ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ନିର୍ବାଚନ ଆୟୋଗଙ୍କ ସ୍ବାୟତ୍ତତା ମାମଲାରେ ସୁପ୍ରିମକୋର୍ଟର ସମ୍ବିଧାନିକ ବେଞ୍ଚ କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଓ ଆଇନ ମନ୍ତ୍ରଣାଳୟକୁ ନୋଟିସ ଜାରି କରିଛନ୍ତି। ନଭେମ୍ବର ୧୭ରେ ସୁପ୍ରିମକୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରିବେ। ତିନି ଜଣ କମିଶନରଙ୍କୁ ସମାନ ଅଧିକାର ମିଳିବା ଉଚିତ, ଅର୍ଥାତ ମୁଖ୍ୟ ନିର୍ବାଚନ କମିଶନଙ୍କ ଅଧିକାର ଅନ୍ୟ ଦୁଇଜଣଙ୍କୁ ଦିଆଯାଉ ବୋଲି ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଛି।
ଏହା ସହିତ ଏହି ଆବେଦନରେ ଦର୍ଶାଯାଇଛି ଯେ, ଯଦି ଆବଶ୍ୟକ ହୁଏ, ନିର୍ବାଚନ କମିଶନଙ୍କୁ ହଟାଇବା ପାଇଁ ମହାଭିଯୋଗ ପ୍ରକ୍ରିୟା ଗ୍ରହଣ କରାଯିବା ଉଚିତ। ମୁଖ୍ୟ ନିର୍ବାଚନ କମିଶନର ଏବଂ ନିବାଚନ କମିଶନରଙ୍କ ନିଯୁକ୍ତି ପାଇଁ ଏକ ନିରପେକ୍ଷ ଏବଂ ସ୍ବଚ୍ଛ ପ୍ରକ୍ରିୟା ହେବା ଉଚିତ ବୋଲି ଆବେଦନରେ କୁହାଯାଇଛି। ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ବିଚାରପତି ନିଯୁକ୍ତି ପାଇଁ କରାଯାଉଥିବା ନିରପେକ୍ଷ ପ୍ରକ୍ରିୟାକୁ ଏହି ଆବେଦନରେ ଦର୍ଶାଯାଇ ଆବେଦନରେ କୁହାଯାଇଛି ଯେ, ଭାରତର ନିର୍ବାଚନ ଆୟୋଗରେ ମୁଖ୍ୟ ନିର୍ବାଚନ କମିଶନର ଏବଂ ନିର୍ବାଚନ କମିଶନରଙ୍କ ନିଯୁକ୍ତି ପାଇଁ ମଧ୍ୟ ସମାନ ପ୍ରକ୍ରିୟା ଲାଗୁ ହେବା ଜରୁରୀ।
