ସାଇବାବାଙ୍କ ଜନ୍ମସ୍ଥାନ ନେଇ ବିବାଦ କାହିଁକି ?

(ସତ୍ୟପାଠ ବ୍ୟୁରୋ) ମୁମ୍ବାଇ: ଦେଶର ସର୍ବାଧିକ ଅନୁଗାମୀ ଓ ଭକ୍ତ ଥିବା ଶିରିଡ଼ି ସାଇବାବାଙ୍କ ଜନ୍ମସ୍ଥାନକୁ ନେଇ ବିବାଦ । ଶିରିଡ଼ି ନୁହେଁ, ସାଇବାବାଙ୍କ ଜନ୍ମସ୍ଥାନ ପାଥରୀ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କହିବା ପରେ ସାରା ଦେଶରେ ଦେଖିବାକୁ ମିଳିଛି ପ୍ରତିବାଦ । ଶିରିଡ଼ି ଟ୍ରଷ୍ଟ ଓ ସ୍ଥାନୀୟ କମିଟି ପକ୍ଷରୁ ଆଜି ଶିରିଡ଼ି ଟାଉନ ବନ୍ଦ ରହିଥିବା ବେଳେ । ସାଇବାବାଙ୍କ ମନ୍ଦିର କିନ୍ତୁ ଖୋଲା ରହିଛି । ସେପଟେ ମହାରାଷ୍ଟ୍ରର ବିଜେପି ସାଂସଦ ସୁଜୟ ଭିଖେ ପାଟିଲ ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ବିରୋଧରେ ଅଦାଲତର ଦ୍ବାରସ୍ଥ ହେବାକୁ ଧମକ ଦେଇଛନ୍ତି ।

ସାଇବାବାଙ୍କ ଜନ୍ମ କେଉଁଠି ?

ଶିରିଡ଼ି ନା ପାଥରୀ ?

ମହାରାଷ୍ଚ୍ର ସରକାରଙ୍କ ତଥ୍ୟ ପରେ ଉଠିଲା ବିବାଦ ?

ଚାଲିଲା ଭଗବାନଙ୍କ ଠିକଣା ଖୋଜା

ଶିରିଡ଼ି ସାଇବାବାଙ୍କ ଜନ୍ମସ୍ଥାନକୁ ନେଇ ଜୋର୍ ଧରିଲା ବିବାଦ । ଆଜିଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିରିଡ଼ ଟାଉନ ବନ୍ଦ ଡାକରା ଦେଇଛି ସାଇବାବା ସଂସ୍ଥାନ ଟ୍ରଷ୍ଟବୋର୍ଡ । କିନ୍ତୁ ଶିରିଡ଼ିକୁ ଆସୁଥିବା ଭକ୍ତ ଯେମିତି କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ, ସେଥିପାଇଁ ଧ୍ୟାନ ଦିଆଯିବ । ସାଇ ପ୍ରସାଦାଳୟ, ସାଇ ହସ୍ପିଟାଲ, ସାଇ ଭକ୍ତ ନିବାସ ଏବଂ ସ୍ଥାନୀୟ ମେଡିକାଲକୁ ବନ୍ଦ ରଖାଯିବ ନାହିଁ । ଶିରିଡ଼ିକୁ ମହାରାଷ୍ଟ୍ର ଆଞ୍ଚଳିକ ପରିବହନ କର୍ପୋରେସନର ବସ୍ ଚଳାଚଳ ସ୍ବାଭାବିକ ରହିବା ସହ ହୋଟେଲଗୁଡ଼ିକ ମଧ୍ୟ ଖୋଲା ରହିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ କିଛି ଦିନ ତଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ ମରାଠାୱାଡ଼ାସ୍ଥିତ ପରଭାନୀର ପାଥରୀ ହେଉଛି ଶିରିଡ଼ି ସାଇବାବାଙ୍କ ପ୍ରକୃତ ଜନ୍ମସ୍ଥାନ । ଏହାର ବିକାଶ ପାଇଁ ବଜେଟରେ ଶହେ କୋଟି ଟଙ୍କାର ଅର୍ଥ ବରାଦ କରାଯିବ ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏ ମନ୍ତବ୍ୟକୁ ନେଇ ସାଇଭକ୍ତଙ୍କ ଭିତରେ ସୃଷ୍ଟି ହୋଇଛି ଆଲୋଡ଼ନ । ଶିରିଡ଼ିର ଅଧିଷ୍ଠାତା ସାଇବାବାଙ୍କ ଜନ୍ମସ୍ଥାନ ଅନ୍ୟ କେଉଁଠି ବୋଲି କହି ଭକ୍ତ ଓ ଅନୁଗାମୀଙ୍କୁ ବିଭ୍ରାନ୍ତି ସୃଷ୍ଟି କରାଯିବା ଠିକ୍ ନୁହେଁ ବୋଲି ସାଇବାବା ସଂସ୍ଥାନ ଟ୍ରଷ୍ଟ ପକ୍ଷରୁ କୁହାଯାଇଛି । ମୁଖ୍ୟମନ୍ତ୍ରୀ ଠାକରେଙ୍କ ବୟାନ ବିରୋଧରେ ସ୍ବର ଉଠାଇଛନ୍ତି ମହାରାଷ୍ଟ୍ର ଅହମ୍ମଦନଗର ବିଜେପି ସାଂସଦ ସୁଜୟ ଭିଖେ ପାଟିଲ । ସାଇବାବାଙ୍କ ଜନ୍ମସ୍ଥାନକୁ ନେଇ ବିବାଦ ସୃଷ୍ଟି କରାଯାଉଥିବାରୁ, ସେ ଆଇନର ସହାୟତା ନେବେ ବୋଲି ଚେତାବନୀ ଦେଇଛନ୍ତି । ଶିରିଡ଼ି ସହ ସାଇବାବାଙ୍କ ଆଧ୍ୟାତ୍ମିକ ସଂପର୍କ ଅତୁଟ ରହିଛି । ଅଚାନକ ପାଥରୀ ତାଙ୍କ ଜନ୍ମସ୍ଥାନ ବୋଲି କାହିଁକି କୁହାଗଲା ବୋଲି ପ୍ରଶ୍ନ କରିଛନ୍ତି ସାଂସଦ । ସାଇବାବା ସଂସ୍ଥାନ ଟ୍ରଷ୍ଟର ପୂର୍ବତନ ଟ୍ରଷ୍ଟି କୈଳାସବାପୁ କୁଟେ କହିଛନ୍ତି, ସାଇବାବା ତାଙ୍କର ଜନ୍ମସ୍ଥାନ କିମ୍ବା ଧର୍ମ ସଂପର୍କରେ କାହାକୁ କିଛି କହିନାହାନ୍ତି ।

Related Posts