ରବି ଶଙ୍କର ପ୍ରସାଦଙ୍କ ସମୟରେ ଆଇଟି ମନ୍ତ୍ରଣାଳୟରେ ହୋଇଛି ବଡ ଘୋଟାଲ ? କଂଗ୍ରେସ କହିଲା – କେବଳ ମନ୍ତ୍ରୀ ପଦରୁ ହଟାଇବା ଯଥେଷ୍ଟ ନୁହେଁ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଆଇଟି ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିବାଦ ଘେରକୁ ଆସିଛନ୍ତି ରଵି ଶଙ୍କର ପ୍ରସାଦ। CAG ର ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ଆଧାରରେ କଂଗ୍ରେସ ଅଭିଯୋଗ କରିଛି ଯେ ଅନିୟମିତତା ଯୋଗୁଁ କେନ୍ଦ୍ର ଆଇଟି ମନ୍ତ୍ରଣାଳୟର ‘ଭାରତ ନେଟ’ କାର୍ଯ୍ୟକ୍ରମ ସିଥିଳ ପଡିଛି । ଏହି ଘଟଣାରେ ପୂର୍ବତନ ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ଭୂମିକା ଥିବା ଦର୍ଶାଇ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଏବେ ରବିଶଙ୍କର ପ୍ରସାଦ ଏବଂ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିଛି। ଦଳ ପକ୍ଷରୁ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରାଯାଇଛି। ତେବେ କଂଗ୍ରେସର ଅଭିଯୋଗ ଉପରେ ସରକାରଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ।

 କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା ଟ୍ୱିଟ୍ କରି କହିଛନ୍ତି ଯେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର CAG ରିପୋର୍ଟରେ ଅନିୟମିତତା ଥିବା ଦର୍ଶାଯାଇଛି। ସେ ପ୍ରଶ୍ନ କରିଛନ୍ତି ଯେ ଟେଲିକମ୍ ବିଭାଗ ଏବଂ ଭାରତ ସରକାର ଟେଣ୍ଡର ବିନା ଚୁକ୍ତିନାମା ପ୍ରଦାନ କରିଥିଲେ କି ?  କୌଣସି ଆନୁଷ୍ଠାନିକ ଚୁକ୍ତି ବିନା କୋଟି କୋଟି ଟଙ୍କା ପ୍ରଦାନ କରାଯାଇପାରିବ କି ?  ଏଥିପାଇଁ କିଏ ଦାୟୀ?  ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଉତ୍ତର ଦେବେ କି ?” 

  ରିପୋର୍ଟ ଅନୁଯାୟୀ CAG ରିପୋର୍ଟରେ ବିହାରରେ ଏକ ମାମଲା ଉଲ୍ଲେଖ କରାଯାଇଛି ଯେଉଁଠାରେ ଏକ ସରକାରୀ ଚୁକ୍ତିନାମା ହୋଇଥିବା କାମ ପାଇଁ ବିନା ଟେଣ୍ଡରରେ ଏକ ଘରୋଇ କମ୍ପାନୀକୁ ଦିଆଯାଇଥିଲା।  ଏହା ସମ୍ପର୍କରେ ଦଳର ମୁଖପାତ୍ର ପୱନ ଖେରା କହିଛନ୍ତି ଯେ CAG ର ମଧ୍ୟବର୍ତ୍ତୀକାଳୀନ ରିପୋର୍ଟରେ କୁହାଯାଇଛି ଯେ ଜୁଲାଇ, 2019 ରୁ ଡିସେମ୍ବର, 2020 ପର୍ଯ୍ୟନ୍ତ ଏହି ମନ୍ତ୍ରଣାଳୟ ଅଧୀନରେ ଫାଇବର କେବୁଲର ରକ୍ଷଣାବେକ୍ଷଣ ତଥା ପରିଚାଳନା ପାଇଁ କୋଟି କୋଟି ଟଙ୍କା CSC ପ୍ରଦାନ କରାଯାଇଛି। 

