ବ୍ୟାଙ୍କ ଋଣ ଠକେଇ ମାମଲାରେ ସମ୍ବଲପୁରସ୍ଥିତ ଭୂଷଣ ପାଓ୍ଵାର ଏଣ୍ଡ ଷ୍ଟିଲ୍ ପ୍ଲାଣ୍ଟକୁ ଆଟାଚ୍‌ କଲା ଇଡି

ବ୍ୟାଙ୍କ ଜାଲିଆତି ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ । ବେଆଇନ ଅର୍ଥ ଦେଣନେଣ ମାମଲାରେ ଓଡ଼ିଶାରେ ଥିବା ଭୂଷଣ ପାୱାର ଓ ଷ୍ଟିଲ ଲିମିଟେଡ- BPSLର ୪୦୨୫ କୋଟି ୨୩ ଲକ୍ଷ ଟଙ୍କାର ସମ୍ପତି ଆଟାଚ୍‌ କରିଛି ଇଡି । ବେଆଇନ ଅର୍ଥ ଦେଣନେଣ ଆଇନ PMLA ଅନୁସାରେ ପ୍ରାରମ୍ଭିକ ଭାବେ ୪୦୨୫ କୋଟିର ସମ୍ପତି ଆଟାଚ ହୋଇଥିବା ନେଇ ଇଡି ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି । ଆଟାଚ ସମ୍ପତିରେ ଜମି, କୋଠା, ପ୍ଲାଣ୍ଟ ଓ ଯନ୍ତ୍ରପାତି ସହ ଅସ୍ଥାବର ସମ୍ପତି ରହିଛି । ସିବିଆଇର ଏତଲା ପରେ IPC ଓ ଦୁର୍ନୀତି ନିରୋଧ ଆଇନ ବିଭିନ୍ନ ଧାରା ଆଧାରରେ ତଦନ୍ତ ଚଳାଇଥିଲା ଇଡି । ପ୍ରାରମ୍ଭିକ ତଦନ୍ତରେ ଭୂଷଣ ପାୱାର ଓ ଷ୍ଟିଲ କମ୍ପାନି ପକ୍ଷରୁ ବିଭିନ୍ନ ବ୍ୟାଙ୍କ ଓ ଅର୍ଥ ପ୍ରଦାନକାରୀ ସଂସ୍ଥାରୁ ବିଭିନ୍ନ କାରଣ ଦେଖାଇ ନିଆଯାଇଥିବା ଋଣ ହଡ଼ପ କରାଯାଇଥିବା ଜଣାପଡ଼ିଛି । ବ୍ୟାଙ୍କ ଋଣକୁ ଡାଇଭର୍ଟ କରି ୬୯୫ କୋଟିର ଲଙ୍ଗ ଟର୍ମ କ୍ୟାପିଟାଲ ଗେନ୍‌ ବାବେ ଦେଖାଯାଇଥିବା ED କହିଛି । ଯେଉଁଥି ପାଇଁ କମ୍ପାନି ଆୟକର ଛାଡ଼ ମଧ୍ୟ ପାଇଥିଲା । ମିଥ୍ୟା କିଣାବିକା ଦେଖାଇ RTGSରେ ଟଙ୍କା ପଠାଯାଇଥିବା ମଧ୍ୟ ଜଣାପଡ଼ିଛି । ଏହାଛଡ଼ା ବିଭିନ୍ନ ବ୍ୟାଙ୍କରୁ ମିଳିଥିବା ଋଣରୁ ୩୩୦୯ କୋଟି ୯ ଲକ୍ଷ ଟଙ୍କା ପ୍ରମୋଟର କମ୍ପାନିର ଇକ୍ବିଟି ଆକାରରେ ଦେଖାଇ ଡାଇଭର୍ଟ କରାଯାଇଥିବା ଜାଣିବାକୁ ପାଇଛି ED।

Related Posts