ନୂଆଦିଲ୍ଲୀ: ଭାରତ ହେଉଛି ବେଆଇନ ଡ୍ରଗ୍ସ କାରବାରର କେନ୍ଦ୍ର। ଚୀନ, ଆଫଗାନିସ୍ତାନ ଓ ପାକିସ୍ତାନ ଭଳି ଭାରତରେ ମଧ୍ୟ ବହୁ ମାତ୍ରାରେ ଡ୍ରଗ୍ସ କାରବାର ହୁଏ ବୋଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍, ଆଫଗାନିସ୍ତାନ, ଭାରତ ଏବଂ ପାକିସ୍ତାନକୁ ୨୩ଟି ପ୍ରମୁଖ ଡ୍ରଗ୍ସ ଚାଲାଣ କିମ୍ବା ଅବୈଧ ନିଶା ଉତ୍ପାଦନକାରୀ ଦେଶମାନଙ୍କର ଏକ ତାଲିକା ପ୍ରସ୍ତୁତ କରିଛନ୍ତି। ଏହି ତାଲିକାରେ ଭାରତକୁ ସ୍ଥାନ ଦେବା ସହିତ ପାକିସ୍ତାନ ଭଳି ରାଷ୍ଟ୍ର ସହିତ ତୁଳନା କରିଛନ୍ତି ସେ। ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ଏହି ଦେଶଗୁଡ଼ିକ ଅବୈଧ ଔଷଧ ତଥା ଏହାର କଞ୍ଚାମାଲ ଉତ୍ପାଦନ ଏବଂ ଚୋରାଚାଲାଣ କରି ଆମେରିକା ଏବଂ ଏହାର ନାଗରିକଙ୍କ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରୁଛନ୍ତି।
ସୋମବାର ଦିନ ଆମେରିକାର ସାଂସଦକୁ ଦିଆଯାଇଥିବା “ପ୍ରେସିଡେନସିଆଲ ଡିଟରମିନେସନ”ରେ ଟ୍ରମ୍ପ କହିଛନ୍ତି ଯେ ସେ ଭାରତ ସମେତ ୨୩ଟି ରାଷ୍ଟ୍ରକୁ ପ୍ରମୁଖ ନିଶା ଚାଲାଣକାରୀ ତଥା ଡ୍ରଗ୍ସ ଉତ୍ପାଦକ ଭାବରେ ଚିହ୍ନଟ କରିଛନ୍ତି। ଏହି ଦେଶଗୁଡ଼ିକ ମଧ୍ୟରେ ଆଫଗାନିସ୍ତାନ, ବାହାମାସ୍, ବେଲିଜ୍, ବୋଲିଭିଆ, ମିଆଁମାର, ଚୀନ୍, କଲମ୍ବିଆ, କୋଷ୍ଟାରିକା, ଡୋମିନିକାନ୍ ଗଣରାଜ୍ୟ, ଇକ୍ୱେଡର୍, ଏଲ୍ ସାଲଭାଡୋର, ଗୁଆଟେମାଲା, ହାଇତି, ହଣ୍ଡୁରାସ, ଭାରତ, ଜାମାଇକା, ଲାଓସ୍, ମେକ୍ସିକୋ, ନିକାରାଗୁଆ, ପାକିସ୍ତାନ, ପାନାମା, ପେରୁ ଏବଂ ଭେନେଜୁଏଲାକୁ ସେ ସ୍ଥାନିତ କରିଛନ୍ତି।
ହ୍ୱାଇଟ ହାଉସ ପକ୍ଷରୁ ସୂଚନା ପ୍ରଦାନ କରାଯାଇ କୁହାଯାଇଛି ଯେ ରାଷ୍ଟ୍ରପତି ଟ୍ରମ୍ପ ଏହି ଦେଶମାନଙ୍କର ଏକ ତାଲିକା ସଂସଦକୁ ପ୍ରଦାନ କରିଛନ୍ତି। ଏହି ଦେଶ ଗୁଡିକରେ ଅବୈଧ ନିଶା କାରବାର ତଥା ଏହାର ଚାଲାଣ ପାଇଁ ମୁଖ୍ୟତଃ ଦାୟୀ ବୋଲି ସେ କହିଛନ୍ତି। ଆମେରିକାର ବୈଦେଶିକ ବିଭାଗ ଏହି ୨୩ଟି ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ସମ୍ପର୍କରେ ସୂଚନା ପ୍ରଦାନ କରିଛି। ଏଥିରେ ଆଫଗାନିସ୍ତାନ, ବୋଲିଭିଆ, ମିଆଁମାର, କୋଲମ୍ବିଆ ଓ ବେନଜୁଏଲା ପ୍ରମୁଖ ପାଞ୍ଚଟି ରାଷ୍ଟ୍ରରେ ନିଶା କାରବାର ବନ୍ଦ କରିବାକୁ ପ୍ରୟାସ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିଥିଲା। ଫଳରେ ଏମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଭୌଗୋଳିକ, ବ୍ୟବସାୟିକ ତଥା ଆର୍ଥିକ କାରବାରକୁ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।