 ତାଙ୍କ କହିବାନୁସାରେ, ସମସ୍ତ ବେସରକାରୀ କମ୍ପାନୀଗୁଡିକ “ୟୁନିଭର୍ସାଲ୍ ସର୍ଭିସ୍ ଓବ୍ଲିଗେସନ ଫଣ୍ଡ୍” (USOF) ରେ ସହଯୋଗ କରିବାକୁ ପଡିବ । CAG ରିପୋର୍ଟରେ କୁହାଯାଇଛି ଯେ ‘ଭାରତ ନେଟ୍’ର କାର୍ଯ୍ୟରେ ବିଳମ୍ବ ହେତୁ USOF CSC ଉପରେ ଦଣ୍ଡବିଧାନ କରିପାରିବ ନାହିଁ । ସେବା ଚୁକ୍ତିନାମା ଅଭାବରୁ CSC କୁ କୌଣସି ପ୍ରତିବନ୍ଧ ଲଗାଯାଇ ନଥିଲା ଏବଂ ଭୁଲ୍ ସଂଶୋଧନ ପାଇଁ ସମୟସୀମା ନଥିଲା।’

 ସେ ଅଭିଯୋଗ କରିଛନ୍ତି ଯେ DoT ପରୋକ୍ଷରେ CSC-SPV ଏବଂ ଏହାର ସମ୍ପୂର୍ଣ୍ଣ ମାଲିକାନା ସଂସ୍ଥା ‘CSC ୱାଇ-ଫାଇ ଚୋପାଲ୍ ସର୍ଭିସେସ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍’ ମାଧ୍ୟମରେ ଘରୋଇ କମ୍ପାନୀଗୁଡିକୁ ଚୁକ୍ତିନାମା ପ୍ରଦାନ କରୁଛି।  କଂଗ୍ରେସ ପ୍ରବକ୍ତା କହିଛନ୍ତି ଯେ ଏକ ଘରୋଇ ସଂସ୍ଥା କେବଳ ସରକାରୀ ପରିସରରୁ କାମ କରୁନାହିଁ ବରଂ ଅଶୋକା ସ୍ତମ୍ଭ ରଖି ଏକ ସରକାରୀ କମ୍ପାନୀର ଭ୍ରମ ସୃଷ୍ଟି କରୁଛି। 

 ଏହି ମାଧ୍ୟମ ମାଧ୍ୟମରେ କୋଟି କୋଟି ଟଙ୍କା ଲୁଟି ନେଇଥିବା ସେ ଅଭିଯୋଗ କରିଛନ୍ତି।  ଖେଡା ପ୍ରଶ୍ନ କରିଛନ୍ତି ଯେ , କେବଳ କ୍ୟାବିନେଟ ମନ୍ତ୍ରୀଙ୍କ ଇସ୍ତଫା ନେବା ଯଥେଷ୍ଟ ହେବ କି ?  ବିଜେପି ଏବଂ CAC-SPV ମଧ୍ୟରେ କେଉଁ ସମ୍ପର୍କ ରହିଛି ?  କୌଣସି ଘରୋଇ କମ୍ପାନୀ ଅଶୋକ ସ୍ତମ୍ଭର ବ୍ଯବହାର କେମିତି କଲା ଏବଂ ବର୍ତ୍ତମାନ କେତୋଟି କମ୍ପାନୀ ଏମିତି କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ?  ଟେଲିକମ୍ ମନ୍ତ୍ରଣାଳୟରେ ଚାଲିଥିବା ଏଭଳି ଘୋଟାଲାର ଉଚ୍ଚ ସ୍ତରୀୟ ତଥା ନିରପେକ୍ଷ ତଦନ୍ତ ହେବା ଉଚିତ ବୋଲି ସେ କହିଛନ୍ତି।

Related Posts