‘ଭାରତୀୟ ଯବାନଙ୍କ ବୀରତ୍ୱ ଆଗରେ ପଛଘୁଞ୍ଚା ଦେଇଥିଲା ଡ୍ରାଗନବାହିନୀ’; ଭାରତ-ଚୀନ୍ ମୁହାଁମୁହିଁ ନେଇ ସଂସଦରେ ରାଜନାଥ ସିଂ ବିବୃତ୍ତି

ଭୁବନେଶ୍ୱର,୧୩/୧୨ (ସତ୍ୟପାଠ ବ୍ୟୁରୋ): ଅରୁଣାଚଳପ୍ରଦେଶର ତୱାଙ୍ଗରେ ଭାରତ-ଚୀନ୍ ସେନା ମଧ୍ୟରେ ମୁହାଁମୁହିଁକୁ ନେଇ ଆଜି ସଂସଦରେ ବିବୃତ୍ତି ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏହି ପ୍ରସଙ୍ଗରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ବିରୋଧୀଙ୍କ ହଙ୍ଗମା ଭିତରେ ଗୃହରେ ବିବୃତ୍ତି ରଖିଛନ୍ତି ରାଜନାଥ । ଗୃହରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଗତ ଡିସେମ୍ବର ୯ ତାରିଖରେ ତୱାଙ୍ଗ ଅଞ୍ଚଳରେ ଚୀନ ସୈନ୍ୟଙ୍କ ଦ୍ୱାରା ଅନୁପ୍ରବେଶ ଉଦ୍ୟମ ହୋଇଥିଲା । ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି)ରେ ସୀମାରେଖା ପରିବର୍ତ୍ତନ କରିବାକୁ ପ୍ରୟାସ କରିଥିଲା ଡ୍ରାଗନ ସେନା । କିନ୍ତୁ ବୀର ଭାରତୀୟ ଯବାନଙ୍କ ସାହସିକତା ଆଗରେ ହାର ମାନି ପଛଘୁଞ୍ଚା ଦେଇଥିଲା ଡ୍ରାଗନବାହିନୀ । ଭାରତୀୟ ଯବାନ ଦୃଢତାର ସହ ମୁକାବିଲା କରି ଡ୍ରାଗନବାହିନୀକୁ ପଛକୁ ହଟିବାକୁ ବାଧ୍ୟ କରିଥିଲେ । ଏହି ସମୟରେ ଉଭୟ ଦେଶର ସେନା ଯବାନଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା । ଉଭୟ ଦେଶର ଯବାନ ଏଥିରେ ଆହତ ହୋଇଥିଲେ । ତେବେ କୌଣସି ଭାରତୀୟ ଯବାନ ସହିଦ ହୋଇନାହାନ୍ତି କି ଏଥିରେ କେହି ଗୁରୁତର ମଧ୍ୟ ହୋଇନାହାନ୍ତି । ତେବେ ଏହି ଘଟଣା ପରେ କୂଟନୈତିକ ସ୍ତରରେ ଆଲୋଚନା ଆରମ୍ଭ ହୋଇଛି । ଏକ ଫ୍ଲାଗ ମିଟିଂ ଜରିଆରେ ଏହି ଘଟଣା ଉପରେ ଆଲୋଚନା ହୋଇଛି ବୋଲି ଗୃହରେ ରାଜନାଥ କହିଛନ୍ତି ।

ଏହାସହ ରାଜନାଥ କହିଛନ୍ତି ଯେ, ଦେଶର ଅଖଣ୍ଡତା ଓ ସୀମାର ସୁରକ୍ଷା ପାଇଁ ଭାରତୀୟ ସେନା ପୂରା ପ୍ରତିବଦ୍ଧ । ଆଉ ଏଭଳି ଅତିକ୍ରମଣକୁ ରୋକିବାକୁ ସର୍ବଦାତ୍ତତତ୍ପର । ଯବାନଙ୍କ ସାହସିକତାକୁ ଆମ ସଂସଦ ଏକ ସ୍ୱରରେ ସମର୍ଥନ ଦେବ ବୋଲି ବିଶ୍ୱାସ । ଏହାସହ ପୁର୍ନବାର ଯେପରି ଏହି ଘଟଣାର ପୁନରାବୃତ୍ତି ନହୁଏ ସେଥିପାଇଁ ଚୀନକୁ କଡା ଚେତାବନୀ ମଧ୍ୟ ଦିଆଯାଇଛି ଏବଂ ସୀମାରେ ଶାନ୍ତି ବଜାୟ ରଖିବାକୁ କୁହାଯାଇଛି ।

ଅନ୍ୟପଟେ ଏହି ପ୍ରସଙ୍ଗରେ ଗୃହମନ୍ତ୍ରୀ ଅମିତ ଶାହା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଦେଶରେ ମୋଦୀ ସରକାର ଥିବା ଯାଏଁ ଇଞ୍ଚେ ଜମି ବି କେହି ଅକ୍ତିଆର କରିପାରିବେନି । ଭାରତୀୟ ବୀର ଯବାନଙ୍କୁ ସଲାମ ଯେଉଁମାନେ ମାଟି ମା’ର ସୁରକ୍ଷା ପାଇଁ ସୀମାରେ ଲଢେଇ କରିଛନ୍ତି । ୮ ଓ ୯ ଡିସେମ୍ବରରେ ଅରୁଣାଚଳପ୍ରଦେଶରେ ଚୀନ୍ ସେନା ଡ୍ରାଗନ ସେନା ଭାରତର ସୀମା ମଧ୍ୟକୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିବା ବେଳେ ଭାରତୀୟ ଯବାନ ଏହାର ମୁହଁତୋଡ ଜବାବ ଦେଇଛନ୍ତି ବୋଲି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ସେହିଭଳି କଂଗ୍ରେସକୁ ଟାର୍ଗେଟ କରି ଶାହା କହିଛନ୍ତି, କଂଗ୍ରେସ ସରକାର ସମୟରେ ୧୦୦୦ କିଲୋମିଟର ଭାରତର ଜମି ଚୀନ୍ ସେନା ଦ୍ୱାରା ଅବୈଧ ରୂପେ ହଡପ କରି ନିଆଯାଇଥିଲା । ନିଜ ସମ୍ପର୍କକୁ ସୁଦୃଢ କରିବାକୁ ଜାତିସଂଘରେ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ପଦକୁ ଚୀନ୍ ହାତକୁ ଟେକି ଦେଇଥିଲା କଂଗ୍ରେସ ସରକାର । ଆଉ ଏ ବାବଦରେ ଦେଶର ଜନତା ସବୁ ସତ ଜାଣିଛନ୍ତି ।

Related Posts