ସାମ୍ବାଦିକଙ୍କୁ ଗିରଫ କରି ଅଡୁଆରେ ଯୋଗୀ ସରକାର

ତୁରନ୍ତ ସାମ୍ବାଦିକଙ୍କୁ ଛାଡିବା ପାଇଁ ଉତ୍ତରପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ

ସତ୍ୟପାଠ ବ୍ୟୁରୋ : ସାମ୍ବାଦିକ ପ୍ରଶାନ୍ତ କାନୋଜିଆଙ୍କୁ ଗିରଫ କରିବା ମହଙ୍ଗା ପଡିଛି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ । କାହିଁକି ଓ କେଉଁ ଆଧାରରେ ତାଙ୍କୁ ଗିରଫ କରାଯାଇଛି ବୋଲି ପ୍ରଶ୍ନ କରିବା ସହ ତୁରନ୍ତ ସାମ୍ବାଦିକଙ୍କୁ ଛାଡିବା ପାଇଁ ଉତ୍ତରପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ କରିଥିବା ଅଭିଯୋଗରେ ଗିରଫ ହୋଇଥିଲେ ସାମ୍ବାଦିକ । ଜଣେ ମହିଳା ଯୋଗୀଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବାହାରେ ଗଣମାଧ୍ୟମକୁ କହୁଥିବାର ଏକ ଭିଡିଓ ପ୍ରଶାନ୍ତ ପୋଷ୍ଟ କରିଥିଲେ । ଏହାପରେ ତାଙ୍କୁ କେବଳ ଗିରଫ କରାଯାଇ ନଥିଲା ବରଂ ତାଙ୍କୁ ଜାମିନ ନଦେବାକୁ ବି ଚ୍ୟାଲେଂଜ କରିଥିଲେ ୟୁପି ସରକାର । ସାମ୍ବାଦିକଙ୍କ ପତ୍ନୀ ଏହାକୁ ନେଇ ସୁପ୍ରିମକୋର୍ଟରେ ଚ୍ୟାଲେଂଜ କରିବା ପରେ ଯୋଗୀ ସରକାରକୁ କଡା ଭାଷାରେ ଭତ୍ସନା କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ଏକ ସାମାନ୍ୟ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଜଣେ ସାମ୍ବାଦିକଙ୍କୁ ଗିରଫ କରିବା ଓ ଜାମିନ ନ ମିଳିବା ନେଇ କ୍ଷୁବ୍ଧ ହୋଇଛନ୍ତି ଅଦାଲତ । ଏପରିକି ଏହି ଘଟଣାରେ ଭାରତୀୟ ସମ୍ବିଧାନର ଧାରା ୧୯ ଓ ୨୧ରେ ଅନ୍ତର୍ଭୁକ୍ତ ଥିବା ବ୍ୟକ୍ତିର ମୌଳିକ ଅଧିକାର ନେଇ ବି ପ୍ରଶ୍ନ ଉଠାଇଛନ୍ତି ଅଦାଲତ ।

ପ୍ରଶାନ୍ତଙ୍କ ଜାମିନ ସମ୍ପର୍କିତ ଆବେଦନ ଉପରେ ଯୋଗୀ ସରକାର ଯେଉଁ ପକ୍ଷ ରଖିଥିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ପ୍ରଶାନ୍ତଙ୍କ ଟୁଇଟର ଆକାଉଣ୍ଟରେ ଅନେକ ସମୟରେ ଧର୍ମ, ଈଶ୍ୱର ଓ ରାଜନେତାଙ୍କ ସମ୍ପର୍କରେ ଅଜଥା ପୋଷ୍ଟ କରାଯାଉଥିବା ନିଜ ପକ୍ଷ ରଖି କହିଥିଲେ ସରକାର । କିନ୍ତୁ ସୁପ୍ରିମକୋର୍ଟ ପ୍ରଶାନ୍ତଙ୍କୁ ଜାମିନ ଦେବା ସହ ଯୋଗୀ ସରକାରଙ୍କୁ ବାରମ୍ବାର ପଚାରିଛନ୍ତି “ କାହିଁକି ଓ କେଉଁ ଆଧାରରେ ତାଙ୍କୁ ଗିରଫ କରାଯାଇଛି ।”

ତେବେ ଏନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଓ ବିଜେପିକୁ ସମାଲୋଚନା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଟୁଇଟ କରି ରାହୁଲ କହିଛନ୍ତି ତାଙ୍କ ନାଁରେ ବିଜେପି/ଆରଏସଏସ ପ୍ରାୟୋଜିତ ଯେତେସବୁ ମିଥ୍ୟା ଓ ଭିତ୍ତିହୀନ ଖବର ପ୍ରସାରଣ କରାଯାଇଥିଲା, ସେହି ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥାନ୍ତା, ତେବେ ଆଜି ଅନେକ ଗଣମାଧ୍ୟମରେ କର୍ମଚାରୀ ଅଭାବ ଦେଖାଯାଇଥାନ୍ତା । ଏହାସହ ଯୋଗୀ ଜଣେ ମୁର୍ଖଙ୍କ ଭଳି କାମ କରୁଥିବା କହିବା ସହ ତୁରନ୍ତ ସାମ୍ବାଦିକ ପ୍ରଶାନ୍ତଙ୍କୁ ମୁକ୍ତ କରିବାକୁ ସେ ଦାବି କରିଛନ୍ତି ।

Related Posts