
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ତୁଟିଲା ଭୁଆଶୁଣି ଡମ୍ପିଂୟାର୍ଡ ବିବାଦ, ଆଜିଠୁ ଉଠିଲା ଅଳିଆ । ୨୦ ଦିନ ପରେ ଗାଡକଣସ୍ଥିତ ଟିଟିଏସରୁ ଉଠିଲା ଅଳିଆ । ଟ୍ରକ ଯୋଗେ ଟିଟିଏସରୁ ଭୁଆଶୁଣି ଡମ୍ପିଂୟାର୍ଡକୁ ସ୍ଥାନାନ୍ତର କରାଯାଉଛି ଅଳିଆ । ଦୈନିକ ଦୁଇ ଶହ ଟ୍ରକରେ ଉଠିବ ଅଳିଆ ।ପର୍ଯ୍ୟାୟ କ୍ରମେ ଟ୍ରକ ସଂଖ୍ୟା ହ୍ରାସ କରାଯିବ । ଏବଂ ୯ମାସ ମଧ୍ୟରେ ଅଧିକ କ୍ଷମତା ବିଶିଷ୍ଟ ଏମସିସି ପ୍ରତିଷ୍ଠା କରାଯିବ ବୋଲି ବିଏମସି କହିଛି।
ଭୁବନେଶ୍ବରର ଦୈନିକ ନିର୍ଗତ ହେଉଥିବା ଆଳିଆକୁ ଭୁବନେଶ୍ବର ଭିତରେ ଏମସିସି ଓ ଏମଆରଏଫ ଜରିଆରେ ପୃଥକୀକରଣ ଓ ପ୍ରକ୍ରିୟାକରଣ କରି ପରିଚାଳନା କରାଯିବ । ଦାରୁଠେଙ୍ଗ ପଞ୍ଚାୟତବାସୀଙ୍କ ସହଯୋଗକୁ ଧନ୍ୟବାଦ ଜଣାଇଛନ୍ତି ଉଭୟ ମେୟର ଓ କମିଶନର । ଡ଼ମ୍ପିୟାର୍ଡର ସ୍ଥାୟୀ ସମାଧାନ ପାଇଁ ବିଏମସି ନିର୍ଦ୍ଧାରିତ ସମୟ ମଧ୍ୟରେ କ’ଣ ପଦକ୍ଷେପ ନେଉଛି ତାହାର ନିୟମିତ ବ୍ୟବଧାନରେ ସମୀକ୍ଷା କରିବେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସଚିବ । ସେହିଭଳି ବିଏମସି କମିଶନର ଓ ଦାରୁଠେଙ୍ଗ ସରପଞ୍ଚଙ୍କ ମଧ୍ୟରେ ନିୟମିତ ବ୍ୟବଧାନରେ ସମନ୍ୱୟ ବୈଠକ ମଧ୍ୟ ବସିବ ।