ରଥଯାତ୍ରା ସିଧାପ୍ରସାରଣ ପ୍ରସଙ୍ଗରେ ବଦଳିଲା ନିଷ୍ପତି

କୌଣସି ଚାନେଲକୁ ସିଧାପ୍ରସାରଣରୁ ବାଦ ଦିଆଯିବ ନାହିଁ

ସତ୍ୟପାଠ ବ୍ୟୁରୋ : ରଥଯାତ୍ରା ସିଧାପ୍ରସାରଣ ପ୍ରସଙ୍ଗରେ ୟୁ-ଟର୍ଣ୍ଣ ନେଇଛି ଶ୍ରୀମନ୍ଦିର ପ୍ରଶାସନ । କୌଣସି ଚାନେଲକୁ ସିଧାପ୍ରସାରଣରୁ ବାଦ ଦିଆଯିବ ନାହିଁ କହି ବିବାଦରୁ ଦୂରକୁ ଯିବାକୁ ଚେଷ୍ଟା କରିଛନ୍ତି ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର । ତେବେ ବିଡିଂକୁ ସଂପୂର୍ଣ୍ଣ ବାତିଲ କରାଯାଇଛି କି ବୋଲି ପ୍ରଶ୍ନକୁ ଏଡାଇ ଯାଇ କେବଳ ଏତିକି କହିଛନ୍ତି ସବୁ ଚାନେଲ ହେଡମାନଙ୍କ ସହ ବୈଠକ କରି ଯାହା ନିଷ୍ପତି ନେବେ ।

ରଥଯାତ୍ରାର ସିଧାପ୍ରସାରଣ ପାଇଁ ବିଡିଂ ଡାକିଥିଲା ଶ୍ରୀମନ୍ଦିର ପ୍ରଶାସନ । ଯେଉଁ ଚାନେଲ ବିଡିଂ ରେଟ ସର୍ବାଧିକ ରଖିଥିବ କେବଳ ସେହି ଚାନେଲ ହିଁ ସିଧାପ୍ରସାରଣ କରିବ ବୋଲି ପୂର୍ବରୁ କୁହାଯାଇଥିଲା । ଗତକାଲି ବିଡିଂ ଖୋଲାଯିବା ପରେ ଜଣାପଡିଥିଲା କେଉଁ ଚାନେଲ କେତେ ଟଙ୍କାରେ ସିଧାପ୍ରସାରଣର ବିଡିଂ ଡାକିଛନ୍ତି । ଓଟିଭି ସର୍ବାଧିକ ୫୪ଲକ୍ଷ ଟଙ୍କା ରଖିଥିବା ବେଳେ ଏମବିସି ଟିଭି ୩୬ଲକ୍ଷ ଟଙ୍କା, ନ୍ୟୁଜ ୧୮ ଓଡିଆ ୧୫ଲକ୍ଷ ଟଙ୍କା, କଳିଙ୍ଗ ଟିଭି ୧୦ଲକ୍ଷ ଟଙ୍କା, ପ୍ରାର୍ଥନା ଟିଭି ୧୦ଲକ୍ଷ ଟଙ୍କା, ସାଧନା ଟିଭି ୪ଲକ୍ଷ ୪୪ହଜାର ୪୪୪ ଟଙ୍କା ୪୪ ପଇସା ଏବଂ କନକ ନ୍ୟୁଜ ୧ଲକ୍ଷ ୨୫ ହଜାର ଟଙ୍କା ରଖିଥିଲେ ବିଡିଂ ରେଟ ।

ତେବେ ଏହାକୁ ନେଇ ବିବାଦ ଦେଖାଦେଇଥିବା ବେଳେ ପୁରୀ ସଚେତନ ନାଗରିକ ତରଫରୁ ପ୍ରଶନ୍ନ ଦାସ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର କରିଥିଲେ । ଶ୍ରୀମନ୍ଦିର ପ୍ରଶାସନର ଏଭଳି ନିଷ୍ପତି ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାରରେ ବାଧା ସୃଷ୍ଟି କରୁଥିବା କୁହାଯାଇଥିଲା । ତେବେ ଅଦାଲତଙ୍କ ନିଷ୍ପତି ଆସିବା ପୂର୍ବରୁ ନିଜ ନିଷ୍ପତି ବଦଳାଇଛି ମନ୍ଦିର ପ୍ରଶାସନ । ମୁଖ୍ୟ ପ୍ରଶାସକ କହିଛନ୍ତି, “ ଆମେ ମାର୍କେଟ ରେଟ୍ ଜାଣିବାକୁ ଚାହୁଁଥିଲୁ, ଆମକୁ ତାହା ମିଳି ସାରିଛି । ଆମେ କୌଣସି ଚାନେଲକୁ ଟେଲିକାଷ୍ଟରୁ ବାଦ ଦେବୁନୁ । ଆମର ଉଦ୍ଦେଶ୍ୟ ହେଉଛି ଚାନେଲ ମାନେ ଏହି ସମୟରେ ବିଜ୍ଞାପନ ବାବଦରେ ଯେଉଁ ଅର୍ଥ ପାଉଛନ୍ତି ସେଥିରୁ କିଛି ମନ୍ଦିରକୁ ଆସୁ । ମୁଁ ସବୁ ଚାନେଲର ହେଡ ମାନଙ୍କ ସହ ଆଲୋଚନା କରିବି । ଆମକୁ ସେମାନେ କିଛି ଅଂଶ ଦେବେ । କିନ୍ତୁ ଯେଉଁ ଚାନେଲ ବିନା ବିଜ୍ଞାପନରେ ସିଧାପ୍ରସାରଣ କରିବା ପାଇଁ ଚାହିଁବେ ସେମାନେ ମନ୍ଦିରକୁ କିଛି ଅର୍ଥ ଦେବା ଦରକାର ପଡିବନି ।”

