
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୁଣିଥରେ ଟ୍ଵିଟର କର୍ମଚାରୀଙ୍କୁ ଝଟକା ଦେଲେ ଏଲନ ମସ୍କ। ଟ୍ଵିଟରକୁ ନିଜ ମାଲିକାନାକୁ ନେବା ପରେ ଏଲନ ମସ୍କ ଲଗାତାର ଅପ୍ରତ୍ୟାଶିତ ଭାବେ ପଦକ୍ଷେପ ନେଇ ଚାଲିଛନ୍ତି। ଫଳରେ ହଜାର ହଜାର ସଂଖ୍ୟକ କର୍ମଚାରୀଙ୍କୁ ନିଜର ଚାକିରି ହରାଇବାକୁ ପଡିଛି। ଟ୍ଵିଟରର ୫୦ ପ୍ରତିଶତ ଓ୍ଵାର୍କ ଫୋର୍ସ ହ୍ରାସ କରିବା ପରେ ବର୍ତ୍ତମାନ ଏଲନ ମସ୍କ କଣ୍ଟ୍ରାକ୍ଟ ହିସାବରେ ରଖାଯାଇଥିବା ୪୪୦୦ ଲୋକଙ୍କୁ କମ୍ପାନିରୁ ବାହାର କରିଛନ୍ତି। ଏଲନ ମସ୍କ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ଫ୍ୟାକ୍ଚ ଚେକିଂ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରିବାରେ ଲାଗିଛନ୍ତି।
ଟ୍ଵିଟର ଏବଂ ଅନ୍ୟ ବଡ ସାମାଜିକ ଗଣମାଧ୍ୟମ ମଞ୍ଚରେ ଘୃଣା ସୃଷ୍ଟି କରୁଥିବା ସାମଗ୍ରୀ ଉପରେ ନଜର ରଖିବା ପାଇଁ ପୂର୍ବରୁ ଟ୍ଵିଟର ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ରଖିଥିଲା। ଏବେ ଏଲନ ମସ୍କ ଉକ୍ତ କର୍ମଚାରୀଙ୍କୁ କମ୍ପାନିରୁ ବାହାର ରାସ୍ତା ଦେଖାଇଛନ୍ତି। ଏହା ପୂର୍ବରୁ ନଭେମ୍ବର ୪ରେ ଟ୍ଵିଟର ନିଜ ସ୍ଥାୟୀ କର୍ମଚାରୀଙ୍କୁ ଇ-ମେଲ୍ ପଠାଇ ଚାକିରିରୁ ବହିଷ୍କାର କରାଯାଉଥିବା ସୂଚନା ଦେଇଥିଲା। ଠିକାରେ କାମ କରୁଥିବା ଜଣେ କର୍ମଚାରୀ ମେଲିସା ଇଙ୍ଗଲ କହିଛନ୍ତି, ବଡ ସଂଖ୍ୟାରେ କର୍ମଚାରୀଙ୍କୁ ବିଦା କଲେ ଟ୍ଵିଟରର ସ୍ଥିତି ଆହୁରି ଖରାପ ହୋଇଯିବାର ଆଶଙ୍କା ରହିଛି।
ବ୍ଲୁମର୍ଗର ରିପୋର୍ଟ ଅନୁଯାୟୀ, କର୍ମଚାରୀଙ୍କୁ ବହିଷ୍କାର କରାଯିବା ନିଜ ନିଷ୍ପତ୍ତିକୁ ଏଲନ ମସ୍କ ନିକଟରେ ପ୍ରତ୍ୟାହାର କରି ନେଇଥିଲେ। ରିପୋର୍ଟରେ କୁହାଯାଇଥିଲା ଯେ, କିଛି କର୍ମଚାରୀଙ୍କୁ ଭୁଲ ବଶତଃ ଚାକିରିରୁ ବିଦା କରାଯାଇଥିଲା। ପୁଣି ଥରେ ଚାକିରିକୁ ଫେରିଥିବା କର୍ମଚାରୀଙ୍କ ମଧ୍ୟରେ ଅଧିକାଂଶ ସିନିୟର ଦଳର ସଦସ୍ୟ ଅଛନ୍ତି।