ମହଙ୍ଗା ପଡ଼ିଲା ମହମ୍ମଦ ପ୍ରଫେଟଙ୍କ ଉପରେ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜନ, ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ନେଇ ମହମ୍ମଦ ପ୍ରଫେଟଙ୍କ ଉପରେ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜନ କରିବା ଏବେ ପ୍ରଧାନଶିକ୍ଷକଙ୍କୁ ମହଙ୍ଗା ପଡ଼ିଛି । ଘଟଣା ସାମ୍ନାକୁ ଆସିବା ପରେ ସଂପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି । ଏଭଳି ଘଟଣା ଘଟିଛି କର୍ଣ୍ଣାଟକର ଗଡ଼ାଗ ଜିଲ୍ଲାରେ ।

ସୂଚନା ଅନୁସାରେ କର୍ଣ୍ଣାଟକ ଗଡ଼ାଗ ଜିଲ୍ଲାର ଏକ ସରକାରୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ପିଲାଙ୍କୁ ନେଇ ମହମ୍ମଦ ପ୍ରଫେଟଙ୍କ ଉପରେ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜନ କହିଥିଲେ । ଏହି ଘଟଣା ଜଣାପଡ଼ିବା ପରେ ସଂପୂର୍ଣ୍ଣ ଜିଲ୍ଲାରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏପରିକି ଘଟଣାଟି ଶିକ୍ଷା ବିଭାଗ ପର୍ଯ୍ୟନ୍ତ ଯାଇଥିଲା । ପରେ ଶିକ୍ଷା ବିଭାଗ ପକ୍ଷରୁ ପ୍ରଧାନଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହାପରେ ଶିକ୍ଷା ବିଭାଗର ଅତିରିକ୍ତ କମିଶନର ଏସ୍.ବିରାଦରା ବିଦ୍ୟାଳୟର ପ୍ରଧାନଶିକ୍ଷକ ଅବଦୁଲ ମୁନାଫାଙ୍କୁ ନିଲମ୍ବିତ କରିଥିଲେ ।

ଏ ସମ୍ପର୍କରେ ଶିକ୍ଷା ବିଭାଗର ଅତିରିକ୍ତ କମିଶନର କହିଛନ୍ତି, ‘ଜଣେ ଦାୟୀତ୍ବ ସମ୍ପନ୍ନ ବ୍ୟକ୍ତି ଠାରୁ କେବେ ବି ଏଭଳି ଆଶା କରାଯାଇନଥିଲା । ଜଣେ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ଏଭଳି ବାଚାଳାମିକୁ ଆଦୌ ବରଦାସ୍ତ କରିହେବ ନାହିଁ । ସରକାରଙ୍କ ନିୟମ ବିରୋଧରେ କାମ କରିଥିବାରୁ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି । ତେଣୁ ଏଥିପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସାରିଛି।’

ଏନେଇ ପ୍ରଧାନଶିକ୍ଷକ ଅବଦୁଲ ମୁନାଫା କହିଛନ୍ତି ଯେ, ‘ଗଡ଼ଗ ଜିଲ୍ଲାର ଜୁନେଦ ସାହେବ ଉମାଚାଗି ନାମକ ଜଣେ ଯୁବକ ତାଙ୍କ ସ୍କୁଲକୁ ଆସିଥିଲେ । ସେଠାରେ ସେ ପିଲା ମାନଙ୍କୁ ମହମ୍ମଦ ପ୍ରଫେଟଙ୍କ ପୁସ୍ତକ ବାଣ୍ଟିଥିଲେ । ଏହାସହ ବହିକୁ ଭଲ ଭାବରେ ପଢ଼ିବାକୁ କହିଥିଲେ । ବହି ପଢ଼ିସାରିଲା ପରେ ମହମ୍ମଦଙ୍କ ଉପରେ ଏକ ପ୍ରବନ୍ଧ ପ୍ରତିଯୋଗିତା ପିଲାଙ୍କ ମଧ୍ୟରେ କରିବାକୁ କହିଥିଲେ । ଏହାସହ ଏଥିରେ ଯେଉଁ ବିଦ୍ୟାର୍ଥୀ ସଫଳ ହେବେ ତାଙ୍କୁ ଆମ ତରଫରୁ ପୁରସ୍କୃତ କରାଯିବ ବୋଲି କହିଥିଲେ।’

ତେବେ ଏହି ଖବରକୁ ନେଇ ଶ୍ରୀରାମ ସେନା ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲା । ତେଣୁ କେଉଁ ବ୍ୟକ୍ତି ସ୍କୁଲକୁ ଯାଇଥିଲେ ଏବଂ କାହା ପରାମର୍ଶରେ ପ୍ରଧାନଶିକ୍ଷକ ତାଙ୍କଠାରୁ ପୁସ୍ତକ ଗ୍ରହଣ କରିଥିଲେ ବୋଲି ଶ୍ରୀରାମ ସେନା ପ୍ରଶ୍ନ କରିଛି । ଏହି ଘଟଣାପରେ ପ୍ରଧାନଶିକ୍ଷକ ଅନୁତାପ କରିବା ସହ କରିଥିବା ଭୂଲ ପାଇଁ କ୍ଷମପ୍ରାର୍ଥନା ମାଗିଛନ୍ତି । ଏଭଳି ଭୁଲ ଆଉ କେବେ ହେବନି ବୋଲି ପ୍ରଧାନଶିକ୍ଷକ ଅବଦୁଲ ମୁନାଫା କହିଛନ୍ତି।

Related Posts