ଲାକ୍ଷାଦ୍ଵୀପ ପ୍ରଶାସକଙ୍କ ବିରୋଧରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୯୩ ଜଣ ପୂର୍ବତନ ସିଭିଲ୍ ସର୍ଭାଣ୍ଟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଗତ କିଛି ଦିନ ହେବ କେନ୍ଦ୍ର ଶାସିତ ପ୍ରଦେଶ ଲାକ୍ଷାଦ୍ଵୀପକୁ ନେଇ ଚର୍ଚ୍ଚା ଜୋର ଧରିଛି। ଲାକ୍ଷାଦ୍ଵୀପ ପ୍ରଶାସକଙ୍କ ଦ୍ବାରା ଅଣାଯାଇଥିବା ବିବାଦୀୟ ଆଇନକୁ ପ୍ରତ୍ୟାହାର କରିବା ସହିତ ପ୍ରଶାସକଙ୍କୁ ମଧ୍ୟ ହଟାଇବା ପାଇଁ ବିରୋଧୀ ଦଳ ଦାବି କରୁଛନ୍ତି। ଏହା ମଧ୍ୟରେ ୯୩ ଜଣ ପୂର୍ବତନ ସିଭିଲ୍ ସର୍ଭାଣ୍ଟ ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଲାକ୍ଷାଦ୍ଵୀପରେ ଘଟୁଥିବା ଘଟଣାକ୍ରମକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଲାକ୍ଷାଦ୍ଵୀପ ପାଇଁ ଭଲ ଶିକ୍ଷା ଓ ସ୍ବାସ୍ଥ୍ୟ ବ୍ୟବସ୍ଥା ସାଙ୍ଗକୁ ଏକ ବିକାଶର ମଡେଲ୍ ସୁନିଶ୍ଚିତ କରିବାକୁ ପିଏମ୍ ମୋଦୀଙ୍କୁ ଅନୁରୋଧ କରିଛନ୍ତି। ଭାରତର ଭୌଗୋଳିକ ଏବଂ ସାଂସ୍କୃତିକ ବିବିଧତା ମଧ୍ୟରେ ଲାକ୍ଷାଦ୍ଵୀପ ଏକ ନିଆରା ସ୍ଥାନ ଦଖଲ କରି କରିଛି। ଡିସେମ୍ବର ୨୦୨୦ରେ ପ୍ରଫୁଲ୍ଲ ଖେଡା ପଟେଲ୍ ଦ୍ବାରା ତିନୋଟି ବିବାଦୀୟ ଡ୍ରାଫ୍ଟକୁ ଏଥିରେ ହାଇଲାଇଟ୍ କରାଯାଇଥିଲା । ପଟେଲଙ୍କ ଦ୍ବାରା ପ୍ରସ୍ତାବିତ ଗୋ-ହତ୍ୟା ନିଷେଧାଦେଶ, ସାରା ଦେଶରେ ଲାକ୍ଷାଦ୍ଵୀପରେ ସବୁଠାରୁ କମ୍ କ୍ରାଇମ୍ ରେଟ୍ ସତ୍ତ୍ୱେ ଏକ ପ୍ରିଭେନସନ୍ ଡିଟେକ୍ସନ ଲ’ ଏବଂ ଲ୍ୟାଣ୍ଡ ଡେଭଲପମେଣ୍ଟ ରେଗୁଲେସନ(LDAR) ଭଳି କିଛି ବିବାଦୀୟ ଆଇନ ରହିଛି। ଲାକ୍ଷାଦ୍ଵୀପ ପଞ୍ଚାୟତ ନିୟମରେ ଏକ ସଂଶୋଧନ ଆଣିଛନ୍ତି ଯାହା ଦ୍ୱୀପ ତଥା ଦେଶ ବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି ବୋଲି ସେମାନେ ଚିଠିରେ କହିଛନ୍ତି। ସାମ୍ବିଧାନିକ ଆଚରଣ ବିଧି ଗୋଷ୍ଠୀ (ସିସିଜି) ଅଧୀନରେ ପୂର୍ବତନ ସିଭିଲ୍ ସର୍ଭାଣ୍ଟଙ୍କ ଦ୍ୱାରା ଲେଖାଯାଇଥିବା ଚିଠିରେ କୁହାଯାଇଛି ଯେ ଏହି ଡ୍ରାଫ୍ଟଗୁଡିକ ସ୍ଥାନୀୟ ଲୋକଙ୍କ ପରାମର୍ଶ ବିନା ଅଣାଯାଇଛି ଏବଂ ବର୍ତ୍ତମାନ ଗୃହ ମନ୍ତ୍ରାଳୟ, ଭାରତ ସରକାରଙ୍କ ଅନୁମୋଦନ ପାଇଁ ପ୍ରଦାନ କରାଯାଇଛି। ଚିଠିର ଏକ ନକଲ ଗୃହମନ୍ତ୍ରୀ ଅମିତ ଶାହା ଏବଂ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ମଧ୍ୟ ପଠାଯାଇଛି। ବିଗତ ୭୦ ବର୍ଷ ଧରି ଲକ୍ଷ୍ମୀଦୀପରେ କୌଣସି ବିକାଶ ହୋଇନଥିବା ଦର୍ଶାଇ ଲାକ୍ଷାଦ୍ଵୀପରେ “ମାଲଦ୍ୱୀପ ମଡେଲ” ରେ ରିସୋର୍ଟ, ହୋଟେଲ ଏବଂ ସି ବିଚ୍ କରାଯିବ ବୋଲି ପ୍ରଶାସକ ଯୁକ୍ତି ବାଢିଛନ୍ତି। ତେବେ ପ୍ରଶାସକଙ୍କ ଏହି ପ୍ରସ୍ତାବକୁ ବିରୋଧ କରି ସିଭିଲ୍ ସର୍ଭାଣ୍ଟ ମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ , ” ପ୍ରଶାସକଙ୍କ ଦ୍ବାରା ନିଆଯାଇଥିବା ପଦକ୍ଷେପ ବିକାଶ ପାଇଁ ନୁହେଁ ବରଂ କଷ୍ଟମ ପଲିସି ତିଆରି କରିବା ଏବଂ ଏହା ପାରମ୍ପାରିକ ପ୍ରକ୍ରିୟାକୁ ଉଲ୍ଲଂଘନ କରିଥାଏ। ଲାକ୍ଷାଦ୍ଵୀପ ଲୋକଙ୍କ ବିନା ପରାମର୍ଶରେ ନିଆଯାଇଥିବା ଏହି ନିଷ୍ପତ୍ତି ଦ୍ବୀପର ସମାଜିକ , ଆର୍ଥନୈତିକ ଏବଂ ଭୌଗୋଳିକ ମାନଚିତ୍ରକୁ ବଦଳାଇ ଦେବ। ଲାଗୁଛି ଏହି ନିଷ୍ପତ୍ତି ବାହ୍ୟ ଜଗତର ପର୍ଯ୍ୟଟକ ଏବଂ ନିବେଶକମାନଙ୍କ ପାଇଁ ନିଆଯାଇଛି। ଏହାଦ୍ୱାରା ଲାକ୍ଷାଦ୍ଵୀପ ରିଅଲ ଇଷ୍ଟେଟର ଏକ ଅଂଶ ହୋଇଯିବ । ” ପ୍ରଶାସକଙ୍କ ଦ୍ବାରା ନିଆଯାଇଥିବା ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ସେମାନେ ପିଏମ୍ ମୋଦୀଙ୍କୁ ନିବେଦନ କରିଛନ୍ତି । ଏହି ଗୋଷ୍ଠୀରେ ପୂର୍ବତନ ଆଇଏଏସ୍, ଆଇଏଫଏସ୍ ଏବଂ ଆଇପିଏସ୍ ଅଧିକାରୀ ତଥା ଲାକ୍ଷାଦ୍ଵୀପର ପୂର୍ବତନ ପ୍ରଶାସକ ମାନେ ମଧ୍ୟ ରହିଛନ୍ତି । ସୂଚନାଯୋଗ୍ୟ ଏହା ପୂର୍ବରୁ କେରଳ ବିଧାନସଭାରେ ଲାକ୍ଷାଦ୍ଵୀପ ପ୍ରଶାସକଙ୍କ ନିଷ୍ପତ୍ତି କୁ ବିରୋଧ କରି ଏକ ମିଳିତ ପ୍ରସ୍ତାବ ପାରିତ ହୋଇଛି। ସୋସିଆଲ ମିଡିଆରେ ମଧ୍ୟ ପ୍ରଶାସକଙ୍କ ପଦକ୍ଷେପକୁ ଲୋକମାନେ ବିରୋଧ କରୁଛନ୍ତି।

Related Posts