ଉଦ୍ଧବଙ୍କ ହାତ ଛାଡ଼ିବା ନେଇ କେତେ ସନ୍ତୁଷ୍ଟ ଶିବସୈନିକ ?, ଏକନାଥ ଶିନ୍ଦେ କରିବେ ସର୍ଭେ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଉଦ୍ଧବ ଠାକରେଙ୍କ ବିରୁଦ୍ଧରେ ବିଦ୍ରୋହ କରି ବିଜେପି ସହ ମିଶି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଏକନାଥ ଶିନ୍ଦେ। ବର୍ତ୍ତମାନ ଶିନ୍ଦେ ତାଙ୍କ ନିଷ୍ପତ୍ତିରେ ଶିବସୈନିକ ମାନେ କେତେ ସନ୍ତୁଷ୍ଟ ଅବା ଅସନ୍ତୁଷ୍ଟ ଅଛନ୍ତି ସେ ନେଇ ଚିନ୍ତିତ ଅଛନ୍ତି।ବର୍ତ୍ତମାନ ଉଦ୍ଧବ ଠାକରେଙ୍କ ପୁଅ ତଥା ରାଜ୍ୟର ପୂର୍ବତନ ମନ୍ତ୍ରୀ ଆଦିତ୍ୟ ଠାକରେ ଶିବସୈନିକଙ୍କୁ ତାଙ୍କ ସପକ୍ଷରେ କରିବା ତଥା ବିଶେଷ କରି ବିଦ୍ରୋହୀ ବିଧାୟକଙ୍କ ଅଞ୍ଚଳକୁ ଯିବା ପାଇଁ ରାଲିର ଆୟୋଜନ କରୁଛନ୍ତି। ଏପରିସ୍ଥଳେ ଶିନ୍ଦେ ଶିବସେନା ମଧ୍ୟରେ ଏକ ସର୍ଭେ କରିବାକୁ ଚିନ୍ତା କରୁଛନ୍ତି। ଏହା ମାଧ୍ୟମରେ ସେ ଜାଣିବାକୁ ଚାହାଁନ୍ତି ଯେ ବିଦ୍ରୋହର ନିଷ୍ପତ୍ତି ଉପରେ ଶିବସୈନିକ ମାନେ କ’ଣ ଭାବୁଛନ୍ତି। ସେ ବିଏମସି ନିର୍ବାଚନ ଏବଂ ପରେ ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ଯୋଜନା ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି। ସର୍ଭେ ଦ୍ୱାରା ଶିବ ସୈନିକଙ୍କ ମନୋବଳ ଜାଣିବା ପରେ ଯୋଜନା ସହଜ ହେବ ବୋଲି ସେ ଚିନ୍ତା କରୁଛନ୍ତି।

ଶିନ୍ଦେ କ୍ୟାମ୍ପ ମଧ୍ୟ ଏହି ସର୍ଭେ ପାଇଁ ଏକ ସଂସ୍ଥା ନିଯୁକ୍ତି କରିବାକୁ ଚାହୁଁଛି। ଶିବସେନାତା ମୋଟ ୫୪ ବିଧାୟକଙ୍କ ମଧ୍ୟରୁ ୪୦ ଜଣ ଶିନ୍ଦେଙ୍କ ଗୋଷ୍ଠୀରେ ଯୋଗ ଦେଇଛନ୍ତି। କିନ୍ତୁ ଦଳର କର୍ମୀ ମାନେ ତାଙ୍କୁ ସମର୍ଥନ କରିବେ କି ନାହିଁ ତାହା ଉପରେ ଶିନ୍ଦେଙ୍କର ସନ୍ଦେହ ରହିଛି। ଏଭଳି ପରିସ୍ଥିତିରେ, ଏହି ସର୍ଭେ ମାଧ୍ୟମରେ ସେ ଜନସାଧାରଣଙ୍କ ମନୋଭାବ ବୁଝିବାର ପ୍ରୟାସ କରିବେ । ସର୍ଭେ ପାଇଁ କର୍ଣ୍ଣାଟକ ସ୍ଥିତ ପବ୍ଲିକ ପଲିସି ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଏବଂ ଦିଲ୍ଲୀ ସ୍ଥିତ ନିର୍ବାଚନ ଅନୁସନ୍ଧାନ ସଂସ୍ଥା ସହିତ ଜଡିତ ଲୋକଙ୍କୁ ଶିନ୍ଦେ କ୍ୟାମ୍ପ ଭେଟିଛନ୍ତି। ଏପର୍ଯ୍ୟନ୍ତ ସର୍ଭେ ସମ୍ପର୍କରେ ଶିନ୍ଦେ କ୍ୟାମ୍ପ ପକ୍ଷରୁ କୌଣସି ବିବୃତ୍ତି ଦିଆଯାଇ ନାହିଁ। କିନ୍ତୁ ଏହା ଆଗାମୀ ନିର୍ବାଚନ ପାଇଁ ଏଭଳି କରାଯାଉଛି ବୋଲି ଚର୍ଚ୍ଚା ହେଉଛି। କୁହାଯାଉଛି ସର୍ଭେର ଏହି ଯୋଜନା ଏକନାଥ ଶିନ୍ଦେଙ୍କ ପୁଅ ଶ୍ରୀକାନ୍ତ ଶିନ୍ଦେଙ୍କର। ସେ ଦିଲ୍ଲୀର ସର୍ଭେ ଫାର୍ମର ଲୋକଙ୍କୁ ଭେଟିଛନ୍ତି।

ସୂଚନାଯୋଗ୍ୟ ଯେ, ସରକାର ଭାଙ୍ଗିବା ପାରେ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଏକ ଯାତ୍ରା ଆରମ୍ଭ କରିଛନ୍ତି। ସେ ଶିବ ସଂକଳ୍ପ ଯାତ୍ରା ଅନ୍ତିର୍ଗତ ସାରା ରାଜ୍ୟ ବୁଲୁଛନ୍ତି। ବିଶେଷକରି ଦଳ ବିରୋଧରେ ବିଦ୍ରୋହ କରିଥିବା ବିଧାୟକଙ୍କ ଅଞ୍ଚଳ ପରିଦର୍ଶନ କରୁଛନ୍ତି। ସେ ଶିବସୈନିକଙ୍କୁ ନିବେଦନ କରୁଛନ୍ତି ଯେ ଯେଉଁମାନେ ପ୍ରକୃତ କର୍ମୀ ସେମାନେ ତାଙ୍କ ସହିତ ଆସନ୍ତୁ। କୁହାଯାଉଛି ଯେ ଶିବ ସୈନିକଙ୍କର ଏକ ଗୋଷ୍ଠୀ ମଧ୍ୟ ଶିନ୍ଦେ କ୍ୟାମ୍ପ ବିଦ୍ରୋହକୁ ଏକ ପ୍ରତାରଣା ଭାବରେ ଦେଖୁଛି। ଏଭଳି ପରିସ୍ଥିତିରେ ଆଗାମୀ ଦିନରେ ଶିବସୈନିକଙ୍କ ମନୋଭାବ କ’ଣ ହେବ ତାହା ନେଇ ନାନା କଳ୍ପନାଜଳ୍ପନା ଜାରି ରହିଛି।

Related Posts