ଦଳ ବିରୋଧୀ କାର୍ଯ୍ୟ ପାଇଁ ୩୮ ଜଣ କାର୍ଯ୍ୟକର୍ତ୍ତାଙ୍କୁ ଦଳରୁ ନିଲମ୍ବିତ କଲା ଗୁଜୁରାଟ କଂଗ୍ରେସ

ଭୁବନେଶ୍ୱର,୨୧/୧(ସତ୍ୟପାଠ ବ୍ୟୁରୋ): ଗତ ମାସରେ ଅନୁଷ୍ଠିତ ହୋଇଥିବା ଗୁଜୁରାଟ ବିଧାନସଭା ନିର୍ବାଚନ ସମୟରେ ଦଳ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବାରୁ ଗୁଜୁରାଟ କଂଗ୍ରେସ ଏହାର ୩୮ ଜଣ କାର୍ଯ୍ୟକର୍ତ୍ତା ଏବଂ କର୍ମୀଙ୍କୁ ଦଳରୁ ଛଅ ବର୍ଷ ପାଇଁ ନିଲମ୍ବିତ କରିଛି।

ସୂଚନାଯୋଗ୍ୟ ଯେ, ୧୮୨ ସଦସ୍ୟ ବିଶିଷ୍ଟ ଗୁଜୁରାଟ ବିଧାନସଭାରେ ଦେଶର ସର୍ବପୁରାତନ ଦଳ କଂଗ୍ରେସ ମାତ୍ର ୧୭ ଟି ଆସନ ଜିତିବାକୁ ସକ୍ଷମ ହୋଇଥିଲା। ତେବେ ଦଳର ଏଭଳି ବିପର୍ଯ୍ୟୟର କାରଣ ଦଳ ବିରୋଧୀ କାର୍ଯ୍ୟ ବୋଲି ଅଭିଯୋଗ ହୋଇଥିଲା। ଏଭଳି ଅଭିଯୋଗ ପରେ ଗୁଜୁରାଟ କଂଗ୍ରେସର ଶୃଙ୍ଖଳା କମିଟିର ବୈଠକ ଚଳିତ ମାସରେ ଦୁଇ ଥର ବସିଥିଲା ଏବଂ ଏପର୍ଯ୍ୟନ୍ତ ମୋଟ ୯୫ ଜଣଙ୍କ ବିରୋଧରେ ୭୧ଟି ଅଭିଯୋଗ ଗ୍ରହଣ କରିଛି ବୋଲି ଶୃଙ୍ଖଳା କମିଟିର ଆବାହକ ବାଲୁଭାଇ ପଟେଲ ସାମ୍ବାଦିକମାନଙ୍କୁ କହିଛନ୍ତି।

ସେ କହିଛନ୍ତି ଯେ, ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଆମେ ୩୮ ଜଣ କାର୍ଯ୍ୟକର୍ତ୍ତା ଏବଂ କର୍ମୀଙ୍କୁ ଦଳରୁ ନିଲମ୍ବିତ କରିଛୁ। ଅନ୍ୟମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା ବ୍ୟତୀତ ଆଠ ଜଣ ଦଳୀୟ କର୍ମୀଙ୍କୁ ଚେତାବନୀ ଦିଆଯାଇଥିବା ଶ୍ରୀ ପଟେଲ କହିଛନ୍ତି।

ସୁରେନ୍ଦ୍ରନଗର ଜିଲ୍ଲା ସଭାପତି ରାଇୟାଭାଇ ରାଠୋଡ, ନର୍ମଦା ଜିଲ୍ଲା ସଭାପତି ହରେନ୍ଦ୍ର ଭାଲାଣ୍ଡ ଏବଂ ପୂର୍ବତନ ନାଣ୍ଡୋଡ ବିଧାୟକ ପି ଡି ଭାସାଭା ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ନିଲମ୍ବିତ ହୋଇଥିବା ୩୮ ଜଣଙ୍କ ମଧ୍ୟରେ ଅଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।

Related Posts