ନୂଆବର୍ଷରୁ ନୂଆ ନିୟମ; ଚୀନ ସମେତ ୬ ଦେଶରୁ ଆସୁଥିବା ଲୋକଙ୍କ ପାଇଁ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ

ଭୁବନେଶ୍ଵର,୨୯/୧୨(ସତ୍ୟପାଠ ବ୍ୟୁରୋ): ଚୀନ ସମେତ ଅନ୍ୟ କେତେକ ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ଏବେ ଭାରତର ଚିନ୍ତା ବଢ଼ାଇଛି। ତେବେ ଭାରତରେ ସମ୍ଭାବ୍ୟ କରୋନା ସ୍ଥିତିକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ଯେ, ଆସନ୍ତା ୨୦୨୩ ଜାନୁଆରୀ ୧ ରୁ ଚୀନ, ହଂକଂ, ଜାପାନ, ଦକ୍ଷିଣକୋରିଆ, ସିଂଗାପୁର ଓ ଥାଇଲାଣ୍ଡରୁ ଭାରତ ଆସୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯିବ । ଏହାସହ ସେଠାରୁ ଯାତ୍ରା କରିବା ପୂର୍ବରୁ ସେମାନଙ୍କର କୋଭିଡ ରିପୋର୍ଟ ବିମାନ ସୁବିଧା ପୋର୍ଟାଲରେ ଅପଲୋଡ କରିବା ବାଧ୍ୟତାମୂଳକ ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧିକାରୀଙ୍କ ମୁତାବକ ଏହି ୬ଟି ଦେଶରୁ ଭାରତ ଆସୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ ଆରଟିପିସିଆର ନେଗେଟିଭ ରିପୋର୍ଟ ଜମା କରିବା ବାଧ୍ୟତାମୂଳକ । କେନ୍ଦ୍ର ସରକାର ଏଭଳି ନିୟମ ସେତେବେଳେ ଆଣିଛନ୍ତି ଯେତେବେଳେ ବୈଜ୍ଞାନିକମାନେ ମତ ରଖିଛନ୍ତି ଯେ, ଆଗାମୀ ୪୦ ଦିନ ଦେଶପାଇଁ ମହତ୍ୱପୂର୍ଣ୍ଣ । ସେପଟେ ଜାନୁଆରୀ ଠାରୁ କୋଭିଡ ସଂକ୍ରମଣ ଆହୁରି ବଢିବ ବୋଲି ସେମାନେ ଆକଳନ କରିଛନ୍ତି ।

ଅନ୍ୟପଟେ କେନ୍ଦ୍ର ସରକାର ଏହା ପୂର୍ବରୁ ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ବିମାନବନ୍ଦରରେ ରେଣ୍ଡମ ସାମ୍ପେଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ବୁଧବାର ଦିନ ଜଣେ ଅଧିକାରୀ କହିଥିଲେ ଏଥିରେ ୬ ହଜାର ଲୋକଙ୍କର ପରୀକ୍ଷା କରାଯାଇଥିବା ବେଳେ ୩୯ ଜଣ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଚୀନ ଓ ଦକ୍ଷିଣକୋରିଆ ସମେତ କିଛି ଦେଶରେ କୋଭିଡ ସଂକ୍ରମଣ ଦ୍ରୁତଗତିରେ ବଢିବାରେ ଲାଗିଛି । ଏହା ମଧ୍ୟରେ ଭାରତ ସରକାର ଦେଶବାସୀଙ୍କୁ ସତର୍କ ରହିବାକୁ କହିଛନ୍ତି । ଏହାସହ ପ୍ରତି ରାଜ୍ୟସରକାର ସ୍ଥିତି ଉପରେ ନଜର ରଖି ପ୍ରସ୍ତୁତ ରହିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ।

Related Posts