
ନୂଆଦିଲ୍ଲୀ: ଆଜି ପବିତ୍ର ଇଦ ପର୍ବ ବା ଇଦ୍-ଉଲ-ଫିତର | ଇସଲାମ ଧର୍ମାବଲମ୍ବୀଙ୍କ ଆଜି ବଡ ପର୍ବ । ମାସ ଯାକ ନିଷ୍ଠାର ସହ ଉପବାସ ରଖିବା ପରେ ଆଜି ଦିନଟି ମୁସଲମାନ ସମ୍ପ୍ରଦାୟଙ୍କ ଜୀବନରେ ଆସେ ହର୍ଷୋଲ୍ଲାସର ପର୍ବ ହୋଇ । ଦୀର୍ଘ ଦୁଇ ବର୍ଷ ପରେ ଏହି ଭାଇଚାରାର ପର୍ବକୁ ଏକାଠି ମନାଇବେ ମୁସଲମାନ ଭାଇ ଭଉଣୀମାନେ । ସାରା ମସଜିଦ ଆଜି ନମାଜ ପାଠରେ କମ୍ପି ଉଠିବ । ସୃଷ୍ଟି କରିବ ଏକ ସାମୂହିକ ବାତାବରଣ ।
ଦୁଇ ବର୍ଷ ପରେ ଆଜି ଭାଇଚାରାର ପର୍ବ ଇଦ୍ରେ ଏକାଠି ହେଉଛନ୍ତି ମୁସଲିମ୍ ଭାଇ ଭଉଣୀମାନେ । ମସ୍ଜିଦ୍ ଯାଇ ନମାଜ ପାଠ କରିବା ସହିତ ଘରେ ପ୍ରସ୍ତୁତ କରୁଛନ୍ତି ସୁସ୍ୱାଦୁ ବ୍ୟଞ୍ଜନ । ରଙ୍ଗ ବେରଙ୍ଗର ପୋଷାକ ସହ ଗହଳିରେ ବାରି ହୋଇପଡ଼ିବ ଅତରର ବାସ୍ନା । ରାସ୍ତାଘାଟରେ ଦେଖିବାକୁ ମିଳିବ ମୁସଲିମ୍ ଭାଇଙ୍କ ଆଲିଙ୍ଗନର ଦୃଶ୍ୟ ।
କରୋନା କଟକଣା ହଟିବା ପରେ ଚମକିବ ଇଦ୍ ପର୍ବ । ଗୋଟିଏ ମାସ ଯାଏ ରୋଜା (ଉପବାସ) ରଖିବା ପରେ ମସଜିଦ୍ରେ ବିଭିନ୍ନ କାର୍ଯ୍ୟକ୍ରମ ସହ ଇଦ୍ ଗାହା ବା ଖୋଲା ପଡ଼ିଆକୁ ଯାଇ ସମୂହ ନମାଜ ପାଠ କରିବେ । ଇଦ୍ ପାଳନ ପାଇଁ ରମ୍ଜାନ୍ ମାସରେ ମାସକ ଯାଏ ମୁସଲିମ୍ ଭାଇ ଭଉଣୀମାନେ ‘ରୋଜା’ ଅର୍ଥାତ୍ ଉପବାସ ରଖି ନମାଜ ପାଠ କରିଥାନ୍ତି ।
୩୦ ଦିନ ଉପବାସ ରଖିବା ପରେ ଇଦ୍ ପର୍ବ ଆସିଥାଏ । ସାଧାରଣତଃ ଏହି ମାସକୁ ପୂରା ନିଷ୍ଠାର ସହ ପାଳନ କରାଯାଏ । ସନ୍ଧ୍ୟା ବେଳେ ପଢ଼ା ଯାଉଥିବା ନମାଜକୁ ତରାବି କୁହାଯାଏ । ଶେଷ ଦିନ ମୁସ୍ଲିମ୍ ଭାଇମାନଙ୍କ ସହ ମିଳନ ହୁଏ । ବନ୍ଧୁ ବାନ୍ଧବଙ୍କ ଘରକୁ ଉପହାର ନେଇ ଯିବା ସହ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥାଏ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପବିତ୍ର ଇଦ୍ ପର୍ବ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶୁଭେଚ୍ଛା ଜଣାଇବା ସହ ଟ୍ବିଟ କରି କହିଛନ୍ତି,”ଏହି ଶୁଭ ଅବସର ଆମ ସମାଜରେ ଏକତା ଏବଂ ଭାଇଚାରାର ମନୋଭାବକୁ ବଢ଼ାଇବ । ସାରା ଦେଶବାସୀ ସମସ୍ତେ ଉତ୍ତମ ସ୍ବାସ୍ଥ୍ୟ ଏବଂ ସମୃଦ୍ଧତା ଦ୍ବାରା ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ” ।
ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ ଇଦର ଶୁଭେଚ୍ଛା ଜଣାଇ ସମସ୍ତଙ୍କ ସୁଖ ଓ ସମୃଦ୍ଧି କାମନା କରିଛନ୍ତି ।
ରାଜ୍ୟପାଳ ଗଣେଶୀ ଲାଲ୍ ମଧ୍ୟ ରାଜ୍ୟବାସୀଙ୍କୁ ପବିତ୍ର ଇଦ୍ର ଅଭିନନ୍ଦନ ଜଣାଇଛନ୍ତି । ଶାନ୍ତି-ମୈତ୍ରୀ-ହର୍ଷୋଲ୍ଲାସର ଏହି ପର୍ବରେ ସମସ୍ତେ ସାମିଲ ହେବା ସହ ମୁସଲମାନ ଭାଇ ଭଉଣୀମାନଙ୍କ ସର୍ବାଙ୍ଗୀନ ବିକାଶ ନିମନ୍ତେ କାର୍ଯ୍ୟ କରିବାକୁ ରାଜ୍ୟପାଳ ଆହ୍ବାନ ଦେଇଛନ୍ତି ।