
ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ସାମ୍ବାଦିକତା । ତେବେ ଆଜି ଲୋକଙ୍କ ନିକଟରେ ଗ୍ରାଉଣ୍ଡ ଜିରୋରେ କଣ ଘଟୁଛି ତାହା ଲୋକଙ୍କ ପାଖରେ ପହଂଚାଉଥିବା ସେହି ସାମ୍ବାଦିକମାନେ ପ୍ରକୃତରେ କେତେ ସୁରକ୍ଷିତ ? ଗତକାଲି ଏସପ୍ଲାନେଟ ମଲରେ ଅର୍ଗସ ସାମ୍ବାଦିକା ସ୍ୱାତୀ ଜେନାଙ୍କୁ ଦୁର୍ବ୍ୟବହାର ଓ ମାଡ଼ ମାରିବା ଘଟଣା ଘଟିଛି । ଏହାର ପ୍ରତିବାଦ କରି ଆଜି ରସୁଲଗଡ ସ୍ଥିତ ଏସପ୍ଲାନେଡ୍ ମଲ୍ ସାମ୍ନାରେ ସାମ୍ବାଦିକମାନେ ଧାରଣା ଦେଇଛନ୍ତି। ନିଜ ଜୀବନ ପ୍ରତି ଆଶା ନ କରି ମଧ୍ୟ ସାମ୍ବାଦିକମାନେ ଜନତାଙ୍କ ପାଇଁ ଆପ୍ରାଣ ଚେଷ୍ଟା ଜାରି ରଖିଛନ୍ତି । ତେଣୁ ସାମ୍ବାଦିକଙ୍କୁ ସୁରକ୍ଷା ନେଇ ଆଇନ ଆସିବା ଦରକାର ବୋଲି ମଧ୍ୟ ଦାବୀ କରାଯାଉଛି ।
ଆକ୍ରମଣ କରିଥିବା ମଲ୍ କର୍ମଚାରୀଙ୍କ ଗିରଫ ଓ କଡା କାର୍ଯ୍ୟାନୁଷ୍ଠାନ ଦାବୀରେ ସାମ୍ବାଦିକମାନେ ଏସପ୍ଲାନେଡ ସାମ୍ନାରେ ବିକ୍ଷୋଭ କରିଛନ୍ତି। ଗତକାଲି ବେଆଇନ ପାର୍କିଂ ଫି ଆଦାୟ କରାଯାଉଥିବା ଖବର ପ୍ରସାରଣ ସମୟରେ ମହିଳା ସାମ୍ୱାଦିକାଙ୍କୁ ଏସପ୍ଲାନେଡ ମଲ କର୍ମଚାରୀ ମାଡ଼ ମାରିଛନ୍ତି । ଜଣେ କି ଦୁଇ ଜଣ ନୁହେଁ ସଂଘବଦ୍ଧ ଭାବେ ମଲର କର୍ମଚାରୀମାନେ ଅର୍ଗସ ଚ୍ୟାନେଲର ମହିଳା ସାମ୍ୱାଦିକା ସ୍ୱାତୀ ଜେନା ଏବଂ ତାଙ୍କ ଟିମକୁ ଆକ୍ରମଣ କରିଥିଲେ । ଏପରିକି ମହିଳା ସାମ୍ବାଦିକାଙ୍କୁ ଗୋଇଠା ମାରି, କ୍ୟାମେରା ଛଡାଇ ଏକ କୋଠରୀରେ ବନ୍ଦ କରିଥିଲେ।