ପୃଥିବୀ ଆଗାମୀ ଦିନମାନଙ୍କରେ ଆହୁରି ଭୀଷଣ ପ୍ରାକୃତିକ ବିପର୍ଯ୍ୟର ସମ୍ମୁଖୀନ ହେବ: ମିଳିତ ଜାତିସଂଘଙ୍କ ଚେତାବନୀ

ଜେନେଭା : ଆଗକୁ ପୃଥିବୀ ଆଡ଼କୁ ମାଡି ଆସୁଛି ଘୋର ବିପଦ ।ପ୍ରାକୃତିକ ବିପର୍ଯ୍ୟୟ ଓ ରୋଗ ଆଦିରେ ଅସ୍ତବ୍ୟସ୍ତ ହେଉଥିବା ପୃଥିବୀ ଆଗାମୀ ଦିନମାନଙ୍କରେ ଆହୁରି ଭୀଷଣ ପ୍ରାକୃତିକ ବିପର୍ଯ୍ୟର ସମ୍ମୁଖୀନ ହେବ। ୨୦୧୫ ମସିହାରୁ ପୃଥିବୀ ବାର୍ଷିକ ପ୍ରାୟ ୪ଶହଟି ଏହିପରି ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ଯାହା ୨୦୩୦ ବେଳକୁ ୫୬୦କୁ ବୃଦ୍ଧିପାଇପାରେ ବୋଲି କୁହାଯାଇଛି। ମିଳିତ ଜାତି ସଂଘଙ୍କ ଅଫିସ ଫର ଦି ଡିଜାଷ୍ଟର ରିସ୍କ ରିଡକ୍ସନଙ୍କ ଏକ ରିପୋର୍ଟରେ ଏହିପରି ଚେତାବନୀ ଦିଆଯାଇଛି।

ଅନ୍ୟପକ୍ଷରେ ୧୯୭୦ରୁ ୨୦୦୦ ମସିହା ପର୍ଯ୍ୟନ୍ତ ସମୟର ଅନୁଶୀଳନ କଲେ ସେତେବେଳେ ବାର୍ଷିକ ମଧ୍ୟମରୁ ବୃହତ୍ତ ବିପର୍ଯ୍ୟୟ ସଂଖ୍ୟା ପ୍ରାୟ ୯୦ରୁ ୧୦୦ ମଧ୍ୟରେ ରହୁଥିଲା। ଗତବର୍ଷ ତୁଳନାରେ ଚଳିତବର୍ଷ ଅଧିକ ଗ୍ରୀଷ୍ମ ଅନୁଭୂତ ହେଉଛି ଓ ଋତୁ ମଧ୍ୟ ଖୁବଶୀଘ୍ର ଆରମ୍ଭ ହୋଇଛି। ଯଦି ପରିସ୍ଥିତି ଏପରି ରହେ ତେବେ ୨୦୩୦ ମସିହା ବେଳକୁ ଗରମ ପବନ ବହିବାର ଧାରା ଚରମ ପର୍ଯ୍ୟୟକୁ ପହଞ୍ଚିଥିବ।

ଜଳବାୟୁ ପରିବର୍ତ୍ତନ କାରଣରୁ କେବଳ ପ୍ରାକୃତିକ ବିପର୍ଯ୍ୟୟ ନୁହେଁ କୋଭିଡ-୧୯, ଆର୍ଥିକ ମାନ୍ଦାବସ୍ଥା ଓ ଖାଦ୍ୟ ସମସ୍ୟା ମଧ୍ୟ ଉପୁଜୁଛି। ତେବେ ଏପରି ବିପର୍ଯ୍ୟୟ ଯୋଗୁ ଆମକୁ କେତେ କ୍ଷତି ସହିବାକୁ ହେଉଛି ସେ ବାବଦେ ଲୋକଙ୍କୁ ସମାନ୍ୟତମ ଧାରଣା ମଧ୍ୟ ନାହିଁ ବୋଲି ଡିଜାଷ୍ଟର ରିସ୍କ ରିଡକ୍ସନ ଅଫିସଙ୍କ ମୁଖ୍ୟ ମାମି ମିଜତୋରୀ କହିଛନ୍ତି। ଏଣୁ ଆମେ ଯଦି ପରିସ୍ଥିତିକୁ ସନ୍ତୁଳିତ କରିବାରେ ସକ୍ଷମ ନ ହୁଏ ତେବେ ଆଗକୁ ଯେଉଁ ସବୁ କ୍ଷୟକ୍ଷତି ହେବ ତାର ଭରଣା କରିବା ମଧ୍ୟ ଆମପକ୍ଷେ ଆଉ ସମ୍ଭବ ହୋଇ ନପାରେ ବୋଲି ସେ ଚେତାଇ ଦେଇଛନ୍ତି।

ଏବେ ଆମର ୯୦ ପ୍ରତିଶତ ପାଣ୍ଠି କେବଳ ବିପର୍ଯ୍ୟୟ କ୍ଷତିପୂରଣ ପ୍ରଦାନରେ ବ୍ୟୟ ହେଉଛି। ପୁନନିର୍ମାଣ ଲାଗି ୬ ପ୍ରତିଶତ ବ୍ୟୟ ହେଉଥିବା ବେଳେ ବିପର୍ଯ୍ୟୟ ରୋକିବାକୁ ମାତ୍ର ୪ ପ୍ରତିଶତ ବ୍ୟୟ କରୁଛେ। ୧୯୯୦ ମସିହାରେ ପ୍ରାକୃତିକ ବିପର୍ଯୟ ଯୋଗୁ ସାରା ବିଶ୍ୱରେ ବାର୍ଷିକ ୭୦ ବିଲିନ ଡଲାରର କ୍ଷୟକ୍ଷତି ହୋଇଥିଲା। ଯାହା ବର୍ତ୍ତମାନ ୧୭୦ କୋଟିକୁ ପହଞ୍ଚିସାରିଲାଣି। ତେବେ ପୂର୍ବ ତୁଳନାରେ ଜନହାନୀ ହାରରେ ହ୍ରାସ ଦେଖାଯାଇଛି। ସମୟ ପୂର୍ବରୁ ସତର୍କତା ଜାରିକରି ଦିଆଯାଉଥିବାରୁ କ୍ଷୟକ୍ଷତି ଅନେକ ପରିମାଣରେ ହ୍ରାସ ହେଉଛି।

ଯଦି ସମାଜ ଚିନ୍ତାକରିବାର ଉପାୟ ପରିବର୍ତ୍ତନ ନ କରେ ଆସିବାକୁ ଥିବା ବିପର୍ଯ୍ୟୟ ଲାଗି ଆଗରୁ ପ୍ରସ୍ତୁତି ନ କରେ ତେବେ ଆପଦାକୁ ବିପଦରେ ବଦଳିବାକୁ ସମୟ ଲାଗିବନି ବୋଲି ମିଜତୋରୀ କହିଛନ୍ତି।

Related Posts