ଉଜ୍ଜଳା ଘୋଟାଲର ତଦନ୍ତ ହେଉ: ଦିଗ୍‌ବିଜୟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ଉଜ୍ଜଳା ଘୋଟାଲାର ପର୍ଦ୍ଦାଫାସ କରିଛନ୍ତି CAG ।  ଉଜ୍ଜାଳା ଯୋଜନାରେ କିଭଳି ନିୟମ ବୁକ୍‌କୁ ଉଲ୍ଲଘଂନ କରି ନାବାଳକ ଓ ନାବାଳିକାଙ୍କୁ ଗ୍ୟାସ କନେକ୍ସନ ଦିଆଯାଇଛି ତାର ପୋଲ ଖୋଲିଥିଲେ ସିଏଜି  । ତେଣୁ ପ୍ରଥମେ ଉଜ୍ଜଳା ଯୋଜନାରେ ହୋଇଥିବା ଘୋଟାଲର ତଦନ୍ତ ଦାବି କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହ ।

କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ କରି ଉଭୟ ବିଜେପି ଏବଂ ବିଜେଡି ଉପରେ ବର୍ଷିଛନ୍ତି ଦିଗବିଜୟ । କହିଛନ୍ତି, ରାଜ୍ୟରେ ନବୀନଙ୍କୁ ଆଗରେ ରଖି ବିଜେଡି-ବିଜେଡି ମେଣ୍ଟ ସରକାର ଚାଲିଛି । କାଳିଆ ଯୋଜନାରେ ହୋଇଥିବା ଅନିୟମିତା ନେଇ ବିଜେପି ଚୁପ ରହୁଛି ତ ସେପଟେ ଉଜ୍ଜଳା ଘୋଟାଲାକୁ ନେଇ ବିଜେଡି ମୁହଁ ଖୋଲୁ ନାହିଁ । ଉଭୟ ଓଡ଼ିଶା ଲୋକଙ୍କୁ ଠକୁଛନ୍ତି । ନବୀନଙ୍କୁ ଲୋକ ଭୋଟ ଦେଲେ କିନ୍ତୁ ନିର୍ବାଚନ ସରିବା ପରେ ନବୀନ ବିଜେପି ସହ ଅଘୋଷିତ ମେଣ୍ଟ କରି ରାଜ୍ୟବାସୀଙ୍କୁ ଧୋକା ଦେଉଥିବା ଅଭିଯୋଗ କରିଛନ୍ତି ଦିଗ୍‌ବିଜୟ ।

ସିଏଜି ରିପୋର୍ଟ ଅନୁସାରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଉଜ୍ଜଳା ଯୋଜନାର ବ୍ୟବହାର ବହୁତ କମ୍ ରହିଛି । ଓଡ଼ିଶାରେ ବହୁତ କମ୍ ଲୋକ ଉଜ୍ଜଳା ସ୍କିମ୍‌ରେ  ରନ୍ଧନ ଗ୍ୟାସ ବ୍ୟବହାର କରୁଛନ୍ତି । ରାଜ୍ୟରେ ଏକ ବର୍ଷରୁ ଅଧିକ ସମୟ ପୂରା କରିଥିବା 2.88 ଉପଭୋକ୍ତା ଗ୍ୟାସ ଭରିଛନ୍ତି । ଯାହା ପ୍ରତି ବର୍ଷ 3.21 ପ୍ରତିଶତ ତୁଳନାରେ ବହୁତ କମ୍ । ଗୁରୁତ୍ବପୂର୍ଣ୍ଣ କଥା ହେଲା ବ୍ୟବସାୟ ପାଇଁ ଉଜ୍ଜଳା ଯୋଜନାରେ ଘରୋଇ ଗ୍ୟାସର ଅପବ୍ୟବହାର କରାଯାଇଛି । 14 ଲକ୍ଷ ଲାଭାର୍ଥୀ ଗୋଟିଏ ମାସରେ 41ଟି ଲେଖାଏଁ ସିଲିଣ୍ଡର ବ୍ୟବହାର କରିଛନ୍ତି । ସିଙ୍ଗଲ ବଟଲ କନେକ୍ସନ ଥିବା 3 ଲକ୍ଷ 44 ହଜାର ଲୋକଙ୍କୁ ଉଜ୍ଜଳା ଯୋଜନା ମାଧ୍ୟମରେ ଗୋଟିଏ ଗୋଟିଏ ଦିନରେ 2ରୁ 20ଟି ସିଲିଣ୍ଡର ରିଫିଲ କରିବାକୁ ସେମାନଙ୍କୁ IOCL ଏବଂ HPCL ଅନୁମତି ଦେଇଥିବା ସିଏଜି କହିଛନ୍ତି । ବ୍ୟବସାୟ ପାଇଁ ଏକ ଲକ୍ଷ 98 ହଜାର ଘରୋଇ କନେକ୍ସନକୁ ବାଣିଜ୍ୟିକ କନେକ୍ସନରେ ପରିବର୍ତ୍ତନ କରାଯାଇଛି ।

ନାବାଳକ ଓ ନାବାଳିକାଙ୍କ ନାଁରେ ଗ୍ୟାସ ସଂଯୋଗ ଦେବାକୁ ନିୟମ ନଥିବା ବେଳେ 8 ଲକ୍ଷ 59 ହଜାର ନାବାଳକ ଓ ନାବାଳିକାଙ୍କୁ ଗ୍ୟାସ ସଂଯୋଗ ଦିଆଗଲା କାହିଁକି ? କାହା ନିର୍ଦ୍ଦେଶରେ ଏଭଳି କାର୍ଯ୍ୟ କରାଯାଇଛି ? ଏଥିପାଇଁ କିଏ ଦାୟୀ ? ତେଣୁ ଉଜ୍ଜଳା ଯୋଜନାରେ ହୋଇଥିବା ଘୋଟାଲାର ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି ଦିଗ୍‌ବିଜୟ।

Related Posts