ଭୋଟ ଚୋରଙ୍କୁ ନିର୍ବାଚନ ଆୟୋଗ ସୁରକ୍ଷା ଦେଉଛନ୍ତ: ରାହୁଲ

ନୂଆଦିଲ୍ଲୀ: ଭୋଟ ଚୋରି ଅଭିଯୋଗରେ ପୁଣି ଥରେ ନିର୍ବାଚନ ଆୟୋଗ ଓ ବିଜେପିକୁ ଟାର୍ଗେଟ୍ କରି ବର୍ଷିଛନ୍ତି କଂଗ୍ରେସ ସାସଂଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ଗୁରୁବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କି ଭୋଟ ଚୋରି ପ୍ରସଙ୍ଗରେ ମୁଁ ଯାହା କହୁଛି ତାହା ଦାୟିତ୍ୱପୂର୍ଣ୍ ଭାବେ ନିଜର ମତ ରଖୁଛି। ଏନେଇ ମୋ ପାଖରେ ପ୍ରମାଣ ରହିଛି ବୋଲି ସେ କହିଥିଲେ। ଭୋଟର ତାଲିକାରୁ ଅନେକଙ୍କ ନାଁ କାଟି ଦିଆଯାଇଥିବା ନେଇ ସେ କହିଛନ୍ତି।

ରାହୁଲ ଆହୁରି ମଧ୍ୟ କହିଛନ୍ତି କି ପ୍ରଥମତଃ ହାଇଡ୍ରୋଜନ ବମ ଆସିନାହି। ଏହା ଆସିବାକୁ ଆହୁରି ଅନେକ ସମୟ ରହିଛି। ନିର୍ବାଚନରେ କିପରି ଭାବରେ ଦୁର୍ନିତୀ କରାଯାଉଛି, ଭୋଟ ଚୋରିର ପନ୍ଥା ଆପଣାଯାଉଛି ତାହା ଏ ଦେଶର ଯୁବଗୋଷ୍ଠୀ ଜାଣିବା ନିତ୍ୟାନ୍ତ ଜରୁରୀ ବୋଲି ସେ କହିଥିଲେ। ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ କି, ସମ୍ବିଧାନକୁ ରକ୍ଷା କରିବାର ସମୟ ଆସିଛି। ମୁଁ ଏନେଇ ପ୍ରସ୍ତୁତ ରହିଛି। ମୁଁ ମୋ ଦେଶ ଏବଂ ମୋ ସମ୍ବିଧାନକୁ ଭଲ ପାଏ। ମୁଁ ପ୍ରମାଣ ସହିତ ମୋର କଥା ଉପସ୍ଥାପନ କରୁଛି।

ଆମେ ବାରମ୍ବାର କହିଆସୁଛୁ ଯେ ନିର୍ବାଚନ ଆୟୋଗ ଭୋଟ ଚୋରଙ୍କୁ ସୁରକ୍ଷା ଦେଉଛନ୍ତି। ଏହା ଗଣତନ୍ତ୍ର ପାଇଁ ସମ୍ପୂର୍ଣ୍ଣ ଠିକ୍ ନୁହେଁ। ଏହାକୁ ବନ୍ଦ କରିବା ଆମର କାମ। କିନ୍ତୁ ଆମର ଅଭିଯୋଗକୁ ନିର୍ବାଚନ ଆୟୋଗ ଗୁରୁତର ସହ ନେବା ପରିବର୍ତ୍ତେ ଅଭିଯୋଗଗୁଡ଼ିକୁ ଭିତ୍ତିହୀନ କହି ଖାରଜ କରିଛନ୍ତି। ନିର୍ବାଚନ କମିଶନ ସୂତ୍ର ଅନୁଯାୟୀ, କୌଣସି ଭୋଟ୍ ଡିଲିଟ କରାଯାଇ ନାହିଁ। ଆବେଦନ ବିନା ଏପରି କୌଣସି ପ୍ରକ୍ରିୟା ନାହିଁ।

ରାହୁଲ ଗାନ୍ଧୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଆମର ତଦନ୍ତରୁ ଜଣାପଡିଛି ଯେ କମିଶନ ଭୋଟରଙ୍କ ନାମକୁ ଟାର୍ଗେଟ କରି ନାଁ କାଟି ଦେଇଛନ୍ତି। ଆଜି ମୁଁ ଆପଣଙ୍କ ସହିତ ଯାହା ସେୟାର କରୁଛି ତାହା ଦୃଢ ପ୍ରମାଣ ଉପରେ ଆଧାରିତ। ଆମର ତଦନ୍ତରୁ ଜଣାପଡିଛି ଯେ କମିଶନ ଦଳିତ, ଓବିସି ଏବଂ ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରୁଛନ୍ତି। ଏହି ଲୋକଙ୍କ ଭୋଟକୁ ବଡ଼ ପରିମାଣରେ ବାତିଲ କରାଯାଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେଉଁମାନଙ୍କର ଭୋଟ ବାତିଲ କରାଯାଇଛି ସେମାନେ ମଧ୍ୟ ଏହା ବିଷୟରେ ଅଜ୍ଞ ବୋଲି ସେ କହିଥିଲେ।

କର୍ଣ୍ଣାଟକରେ ପୁଣି ଥରେ ଗଡ଼ବଡ଼ ସୂଚନା
ରାହୁଲ ଗାନ୍ଧୀ ଆହୁରି କହିଛନ୍ତି ଯେ କର୍ଣ୍ଣାଟକର ଆଲନ୍ଦରେ ୬୦୨୮ ଭୋଟକୁ ଡିଲିଟ କରି ଦିଆଯାଇଛି। ମାତ୍ର ୧୪ ମିନିଟରେ ୧୨ଟି ଭୋଟ୍ ଡିଲିଟ କରାଯାଇଛି ବୋଲି ସେ କହିଛନ୍ତି। ଏହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ନିର୍ବାଚନ କମିଶନ ଭୋଟ ଚୋରମାନଙ୍କୁ ସୁରକ୍ଷା ଦେଉଛନ୍ତି। ଏପର୍ଯ୍ୟନ୍ତ କମିଶନ ଲକ୍ଷ ଲକ୍ଷ ଭୋଟରଙ୍କୁ ଟାର୍ଗେଟ କରି ତାଲିକାରୁ ବାଦ ଦେଇଛନ୍ତି। କର୍ଣ୍ଣାଟକରେ ଜାଣିଶୁଣି ଭୋଟ୍ ଡିଲିଟ କରାଯାଇଛି। ନକଲି ଭୋଟର୍ ଯୋଡିବା ପାଇଁ ନକଲି ନାମ ଏବଂ ଠିକଣା ମଧ୍ୟ ବ୍ୟବହାର କରାଯାଇଥିଲା। ରାହୁଲ ଆହୁରି କହିଛନ୍ତି ଆମେ ଦାବି କରୁଛୁ ଯେ ନିର୍ବାଚନ କମିଶନ CID କୁ ଉତ୍ତର ଦିଅନ୍ତୁ। ନିର୍ବାଚନ କମିଶନ ଭାରତର ସମ୍ବିଧାନକୁ ସୁରକ୍ଷା ଦେଉନାହାଁନ୍ତି। ଆଜି ଆମେ ଯେଉଁ ପ୍ରମାଣ ପ୍ରଦାନ କରିଛୁ ତାହା ବୁଲେଟପ୍ରୁଫ୍ ବୋଲି ସେ ଦାବି କରିଛନ୍ତି।

Related Posts