କୋଇଲା ଆମଦାନୀ ପାଇଁ ବୈଦେଶିକ ମୁଦ୍ରା ନଥିବାରୁ ଶ୍ରୀଲଙ୍କାରେ ଦେଖାଦେଲା ବିଜୁଳି ସଙ୍କଟ; ଦିନକୁ ୧୩ ଘଣ୍ଟାର ପାୱାର କଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କୋଇଲା ଆମଦାନୀ ପାଇଁ ବୈଦେଶିକ ମୁଦ୍ରା ନଥିବାରୁ ଶ୍ରୀଲଙ୍କାରେ ଦେଖାଦେଲା ବିଜୁଳି ସଙ୍କଟ । ଏଥିପାଇଁ ଦିନକୁ ୧୩ ଘଣ୍ଟା ବିଜୁଳି କାଟ ହେଉଛି । କେବଳ ଏତିକି ନୁହେଁ ବରଂ ଏହି କାରଣରୁ ଷ୍ଟ୍ରିଟ୍ ଲାଇଟ୍ ଲିଭାଇବାକୁ ଶ୍ରୀଲଙ୍କା ସରକାର ନିଷ୍ପତ୍ତି ନେଇଛନ୍ତି । ସେପଟେ ଶ୍ରୀଲଙ୍କାର ଶକ୍ତିମନ୍ତ୍ରୀ ପବିତ୍ରା ଓ୍ବାନିରାଚ୍ଚି କହିଛନ୍ତି ଯେ ଶକ୍ତି ସଂଚୟ ପାଇଁ ଷ୍ଟ୍ରିଟ୍ ଲାଇଟ ସବୁ ଲିଭାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରୀଷ୍ଣ ଋତୁ ଯୋଗୁଁ ଦେଶର ଜଳଭଣ୍ଡାର ଗୁଡ଼ିକ ଶୁଷ୍କ ହୋଇଯାଇଛି । ଆସନ୍ତା ମେ ମାସ ଶେଷ ବେଳକୁ ବର୍ଷା ହେଲେ ଜଳଭଣ୍ଡାରରେ ପାଣି ଆସିବ । ସେତେପର୍ୟ୍ୟନ୍ତ ଦେଶରେ ପାଓ୍ବାର କଟ୍ ଜାରି ରହିବ । ଆମେ ଏବେ କିଛି କରିପାରିବୁ ନାହିଁ ।

ବର୍ଷା ଅଭାବ ଯୋଗୁଁ ଶ୍ରୀଲଙ୍କାର ନଦୀଗୁଡ଼ିକ ଶୁଷ୍କ ହୋଇଯାଇଛି । ଜଳଭଣ୍ଡାର ଗୁଡ଼ିକରେ ଜଳସ୍ତର ରେକର୍ଡ ନିମ୍ନକୁ ଖସିଯାଇଛି । ଏଥିପାଇଁ ଜଳବିଦ୍ୟୁତ ଉତ୍ପାଦନ ପ୍ରଭାବିତ ହୋଇଛି । ସେପଟେ କୋଇଲା ଆମଦାନୀ ପାଇଁ ବୈଦେଶିକ ମୁଦ୍ରା ନଥିବାରୁ ତାପଜ ବିଦ୍ୟୁତ ଉତ୍ପାଦନ ବି ପ୍ରଭାବିତ ହୋଇଛି । ଏଥିପାଇଁ ଦେଶରେ ବିଜୁଳି ସଂକଟ ଦେଖାଦେଇଛି । ଦିନକୁ ପ୍ରାୟ ୧୩ ଘଣ୍ଟା ପାଓ୍ବାର କଟ ହେଉଥିବାବେଳେ ଷ୍ଟକ ଏକ୍ସଚେଞ୍ଜରେ ଦିନକୁ ମାତ୍ର ୨ ଘଣ୍ଟା ପାଇଁ ଟ୍ରେଡିଂ ହେଉଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts