ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):  ରାଜ୍ୟର ବିଭିନ୍ନ ଜିଲ୍ଲା, ଉପଖଣ୍ଡ, ତହସିଲ ଏବଂ ବ୍ଲକଗୁଡ଼ିକର ସରକାରୀ ଭାବେ ବ୍ୟବହୃତ ଇଂରାଜୀ ନାମକୁ ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ସଂଶୋଧନ କରାଯିବ। ଇଂରାଜୀ ବନାନଗୁଡ଼ିକ ମୂଳ ଓଡ଼ିଆ ନାମର ଅପଭ୍ରଂଶ ହୋଇଥିବାରୁ ଏହାର ପୁନରୁଦ୍ଧାର ପାଇଁ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏ ନେଇ ବିଭାଗ ପକ୍ଷରୁ ଏକ ସାର୍ବଜନୀନ ସୂଚନା ଜାରି କରାଯିବା ସହ ସାଧାରଣ ଜନତାଙ୍କଠାରୁ ମତାମତ ଲୋଡ଼ାଯାଇଛି।

ବିଭାଗୀୟ ବିଜ୍ଞପ୍ତି (ସଂଖ୍ୟା- ୧୭୭୨୯/ରା. ଓ ବି.ପ., ତା: ୨୨.୦୪.୨୦୨୨) ଅନୁଯାୟୀ, ପୂର୍ବରୁ ସାଧାରଣ ଜନତା ଏବଂ ଜନପ୍ରତିନିଧିମାନଙ୍କଠାରୁ ଏହି ନାମ ପରିବର୍ତ୍ତନ ନେଇ ପରାମର୍ଶ ଓ ପ୍ରସ୍ତାବ ଆହ୍ୱାନ କରାଯାଇଥିଲା। ପ୍ରାପ୍ତ ହୋଇଥିବା ସମସ୍ତ ପ୍ରସ୍ତାବଗୁଡ଼ିକୁ ବିଶିଷ୍ଟ ସାହିତ୍ୟିକା ପଦ୍ମଭୂଷଣ ଡ. ପ୍ରତିଭା ରାୟଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଉଚ୍ଚସ୍ତରୀୟ କମିଟି ଦ୍ୱାରା ସମୀକ୍ଷା କରାଯାଇଥିଲା। ଉକ୍ତ କମିଟି ସୁପାରିଶ କରିଥିବା ନାମଗୁଡ଼ିକୁ ବର୍ତ୍ତମାନ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପରିଶିଷ୍ଟ-‘କ’ ରେ ପ୍ରକାଶ କରାଯାଇଛି।

କମିଟିର ସୁପାରିଶ ଅନୁଯାୟୀ ପ୍ରମୁଖ ସ୍ଥାନଗୁଡ଼ିକର ଇଂରାଜୀ ବନାନରେ ବ୍ୟାପକ ପରିବର୍ତ୍ତନ ହେବ। ଉଦାହରଣ ସ୍ୱରୂପ:
➡️Cuttack ବଦଳରେ ଲେଖାହେବ KATAKA

➡️Balasore ବଦଳରେ ଲେଖାହେବ BALESHWAR

➡️Angul ବଦଳରେ ଲେଖାହେବ ANUGOLA

➡️Keonjhar ବଦଳରେ ଲେଖାହେବ KENDUJHAR

➡️ Khurda ବଦଳରେ ଲେଖାହେବ KHORDHA

➡️Nayagarh ବଦଳରେ ଲେଖାହେବ NAYAGADA

➡️ Bargarh ବଦଳରେ ଲେଖାହେବ BARAGADA

➡️Bolangir ବଦଳରେ ଲେଖାହେବ BALANGIR

➡️Sundargarh ବଦଳରେ ଲେଖାହେବ SUNDARAGADA

➡️Berhampur (ବ୍ରହ୍ମପୁର) ବଦଳରେ ଲେଖାହେବ BRAHMAPUR

କେବଳ ଜିଲ୍ଲା ନୁହେଁ, ବରଂ ବିଭିନ୍ନ ତହସିଲ ଓ ବ୍ଲକ୍‌ର ନାମ ମଧ୍ୟ ସଂଶୋଧନ କରାଯାଇଛି। ଯେପରିକି ଆଠଗଡ଼ (Athagarh) ଏବେ ATHAGADA, ହିଞ୍ଜିଳିକାଟୁ (Hinjilicut) ଏବେ HINJILIKATU ଏବଂ ଭବାନୀପାଟଣା (Bhawanipatna) ଏବେ BHABANIPATANA ଭାବେ ଇଂରାଜୀରେ ଲେଖାଯିବ।

ଉକ୍ତ ପ୍ରସ୍ତାବଗୁଡ଼ିକ ଉପରେ ଯଦି କାହାର କିଛି ମତାମତ କିମ୍ବା ପରାମର୍ଶ ଥାଏ, ତେବେ ଜନସାଧାରଣ ଏହି ବିଜ୍ଞପ୍ତି ପ୍ରକାଶ ପାଇବାର ଏକ ମାସ ମଧ୍ୟରେ ଜଣାଇପାରିବେ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଲୋକସେବା ଭବନ, ଭୁବନେଶ୍ୱର-୭୫୧୦୦୧ ଠିକଣାରେ ପତ୍ର ମାଧ୍ୟମରେ କିମ୍ବା ବିଭାଗୀୟ ଇ-ମେଲ୍ ଆଇଡି isbdr-rev.od@od.gov.in ଅଥବା revsec.od@od.gov.in ମାଧ୍ୟମରେ ନିଜର ମତାମତ ପ୍ରେରଣ କରିବାକୁ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଅନୁରୋଧ କରିଛନ୍ତି।ଓଡ଼ିଆ ଭାଷା ଓ ଅସ୍ମିତାର ସୁରକ୍ଷା ତଥା ସଠିକ୍ ଉଚ୍ଚାରଣକୁ ଗୁରୁତ୍ୱ ଦେଇ ସରକାରଙ୍କ ଏହି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।