ୟୁକ୍ରେନରେ ଶକ୍ତି ବିପର୍ଯ୍ୟୟ; ଅନ୍ଧାର ଭିତରେ ଦେଶର ଏଗାର ଶହ ସହର

ଭୁବନେଶ୍ଵର ( ସତ୍ୟପାଠ ବ୍ୟୁରୋ ): ସାରା ୟୁକ୍ରେନରେ ଶକ୍ତି ବିପର୍ଯ୍ୟୟ । ଅନ୍ଧାର ଭିତରେ ଦେଶର ପ୍ରାୟ ଏଗାର ଶହ ସହର । ଦେଶର ଶକ୍ତି ପ୍ରକଳ୍ପ ଗୁଡିକୁ ଋଷ ଧ୍ବଂସ କରିବାରେ ଲାଗିଥିବା ବେଳେ ସ୍ଥିତି ଅତି ବିପର୍ଯ୍ୟୟ ହୋଇଛି । ଏହା ସହ ଅନେକ ଜଳଯୋଗାଣ ପ୍ରକଳ୍ପ ବି ଧ୍ବଂସ ହୋଇଛି ।ଫଳରେ ୟୁକ୍ରେନରେ ହାହାକାରମୟ ପରିବେଶ ସୃଷ୍ଟି ହୋଇଛି । କିଛି ଦିନ ଧରି ଋଷ ପକ୍ଷରୁ ୟୁକ୍ରେନର ୧୬ଟି ଅଞ୍ଚଳର ପ୍ରମୁଖ ସହର, ଶକ୍ତି ପ୍ରକଳ୍ପ ଉପରେ ୧୯୦ରୁ ଅଧିକ ମିସାଇଲ, କାମିକେଜେ ଡ୍ରୋନ ଓ ଗୋଳାମାଡ ହୋଇଛି ବୋଲି କୁହାଯାଇଛି ।

ଜିତୋମି, ଖାରକିବ, ଦୋନେସ୍କ, ଜେପୋରିଜିୟା, ଲୁଗାନସ୍କ, ଖେରସନ ସମେତ ପ୍ରମୁଖ ସହରରେ ଅନ୍ଧକାର ଜାରି ରହିଛି । ଗତ ୧୦ ଦିନ ମଧ୍ୟରେ ଋଷ ହମଲାରେ ୭୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୨୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ୩୮୦ରୁ ଅଧିକ କୋଠା ଧରାଶାୟୀ ହୋଇଛି । ସେପଟେ ଋଷକୁ ଦୂରଗାମୀ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହୋଇପାରୁଥିବା ମିସାଇଲ ଓ ଡ୍ରୋନ ଯୋଗାଇବାକୁ ଘୋଷଣା କରିଛି ଇରାନ ।

ୟୁକ୍ରେନକୁ ନାଟୋର ସହାୟତା ଅଧିକରୁ ଅଧିକ ହେଉଥିବା ବେଳେ ଇରାନର ଏକ ଘୋଷଣା ଆମେରିକାକୁ ଅଧିକ ଉତ୍ତେଜିତ କରିଛି । ଇରାନର ଏହି ଘୋଷଣା ଅନୁସାରେ ଋଷକୁ ଅତି ଶକ୍ତିଶାଳୀ ଫେତହ ଓ ଜୋଲଫାଗର ମିସାଇଲ ଏବଂ ସାହିଦ-୧୩୬ ଡ୍ରୋନ ମିଳିବ । ସାହିଦ-୧୩୬ ଡ୍ରୋନ ଲକ୍ଷ୍ୟସ୍ଥଳୀ ଭେଦ କରିବା ସହ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ହାସଲ କରିଛି । ଫତେହ ଓ ଜୋଲଫାଗର ମିସାଇଲ ପ୍ରାୟ ୭୦୦ କିଲୋମିଟର ଦୂରକୁ ଟାର୍ଗେଟ କରିପାରିବେ । ଇରାନର ଅସ୍ତ୍ରଯୋଗାଣ ନିଷ୍ପତ୍ତିକୁ ବିରୋଧ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ।

Related Posts