରୀ ଅନୁରୋଧ କରିଛନ୍ତି।