ଏଣିକି କ୍ୟୁଆର୍‌ କୋଡ୍‌ ସ୍କାନ କଲେ ଘରୁ ଉଠିବ ଅଳିଆ, ଖୁବ୍‌ଶୀଘ୍ର ବିଏମ୍‌ସି ଆଣୁଛି ନୂଆ ସଫେଇ ବ୍ୟବସ୍ଥା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଡୋର୍‌ ଟୁ ଡୋର୍‌ ଅଳିଆ ସଂଗ୍ରହରେ ଖିଲାପୀ ହୋଇଛି କି? ରାସ୍ତାରୁ ଠିକ୍‌ ଭାବେ ଅଳିଆ ଉଠିନି କି? ଏସବୁ ସମସ୍ୟା ନେଇ ଏବେ ଆପଣ ସିଧାସଳଖ ବିଏମ୍‌ସିରେ ଅଭିଯୋଗ କରିପାରିବେ । ଫଳରେ ତୁରନ୍ତ ଏହାର ସମାଧାନ ହେବ । ଏନେଇ ବିଏମ୍‌ସି ପକ୍ଷରୁ ପ୍ରତି ଘରେ ଲାଗିବ କ୍ୟୁଆର୍‌ କୋଡ୍‌ । ଖୁବ୍‌ଶୀଘ୍ର ବିଏମ୍‌ସି ପକ୍ଷରୁ ଏହି ବ୍ୟବସ୍ଥା ଲାଗୁ କରାଯିବ ।

ରାଜଧାନୀରେ ପରିମଳ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଉଛି । ଏନେଇ ସଫା ଆପ୍‌ ଆରମ୍ଭ ହୋଇଛି । ପରୀକ୍ଷାମୂଳକ ଭାବେ ଏହି ଆପ୍‌ ପ୍ରଚଳନ ହେଉଛି । ବିଏମ୍‌ସି ପକ୍ଷରୁ ଏକ ସ୍ୱତନ୍ତ୍ର କ୍ୟୁଆର୍‌ କୋଡ୍‌ ପ୍ରସ୍ତୁତ କରାଯାଇଛି । ପ୍ରତି ଘର, ବ୍ୟାବସାୟିକ ପ୍ରତିଷ୍ଠାନ, ସରକାରୀ କାର୍ଯ୍ୟାଳୟ ଆଗରେ କ୍ୟୁଆର୍‌ କୋଡ୍‌ ଲାଗିବ । ମୋବାଇଲ୍‌ରେ କ୍ୟୁଆର୍‌ କୋଡ୍‌ ସ୍କାନ କରିବା ମାତ୍ରେ ସିଧା ଆପ୍‌ ଖୋଲିବ । ସେଥିରେ ଅଭିଯୋଗ କରିପାରିବେ ୱାର୍ଡବାସୀ ।

ବଡ଼ ବଡ଼ ପ୍ରତିଷ୍ଠାନ, ହୋଟେଲ୍‌, ବିବାହ ମଣ୍ଡପରୁ ବାହାରୁଥିବା ଅଳିଆ ଦେବା ପାଇଁ ମଧ୍ୟ ଏହି ଆପ୍‌ ମାଧ୍ୟମରେ ପଞ୍ଜିକରଣ କରିବାକୁ ପଡ଼ିବ । ଘର ଠିକଣା ଦେବାକୁ ହେବ । ଏହାପରେ ସଫେଇ ଗାଡ଼ି ଘର ନିକଟକୁ ଆସି ଅଳିଆ ସଂଗ୍ରହ କରିବ । ଏଥିପାଇଁ କିଛି ଦେୟ ଦେବାକୁ ପଡ଼ିବ। ଏନେଇ ଖୁବ୍‌ଶୀଘ୍ର ସାନିଟାରୀ ଇନ୍‌ସପେକ୍ଟର (ଏସ୍‌ଆଇ) ମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ଏସ୍‌ଆଇ, ସ୍ୱଚ୍ଛସାଥୀ, ୱାର୍ଡ ଅଫିସର ଘରକୁ ଘର ବୁଲି ସଚେତନ କରିବେ । ପ୍ରତି ୱାର୍ଡରେ ଏହି କ୍ୟୁଆର୍‌ କୋଡ୍‌ ଲାଗିବ । ଫଳରେ ଲୋକେ ଉପକୃତ ହେବେ । ସଫା ଆପ୍‌ ପରୀକ୍ଷାମୂଳକ ଭାବେ ଦୁଇଟି ୱାର୍ଡରେ ଆରମ୍ଭ ହୋଇଛି । ଖୁବ୍‌ଶୀଘ୍ର ଏହାର ଲୋକାର୍ପଣ ହେବ । ଏହି କ୍ୟୁଆର୍‌ କୋଡ୍‌ ଦ୍ୱାରା ଅଭିଯୋଗ ସହଜ ହେବ । ବିଶେଷକରି ବ୍ୟାବସାୟିକ ଅନୁଷ୍ଠାନ ଏହାର ଫାଇଦା ନେବେ ।

Related Posts