ଭୁବନେଶ୍ୱର, ୧୮/୧(ସତ୍ୟପାଠ ବ୍ୟୁରୋ): ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସରକାରୀ ବାସଭବନ ଉପରକୁ ଅଣ୍ଡାମାଡ଼ । ଛାତ୍ର କଂଗ୍ରେସ କର୍ମୀମାନେ ଏହି ଅଣ୍ଡା ମାଡ଼ କରିଛନ୍ତି। ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ମୃତ୍ୟୁ ଓ ରାଜଧାନୀ ଭୁବନେଶ୍ୱରରେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାର ପ୍ରତିବାଦରେ ଏହି ଅଣ୍ଡା ମାଡ଼ କରିଛି କଂଗ୍ରେସ। ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ତାଙ୍କ ବାସଭବନ ଆଗରେ ବିକ୍ଷୋଭ ମଧ୍ୟ କରିଛି। ଆନ୍ଦୋଳନ ବେଳେ ପୁଲିସ୍ ସହ ମୁହାଁମୁହିଁ ଓ ଧସ୍ତାଧସ୍ତି ହୋଇଛନ୍ତି ଛାତ୍ର କଂଗ୍ରେସ କର୍ମୀ।
ଆନ୍ଦୋଳନ କରୁଥିବା କଂଗ୍ରେସ କର୍ମୀ କହିଛନ୍ତି ଯେ, ଯେବେଠାରୁ ଏ ଅଯୋଗ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱରେ ଅଛନ୍ତି, ସେବେଠାରୁ ଭୁବନେଶ୍ୱରରେ ଆଇନ୍ଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଛି। ରାତି ସାରା ଦୁଇ ଜଣ ନାବାଳିକାଙ୍କୁ ଗଣ ଦୁଷ୍କର୍ମ କରାଯାଇଛି। ଏଥିରୁ ଜଣାପଡ଼ୁଛି ରାଜ୍ୟରେ ପୁଲିସ୍ ବୋଲି କିଛି ନାହିଁ। ନବୀନ ସରକାର ସମୟରେ ରାଜଧାନୀବାସୀ ଅସୁରକ୍ଷିତ ମଣୁଛନ୍ତି। ଏଠି ମହିଳା ଓ ଝିଅମାନେ ସୁରକ୍ଷିତ ନାହାନ୍ତି। ତେଣୁ ଅଯୋଗ୍ୟ ଗୃହରାଷ୍ଟ୍ରମନ୍ତ୍ରୀଙ୍କୁ ତୁରନ୍ତ ହଟାଯାଉ ବୋଲି କଂଗ୍ରେସ ଦାବି କରିଛି।
