ପରଲୋକରେ ସୁନନ୍ଦା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ପରଲୋକରେ ପ୍ରଖ୍ୟାତ କଷ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକ । ‘ଜୀବନ ପାତ୍ର ମୋ’ ଭରିଛ କେତେ ମତେ ନ ଦେଲ ବୋଲି କିଛି ଏହି ଭଳି କାଳଜୟୀ ଗୀତର ଗାୟିକା ତଥା ଭାରତୀୟ ଶାସ୍ତ୍ରୀୟ ସଂଗୀତ ଜଗତର ଅନ୍ୟତମ ପ୍ରତିଷ୍ଠିତ ସଂଗୀତଜ୍ଞ ଥିଲେ ସୁନନ୍ଦା । ଓଡ଼ିଶାର ବିଶିଷ୍ଟ ବରପୁତ୍ରୀ ସୁନନ୍ଦାଙ୍କର ବିୟୋଗରେ ସଂଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି ।  ରବିବାର ସକାଳେ କୋଲକାତାର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ସୁନନ୍ଦା ପଟ୍ଟନାୟକଙ୍କୁ ୮୫ ବର୍ଷ ବୟସ ହୋଇଥିଲା । ଅସୁସ୍ଥତା ଯୋଗୁଁ ସେ ଦୀର୍ଘ ଦିନ ଧରି ଚିକିତ୍ସିତ ହେଉଥିଲେ ।

ସୁନନ୍ଦାଙ୍କ ଜନ୍ମଭୂମି କଟକ

ସବୁଜ ଯୁଗର ପ୍ରଖ୍ୟାତ କବି ବୈକୁଣ୍ଠନାଥ ପଟ୍ଟନାୟକଙ୍କ ସୁଯୋଗ୍ୟା କନ୍ୟା ସୁନନ୍ଦା ୧୯୮୩ରୁ କୋଲକାତାରେ ରହୁଥିଲେ । ସୁନନ୍ଦାଙ୍କ ଜନ୍ମ ୧୯୩୪ ମସିହା ନଭେମ୍ବର ୭ ତାରିଖରେ କଟକରେ ହୋଇଥିଲା । ସେ ମାତ୍ର ୧୪ ବର୍ଷ ବୟସରେ କଟକ ଆକାଶବାଣୀ କେନ୍ଦ୍ରରେ ସଂଗୀତ ପରିବେଷଣ କରି ପ୍ରସିଦ୍ଧି ଲାଭ କରିଥିଲେ । ସୁନନ୍ଦା ୧୯୫୬ ମସିହାରେ ସଙ୍ଗୀତରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ। ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଏବଂ ଓଡ଼ିଶୀ ସଙ୍ଗୀତର ଜଣେ ବିଶିଷ୍ଟ ଗାୟିକା ସୁନନ୍ଦା ପଟ୍ଟନାୟକ ‘ଗୁରୁମା’ ଭାବେ ଲୋକପ୍ରିୟ ଥିଲେ ।

‘ନୀଳମାଧବ’କୁ ମିଳିଥିଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର

କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ଉପରେ ନିର୍ମିତ ପ୍ରାମାଣିକ ଚଳଚ୍ଚିତ୍ର ‘ନୀଳମାଧବ’କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା । ଏହା ସହ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ପୁରସ୍କାର ମଧ୍ୟ ପାଇଥିଲେ ସୁନନ୍ଦା ।  ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଥିଲା । ତାଙ୍କ ବିୟୋଗରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି ।

Related Posts