ଭୁବନେଶ୍ୱର,୨୧/୧(ସତ୍ୟପାଠ ବ୍ୟୁରୋ): ହାଇକୋର୍ଟ ଗଲେ ଡାକ୍ତର ଶୁଭଶ୍ରୀ କରଙ୍କ ପୁରୁଷ ବନ୍ଧୁ। କେନ୍ଦୁଝର ଜିଲ୍ଲା ଯୋଡ଼ାର ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁ ମାମଲାକୁ ରଦ୍ଦ କରିବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପୁରୁଷ ବନ୍ଧୁ। ଡାକ୍ତର ଦିବ୍ୟ ରଞ୍ଜନ ମାଝିଙ୍କ ବିରୁଦ୍ଧରେ ଯୋଡ଼ା ଥାନାରେ ରୁଜ୍ଜୁ ହୋଇଛି ମାମଲା। ଏହି ମାମଲାକୁ ଖାରଜ ଓ ତାଙ୍କୁ ଜାମିନ୍ ପ୍ରଦାନ କରିବାକୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତେବେ ବିଷକ୍ରିୟାରୁ ଶୁଭଶ୍ରୀଙ୍କ ମୃତ୍ୟୁ ହୋଇଥିବା ବ୍ୟବଛେଦ ରିପୋର୍ଟ ଓ ଭିସେରାରୁ ସ୍ପଷ୍ଟ ହୋଇଛି।
ଅନ୍ୟପଟେ ଶୁଭଶ୍ରୀଙ୍କ ପରିବାରଲୋକ ପୁରୁଷ ବନ୍ଧୁ ଦିବ୍ୟରଞ୍ଜନଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଛନ୍ତି। ଡାକ୍ତର ବନ୍ଧୁ ଓ ସହଯୋଗୀ ମିଶି ଶୁଭଶ୍ରୀଙ୍କୁ ହତ୍ୟା କରିଥିବା ନେଇ ଯୋଡ଼ା ଥାନାରେ ଏତଲା ଦେଇଛନ୍ତି ଶୁଭଶ୍ରୀଙ୍କ ବାପା । ଶୁଭଶ୍ରୀଙ୍କ ପୁରୁଷ ବନ୍ଧୁ ଡାକ୍ତର ଦିବ୍ୟରଞ୍ଜନଙ୍କ ସମେତ ଅନ୍ୟ ଦୁଇ ସହଯୋଗୀ ଡାକ୍ତରଙ୍କ ସମେତ ମୋଟ ୭ଜଣଙ୍କ ସମ୍ପୃକ୍ତି ଥିବା ଏତଲାରେ ଉଲ୍ଲେଖ କରିଛନ୍ତି ଶୁଭଶ୍ରୀଙ୍କ ବାପା । ତାଙ୍କୁ ଆଲକୋହଲରେ କିଛି ମିଶାଇ ପିଆ ଯାଇଥିବା ସନ୍ଦେହ ପରିବାର ଲୋକ କରିଛନ୍ତି । ଭିସେରା ରିପୋର୍ଟ ଆସିବା ପରେ ହତ୍ୟା ସନ୍ଦେହ କରିଛନ୍ତି ପରିବାର ଲୋକ ।
ସୂଚନାଯୋଗ୍ୟ ଯେ, ଶୁଭଶ୍ରୀ କରଙ୍କ ଘର କଟକ ବୟାଳିଶ ମୌଜା ଅଞ୍ଚଳରେ । ଯୋଡ଼ା ପୌରାଞ୍ଚଳ ହସ୍ପିଟାଲରେ ସେ କାର୍ଯ୍ୟରତ ଥିଲେ । ୩୧ ତାରିଖ ରାତିରେ ଝିଅ ସହ କଥା ହୋଇଥିଲେ ବାପା ମନୋରଞ୍ଜନ କର । ଦୁଇ ଦିନ ପରେ ଘରକୁ ଆସିବ ବୋଲି କହିଥିଲେ ଶୁଭଶ୍ରୀ । ହେଲେ ଜାନୁଆରୀ ୧ ତାରିଖରେ ବନ୍ଦ ଘରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା । କେମିତି ଓ କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା ? ତାକୁ ନେଇ ସନ୍ଦେହ ଘନୀଭୂତ ହେବାରେ ଲାଗିଛି । ଏହି ଘଟଣାରେ ଶୁଭଶ୍ରୀଙ୍କ ପୁରୁଷ ବନ୍ଧୁ ଡାକ୍ତର ଦିବ୍ୟ ରଞ୍ଜନ ମାଝୀଙ୍କୁ ପଚରାଉଚରା କରି ପୋଲିସ ଛାଡ଼ି ଦେଇଥିଲା।
