ପକ୍ଷାଘାତରେ ପିଡୀତ ଫୁଲବାଣୀର ପୂର୍ବତନ ବିଧାୟକ, ଦି ଓଳି ଖାଇବାକୁ ବି ମିଳୁନି

ସତ୍ୟପାଠ  ବ୍ୟୁରୋ : ଦିନ ଥିଲା ସେ ଅନ୍ୟକୁ ସାହାଯ୍ୟ କରୁଥିଲେ । ହେଲେ ଏବେ ସେ ନିଜେ ସାହାଯ୍ୟ ଅପେକ୍ଷାରେ । ଅର୍ଥ ଅଭାବରୁ ଚିକିତ୍ସା କରି ନପାରି ମୃତ୍ୟୁ ସହ ଜୁଝୁଛନ୍ତି ଜଣେ ପୂର୍ବତନ ବିଧାୟକ । ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରହଲ୍ଲାଦ ବେହେରାଙ୍କ ସ୍ୱାସ୍ଥାବସ୍ଥା ଏବେ ଗୁରୁତର । କିନ୍ତୁ ଅର୍ଥ ଅଭାବରୁ ତାଙ୍କ ଅବସ୍ଥା ଶୋଚନୀୟ ହୋଇପଡିଲାଣି । କିନ୍ତୁ ତାଙ୍କ ପ୍ରତି କାହାର ବି ନଜର ପଡୁନି ।

ବିଜୁ ବାବୁଙ୍କ ଗାଡି ଡ୍ରାଇଭରରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ପ୍ରହଲ୍ଲାଦ ବେହେରା । ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ବି ସେ ନିଜ ଗାଡିରେ ବସାଇ ପୁରୀ ନେଇଥିଲେ । ନିଜର ବୋଲି ତାଙ୍କର କିଛି ନାହିଁ । ମୁଣ୍ଡ ଗୁଂଜିବା ପାଇଁ ଭଲ ଘର ଖଣ୍ଡେ ନାହିଁ । ଜରାଜୀର୍ଣ୍ଣ ଘରେ ଜୀର୍ଣ୍ଣଶିର୍ଣ୍ଣ ଲୋକଟା ମୃତ୍ୟୁକୁ ଯେମିତି ଅପେକ୍ଷା କରିଛି । ପରର ହାତଟେକାକୁ ଚାହିଁ ଚାହିଁ ତାଙ୍କ ଦିନ କଟୁଛି । କଥା ପଦେ କହିବାକୁ ବି ଶରୀରରେ ଯୁ’ ନାହିଁ । ଏମିତିରେ ବଂଚିଛନ୍ତି ଜଣେ ପୂର୍ବତନ ବିଧାୟକ ।

୧୯୭୬ରୁ ୧୯୭୮ ପର୍ଯ୍ୟନ୍ତ ଅବିଭକ୍ତ ଫୁଲବାଣୀର ବିଧାୟକ ଥିଲେ ପ୍ରହଲ୍ଲାଦ ବାବୁ । ତାଙ୍କ ସମମୟରେ ଫୁଲବାଣୀ ଓ ବୌଦ୍ଦରେ ବହୁ ଉନ୍ନୟନୂମଳକ କାର୍ଯ୍ୟ ହୋଇଥିବା କୁହାଯାଏ । ଏପରିକି ମହାନଦୀରେ ବନ୍ୟା ଆସି ହରଭଙ୍ଗା ହାଇସ୍କୁଲ ଧୋଇ ଯାଇଥିବା ବେଳେ ସେ ନିଜ ଘରୁ ଇଟା, ପଥର କାଢ଼ି ସ୍କୁଲକୁ ଦେଇଥିଲେ । ହେଲେ ଏବେ ତାଙ୍କ ଅବସ୍ଥା ଏକଦମ ଖରାପ । ୮୩ ବର୍ଷିୟ ଏହି ବୃଦ୍ଧ ରାଜନେତା ଏବେ ପକ୍ଷାଘାତ ଓ ମଧୁମେହରେ ପିଡୀତ । ପୂର୍ବତନ ବିଧାୟକ ଭାବେ ଯେତିକି ପେନସନ ପାଉଛନ୍ତି ସେତିକି ଔଷଧ ଖର୍ଚ୍ଚରେ ଯାଉଛି । ଘରର ପରିସ୍ଥିତି ବି ଭଲ ନାହିଁ । ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏହି ପୂର୍ବତନ ବିଧାୟକଙ୍କ ପ୍ରତି ଦୃଷ୍ଟି ଦେବାକୁ ବିଭିନ୍ନ ମହଲରୁ ଦାବୀ ହୋଇଛି ।

Related Posts