ଏବେ ପ୍ରଶ୍ନ ଉଠିଛି, ଅଦାଲତଙ୍କ ନିଷ୍ପତି ଆସିବା ପୂର୍ବରୁ କାହିଁକି ୟୁ-ଟର୍ଣ୍ଣ ନେଲେ ପ୍ରଦୀପ୍ତ । ଏହାକୁ ନେଇ ବିଭିନ୍ନ ମହଲରୁ ଚାପ ଆସିବ, ବିରୋଧ ହେବ, ବିବାଦ ହେବ ଏକଥା ପୂର୍ବରୁ ଆଲୋଚନା ହୋଇ ଏମିତି ଏକ ନିଷ୍ପତି ନିଆଯାଇଥିବ । ତାଛଡା ସର୍ବାଧିକ ବିଡିଂ ରେଟ ଫିକ୍ସ ନଥିଲା, ତେଣୁ ମାନଦଣ୍ଡ ଅନୁସାରେ ବିଡିଂ ଖୋଲାଯାଇ ଦେଖାଗଲା । ତେଣୁ ହଠାତ ନିଜ ନିଷ୍ପତି ବଦଳାଇବା ପଛର କାରଣ ଆଉ କଣ ହୋଇପାରେ ।

ସମସ୍ତେ ଜାଣନ୍ତି, ଧର୍ମୀୟ ଭାବନା ବା ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ବଦଳରେ ଚାନେଲ ମାନେ ନିଜ ବେପାର କରିଥାଆନ୍ତି ବା ବିଜ୍ଞାପନ ଜରିଆରେ ଆୟ କରିଥାନ୍ତି । ରଥଯାତ୍ରା ସିଧାପ୍ରସାରଣ ସମୟରେ ବେଳେବେଳେ ବିଜ୍ଞାପନ ସଂଖ୍ୟା ଏତେ ଥାଏ ଯେ ଦର୍ଶକେ ବିରକ୍ତ ହୋଇ ଯାଆନ୍ତି । ତେଣୁ ବିଡିଂରେ ଭାଗ ନେଇ ଲାଇଭ ଟେଲିକାଷ୍ଟ କରିବାରେ ବୋଧହୁଏ ସେଭଳି କିଛି ସମସ୍ୟା ନଥିବ । ଏମିତିରେ ଯେତେ ଅଧିକ ଚାନେଲ ଆସିବେ, ସେତେ ଅଧିକ କ୍ରିଉ ମେମ୍ବର ଆସିବେ । କର୍ଡନ ପାସ୍ ନେଇ ରଥ ପାଖରେ ଗହଳି ହେବ । ଏହାକୁ ଦୂର କରିବା ପାଇଁ ଏ ନିଷ୍ପତି ନିଆଯାଉଥିବା କୁହାଯାଉଥିଲା ।

କିନ୍ତୁ ଆଜି ହଠାତ ନିଷ୍ପତି ବଦଳିଲା, ଠିକ୍ ବିଡ୍ ଖୋଲାଯିବା ପରେ । ପୁଣି ସେତିକି ବେଳେ ଯେତେବେଳେ ଓଟିଭି ସବୁଠୁ ଅଧିକ ବିଡ୍ ରେଟ ଦେଇଛି । ଏ ଯୋଜନା ପଛରେ ଓଟିଭିକୁ ଦୂରେଇ ରଖିବା ଉଦ୍ଦେଶ୍ୟ ନଥିଲା ତ । ଯେହେତୁ ତାହା ହେଲା ନାହିଁ, ତେଣୁ ନିଜ ନିଷ୍ପତିକୁ ବଦଳାଇ ଦେଇଥିବା ଚର୍ଚ୍ଚା ହେଉଛି । ଯଦି ଏ ଆଧାର ସତ ହୋଇଥାଏ ତେବେ ରୋଷ ଶୁଝାଇବାକୁ ମହାପ୍ରଭୁଙ୍କ ଘୋଷଯାତ୍ରାକୁ ବ୍ୟବହାର କଲେ ବୋଲି କୁହାଯାଇପାରେ ।

Related Posts