ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗଙ୍କୁ କଳାପତାକା ପ୍ରଦର୍ଶନ; ବିଜେଡି-ବିଜେପି କର୍ମୀ ଠେଲାପେଲା

ଭୂଆନେଶ୍ୱର,୧୩/୧୨(ସତ୍ୟପାଠ ବ୍ୟୁରୋ): ଆଜି ଭାଲେର-କୁରୁଲ ବ୍ରିଜ ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ଯାଉଥିବା ଲୋଇସିଂହାର ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କୁ କଳାପତାକା ପ୍ରଦର୍ଶନ କରିଛନ୍ତି ବିଜେଡି କର୍ମୀ। ତେବେ ଏନେଇ ଭାଲେର ଛକଠାରେ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ଠେଲାପେଲା ମଧ୍ୟ ହୋଇଥିଲା। ଏପରିକି ବିଧାୟକଙ୍କ ଗାଡ଼ି ଆଗକୁ ବିଜେଡି କର୍ମୀମାନେ ଆସି କଳା ପତାକା ପ୍ରଦର୍ଶନ କରିଥିଲେ। ଏହାକୁ ନେଇ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା। ଉଭୟ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ମୁହାଁମୁହାଁ ସ୍ଥିତି ସୃଷ୍ଟି ହୋଇଥିଲା। ପୁଇଁନ୍ତଳା ପୁଲିସ ଘଟଣାସ୍ଥଳରେ ପହଞ୍ଚିବେ ପରେ ସ୍ଥିତି ଶାନ୍ତ ପଡ଼ିଥିଲା।

ତେବେ ଏନେଇ ବିଜେଡି ନେତା ଭାଗିରଥି ସେଠୀ କହିଛନ୍ତି ଯେ, ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂହ ଭାଲେର-କୁରୁଲ ବ୍ରିଜ ପାଇଁ ପ୍ରୋଜେକ୍ଟ ସାଙ୍କସନ୍‌ କରିଥିଲେ। ହେଲେ ବିଜେପି ବିଧାୟକ କିଛି ନ କରି ନଡ଼ିଆ ପିଟିବାକୁ ଚାଲିଆସିଲେ। ଆମେ ତାକୁ ବିରୋଧ କରୁଛୁ। ଆଗାମୀ ଦିନରେ ମଧ୍ୟ ଆମେ ବିଧାୟକଙ୍କୁ ବିରୋଧ କରିବୁ।

ସେପଟେ କଳା ପତାକା ପ୍ରଦର୍ଶନକୁ ନେଇ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ଯେଉଁମାନେ ବିକାଶରେ ଆସ୍ଥା ରଖନ୍ତି ନାହିଁ ସେମାନେ ଏପରି ବିରୋଧ କରନ୍ତି। ହାତୀ ବାଟରେ ଗଲେ କୁକୁର ଭୁକେ। ଆମେ କୁକୁରକୁ ବେଶୀ ଗୁରୁତ୍ୱ ଦେଉ ନାହୁଁ।

ତେବେ ପୁଇଁନ୍ତଳା ଥାନା ଆଇଆଇସି ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି।

Related Posts