ଭୁବନେଶ୍ୱର, ୧୯/୧(ସତ୍ୟପାଠ ବ୍ୟୁରୋ): ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇ ସୋସିଆଲ ମିଡିଆରେ ଭାଇରାଲ କରିବା ଘଟଣାରେ ପଶ୍ଚିମବଙ୍ଗରୁ ଅଭିଯୁକ୍ତକୁ ଗିରଫ କରିଛି ପୁରୀ ପୁଲିସ । ଅଭିଯୁକ୍ତ ଅନିମେଶ ଚକ୍ରବର୍ତ୍ତୀଙ୍କୁ ପଶ୍ଚିମବଙ୍ଗରୁ ଗିରଫ କରାଯାଇଛି । ବାରାକପୁର କମିସନରେଟର ନିମତା ଥାନା ଅଞ୍ଚଳରେ ଅନିମେଶ ବୁଲାବୁଲି କରୁଥିବା ବେଳେ ସିଟି ଡିଏସପି କେ କୋଣ୍ଡାଦର ହରିପ୍ରସାଦଙ୍କ ନେତୃତ୍ୱରେ ଏକ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।
ଆଜି ଅଭିଯୁକ୍ତକୁ ପୁରୀ ପୁଲିସ ବାରାକପୁର କୋର୍ଟରେ ହାଜର କରିବ । କୋର୍ଟଙ୍କ ଅନୁମତି ମିଳିବା ପରେ ଟ୍ରାନଜିଟ ରିମାଣ୍ଡରେ ପୁରୀକୁ ଅଣାଯିବ ବୋଲି ସିଟି ଡିଏସପି କେ କୋଣ୍ଡାଦର ହରିପ୍ରସାଦ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ଗତ ନଭେମ୍ବର ୧୯ ତାରିଖରେ ୟୁନିଫାଏଡ ଅନିମେଶ ଓ ୟୁନିଫାଏଡ ମୁଭିର ୱାଟର ମାର୍କ ଥାଇ ୟୁଟ୍ୟୁବରେ ଶ୍ରୀମନ୍ଦିରର ଭିଡିଓ ଅପଲୋଡ କରାଯାଇଥିଲା । ଏହି ଭିଡିଓରେ ଶ୍ରୀମନ୍ଦିର ଉପର ଓ ଭିତର ବେଢାର ସ୍ପଷ୍ଟ ଦୃଶ୍ୟ ରହିଥିଲା । ଶ୍ରୀମନ୍ଦିର ପରିସର ନୋଫ୍ଲାଇଂ ଜୋନ ହୋଇଥିଲେ ମଧ୍ୟ ଏଠାରେ ଡ୍ରୋନ ଉଡାଯାଇଥିଲା। ସୋସିଆଲ ମିଡିଆରେ ଏହି ଭିଡିଓ ବହୁଳ ପ୍ରସାରିତ ହେବା ପରେ ଏନେଇ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଥିଲା । ମାମଲା ରୁଜୁ କରି ପୁଲିସ ଅଭିଯୁକ୍ତ ଅନିମେଶ ଚକ୍ରବର୍ତିଙ୍କୁ ହାଜର ପାଇଁ ନୋଟିସ ପଠାଇଥିଲା । ହେଲେ ଅନିମେଶ ନୋଟିସ ପାଇ ମଧ୍ୟ ପୁରୀ ସିଂହଦ୍ୱାରା ଥାନାରେ ହାଜର ହୋଇନଥିଲେ । ତେଣୁ ତାଙ୍କ ବିରୋଧରେ ଏନବିଡବ୍ଲୁ ଜାରି କରାଯିବା ସହ ତାଙ୍କ ମୋବାଇଲକୁ ଟ୍ରାକିଂ କରି ପଶ୍ଚିମବଙ୍ଗରୁ ପରୀ ପୁଲିସ ଗିରଫ କରିଛି ।
