ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): NDA ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ଦ୍ରୌପଦୀ ମୁର୍ମୁ ଙ୍କ ପ୍ରାର୍ଥୀତ୍ବ ର ଶ୍ରେୟ ନେବା ପାଇଁ ଯେପରି ବିଜେପି ଓ ବିଜେଡି ମଧ୍ୟରେ ପ୍ରତିଯୋଗିତା ଚାଲିଛି। ଦ୍ରୌପଦୀ ବିଜେପି ନେତୃତ୍ଵାଧୀନ NDA ତରଫ ରୁ ପ୍ରାର୍ଥୀ ହୋଇଛନ୍ତି। ବିଜେଡି NDA ରେ ନଥିଲେ ମଧ୍ୟ ମାଟିର ଝିଅ କହି ତାଙ୍କୁ ସମର୍ଥନ ଘୋଷଣା କରିଛି । ସେପଟେ ଆଜି ବିଜେଡି ବିଧାୟକ ଭାଗିରଥୀ ସେଠି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବା ସମୟରେ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ୱ ନେଇ ପ୍ରସ୍ତାବ ଦେଇଥିଲେ । ଆଦିବାସୀ ଚେହେରା ଭାବେ ଓଡିଶାର ଝିଅ କୁ ଦେଶର ସର୍ବୋଚ୍ଚ ପଦବୀ ଲାଗି ସୁପାରିଶ କରିଥିଲେ । ଯେଉଁ ପ୍ରସ୍ତାବରେ ମୋହର ମାରିଥିଲେ ମୋଦୀ ।


ସେପଟେ ଦଳ ର ସୁପ୍ରିମୋ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ର ସମସ୍ତ ଭୋଟ ଯେପରି ଦ୍ରୌପଦୀ ଙ୍କୁ ଯାଏ ଏନେଇ ଅନ୍ୟ ଦଳ ର ବିଧାୟକ ମାନଙ୍କୁ ରାଜି କରିବାକୁ ଦଳର ନେତୃବୃନ୍ଦ ଙ୍କୁ ଦାଇତ୍ୱ ମଧ୍ୟ ଦିଆଯାଇଛି।
ବିଧାୟକ ଭାଗୀରଥୀ ସେଠୀଙ୍କ କଥାରୁ ତାର ସଂକେତ ମିଳୁଛି ଯେ ଏହି ପ୍ରସଙ୍ଗ ରେ ସମସ୍ତ ଶ୍ରେୟ ବିଜେଡି ନେବାକୁ ଚାହୁଁଛି । କାଲି ଦ୍ରୌପଦୀ ଓଡ଼ିଶା ଆସିବାକୁ ଥିବା ବେଳେ ତାଙ୍କୁ ସ୍ୱାଗତ ପାଇଁ ବିଜେଡି ଯେଉଁ ଭବ୍ୟ ଆୟୋଜନ କରିଛି ସେଥିରୁ ମଧ୍ୟ ଏଭଳି ଆଭାସ ମିଳୁଛି । ରାଷ୍ଟ୍ରପତି ପ୍ରାର୍ଥୀ ନିଜେ ରାଜ୍ୟରୁ ରାଜ୍ୟ ବୁଲି ବିରୋଧୀ ଦଳମାନଙ୍କୁ ଭୋଟ ମାଗୁଛନ୍ତି । କିନ୍ତୁ ଓଡ଼ିଶାରେ ବିଜେଡି ଗୋଟିଏ ପାଦ ଆଗକୁ ଯାଇ ରାଷ୍ଟ୍ରପତି ପ୍ରାର୍ଥୀ ଆସିବା ଆଗରୁ ଅନ୍ୟ ରାଜନୈତିକ ଦଳ ଓ ସ୍ୱାଧୀନ ବିଧାୟକଙ୍କୁ ଦ୍ରୌପଦୀଙ୍କ ସପକ୍ଷରେ ଭୋଟ ମାଗୁଛି ।